ସରକାରଙ୍କୁ ପ୍ରଶ୍ନବାଣରେ ଘାଇଲା କଲେ ପ୍ରିୟଙ୍କା ଗାନ୍ଧି

ନନ୍ଦିଘୋଷ ବ୍ୟୁରୋ: ପହଲଗାଁଓ ବୈସାରନ ଭ୍ୟାଲିରେ କାହିଁକି ଜଣେ ବି ସୁରକ୍ଷାକର୍ମୀ ନ ଥିଲେ। ଏତେ ବଡ଼ ତ୍ରୁଟି ହେଲା କେମିତି । ହଜାର ହଜାର ପର୍ଯ୍ୟଟକ ସରକାରଙ୍କ ସୁରକ୍ଷା ଉପରେ ଭରସା କରି ଜାମ୍ମୁ କାଶ୍ମୀର ଆସିଥିଲେ। କିନ୍ତୁ କାହିଁକି ସେମାନଙ୍କୁ ସୁରକ୍ଷା ଦିଆଗଲାନି। ଏଥିପାଇଁ ଦାୟୀ କିଏ। ଦେଶର ନାଗରିକଙ୍କୁ ସୁରକ୍ଷା ପ୍ରଦାନ କରିବା ପ୍ରଧାନମନ୍ତ୍ରୀଙ୍କ ଦାୟିତ୍ଵ ନୁହେଁ କି, କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ଦାୟିତ୍ଵ ନୁହେଁ କି, ପ୍ରତିରକ୍ଷା ମନ୍ତ୍ରୀଙ୍କ ଦାୟିତ୍ଵ ନୁହେଁ କି । ଏମିତି ପ୍ରଶ୍ନବାଣରେ କେନ୍ଦ୍ର ସରକାରଙ୍କୁ ଘାଇଲା କରିଛନ୍ତି କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧି। ଅପରେସନ ସିନ୍ଦୂର ବିତର୍କରେ ଭାଗ ନେଇ ଲୋକସଭାରେ ସେ କହିଛନ୍ତି, ସରକାର କେବଳ ଖସିବାକୁ ଚେଷ୍ଟା କରୁଛନ୍ତି। ନିଜ ଦାୟିତ୍ଵ ଖସାଇବାକୁ ଚାହୁଁଛନ୍ତି। ଦାୟିତ୍ଵ ନେବାକୁ ଚାହୁଁ ନାହାନ୍ତି। କାରଣ ଏହି ସରକାରର ମନରେ ଲୋକ ନାହାନ୍ତି। କେବଳ ପଲିଟିକ୍ସ କରୁଛନ୍ତି, ପବ୍ଲିସିଟି କରୁଛନ୍ତି। କଂଗ୍ରେସ ସାଂସଦ ସୋନିଆ ଗାନ୍ଧିଙ୍କୁ କେନ୍ଦ୍ର ମନ୍ତ୍ରୀ ଅମିତ ଶାହା ଟାର୍ଗେଟ କରିଥିବାରୁ ଏହାର କଡ଼ା ଜବାବ ଦେଇ ପ୍ରିୟଙ୍କା କହିଛନ୍ତି, ଯେତେବେଳେ ଆତଙ୍କବାଦୀମାନେ ମୋ ବାପାଙ୍କୁ ମାରିଥିଲେ, ସେତେବେଳେ କାନ୍ଦିଥିଲେ ମୋ ମାଆ। ଯେତେବେଳେ ପହଲଗାଁଓରେ ଆତଙ୍କବାଦୀମାନେ ୨୬ ଜଣଙ୍କୁ ଗୁଳି କରି ହତ୍ୟା କରିଥିଲେ, ସେମାନଙ୍କର ଦୁଃଖ ଆମେ ଅନୁଭବ କରିପାରୁଛୁ। କାରଣ ଆମେ ବି ସେହି ଦୁଃଖ ଭୋଗିଛୁ। ଏ ସରକାରର କେନ୍ଦ୍ରମନ୍ତ୍ରୀମାନେ ନେହରୁଙ୍କୁ, ଗାନ୍ଧିଜୀଙ୍କୁ ଟାର୍ଗେଟ କରୁଛନ୍ତି। କିନ୍ତୁ ପହଲଗାଁଓ ସୁରକ୍ଷାରେ କେମିତି ତ୍ରୁଟି ହେଲା, ଏଥିପାଇଁ କିଏ ଦାୟୀ, ସେକଥା କହୁ ନାହାନ୍ତି କାହିଁକି ବୋଲି ପ୍ରଶ୍ନ କରିଛନ୍ତି ପ୍ରିୟଙ୍କା ଗାନ୍ଧି।