ଓଡ଼ିଆ ବିଶ୍ବବିଦ୍ୟାଳୟର ପ୍ରଥମ କୁଳପତି ରୂପେ ନିଯୁକ୍ତି ପାଇଲେ ପ୍ରଫେସର ସବିତା ପ୍ରଧାନ

ଭୁବନେଶ୍ୱର: ଓଡ଼ିଆ ବିଶ୍ବବିଦ୍ୟାଳୟର ପ୍ରଥମ କୁଳପତି ରୂପେ ନିଯୁକ୍ତି ପାଇଲେ ପ୍ରଫେସର ସବିତା ପ୍ରଧାନ । କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସବିତା ପ୍ରଧାନଙ୍କୁ ୨ବର୍ଷ ପାଇଁ ଏହି ନିଯୁକ୍ତି ଦେଇଛନ୍ତି । ଏବେ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ, ଶାନ୍ତିନିକେତନରେ ଡିନ୍ ରୁପେ କାର୍ଯ୍ୟରତ ଅଛନ୍ତି ପ୍ରଫେସର ସବିତା ପ୍ରଧାନ । ଯାଜପୁର ରୋଡର ମୂଳବାସିନ୍ଦା ପ୍ରଫେସର ସବିତା ପ୍ରଧାନ ଦୀର୍ଘବର୍ଷ ଧରି ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଅଧ୍ୟାପନା ସହ ଗବେଷଣା କରିଛନ୍ତି । ନନ୍ଦିଘୋଷ ଟିଭିକୁ ତାଙ୍କର ପ୍ରତିକ୍ରିୟାରେ ସେ କହିଛନ୍ତି, ସେ ଅତ୍ୟନ୍ତ ଖୁସି ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ।

ଓଡ଼ିଆ ବିଶ୍ବବିଦ୍ୟାଳୟର ପ୍ରଥମ କୁଳପତି ଭାବରେ ସେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସ୍ବତନ୍ତ୍ର ଅଧ୍ୟୟନ ଓ ଗବେଷଣା ଉପରେ ଗୁରୁତ୍ବ ଦେବେ । ନିଜ ଦାୟିତ୍ବ ଅତ୍ୟନ୍ତ ଗୁରୁତ୍ବର ସହ ତୁଲାଇବା ସହିତ ଏହି ନୂତନ ବିଶ୍ବବିଦ୍ୟାଳୟର ଉନ୍ନତି ପାଇଁ ସମର୍ପିତ ଭାବରେ କାର୍ଯ୍ୟ କରିବେ । ପ୍ରଫେସର ସବିତା ପ୍ରଧାନ ରାଉରକେଲା ଓ ଯାଜପୁର ରୋଡର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଅଧ୍ୟୟନ ପରେ ବିଶ୍ବଭାରତୀ ବିଶ୍ବବିଦ୍ୟାଳୟରେ ଏମଏ ପଢ଼ିଥିଲେ । ଓଡିଆ ଭାଷା ଓ ସାହିତ୍ୟ ଉପରେ ଉଚ୍ଚତର ଗବେଷଣା କରିବା ସହ ଅନେକ ଛାତ୍ରଙ୍କ ପିଏଚଡି ଗାଇଡ୍ ରୂପେ କାମ କରିଛନ୍ତି ପ୍ରଫେସର ସବିତା ପ୍ରଧାନ ।