ଆମେରିକାର ବିରୋଧ ପରେ ବି ପାକିସ୍ତାନକୁ ଋଣ ଦେଲା ଚୀନ

ଇସଲାମାବାଦ: ଆମେରିକାର ତୀବ୍ର ବିରୋଧ ସତ୍ତ୍ବେ ପାକିସ୍ତାନକୁ ଋଣ ଯୋଗାଇଲା ଚୀନ । ସଙ୍କଟ ଜର୍ଜରିତ ପାକିସ୍ତାନ ଲାଗି ୧ ଦଶମିକ ୫ ବିଲିୟନ ଡଲାରର ଋଣ ସହାୟତା ଘୋଷଣା କରିଛି ଚୀନ ।

ଦେବାଳିଆ ଅବସ୍ଥାରେ ଥିବା ପାକିସ୍ତାନକୁ ଏହି ଅର୍ଥ ସହାୟତା ଦେବ ଇଣ୍ଡଷ୍ଟ୍ରିଆଲ ଆଣ୍ଡ କମର୍ସିଆଲ ବ୍ୟାଙ୍କ ଅଫ ଚୀନ ଲିମିଟେଡ। ଏନେଇ ସୂଚନା ଦେଇଛନ୍ତି ପାକିସ୍ତାନ ଅର୍ଥମନ୍ତ୍ରୀ ଇଶାକ୍ ଦର । ତିନିଟି ପର୍ଯ୍ୟାୟରେ ଅର୍ଥାତ ପ୍ରତିଥର ୫ଶହ ନିୟୁତ ଡଲାର ଲେଖାଏଁ ଅର୍ଥ ପ୍ରଦାନ କରିବ ଚୀନ ।

ପ୍ରଥମ ପର୍ଯ୍ୟାୟରେ ୫ଶହ ନିୟୁତ ଡଲାର ଗ୍ରହଣ କରିଛି ପାକିସ୍ତାନ ସେଣ୍ଟ୍ରାଲ ବ୍ୟାଙ୍କ । ପାକିସ୍ତାନରେ ଆର୍ଥିକ ସଙ୍କଟ ଘନୀଭୂତ ହୋଇଥିବାବେଳେ ବୈଦେଶିକ ମୁଦ୍ରା ରିଜର୍ଭ ପରିମାଣ ବ୍ୟାପକ ହ୍ରାସ ପାଇଛି । ବର୍ତ୍ତମାନ ଯେତିକି ବୈଦେଶିକ ମୁଦ୍ରା ଗଚ୍ଛିତ ରହିଛି ସେଥିରେ ମାତ୍ର ୩ ସପ୍ତାହ ଯାଏ ପାକିସ୍ତାନର ଆମଦାନୀ କ୍ଷମତା ରହିବ ।

କିଛିଦିନ ପୂର୍ବରୁ ପାକିସ୍ତାନକୁ ୭ଶହ ନିୟୁତ ଡଲାର ଋଣ ଦେଇଥିଲା ଚୀନ । ସେହି ଅର୍ଥ ନ ସୁଝୁଣୁ ପୁଣି ଥରେ ୧ ଦଶମିକ ୫ ବିଲିୟନ ଡଲାରର ରୋଲ ଓଭର ଋଣ ପ୍ରଦାନ କରିଛି ଚୀନ । ବର୍ତ୍ତମାନର ସ୍ଥିତି ଯାହା ରହିଛି ସେଥିରେ ପାକିସ୍ତାନକୁ ସ୍ବାଭାବିକ ସ୍ଥିତିକୁ ଆସିବା ଲାଗି ଆବଶ୍ୟକ ୫ ବିଲିୟନ ଡଲାରର ସହାୟତା ।