ସ୍ବପ୍ନ ପୂରଣ କରିବ ମୋ ଘର, ଅଧାଗଢା ଘରକୁ ପ୍ରାଥମିକତା ଦେବା ପାଇଁ ପଞ୍ଚାୟତିରାଜ ବିଭାଗକୁ ପ୍ରସ୍ତାବ

ଭୁବନେଶ୍ୱର: ପୂରଣ ହେବ ସ୍ବପ୍ନ । ଘର ପାଇଁ ଆଉ ଚିନ୍ତାରେ ରହିବେନି ନିମ୍ନ ଓ ମଧ୍ୟବିତ୍ତ ପରିବାର । ବିଭିନ୍ନ ଯୋଜନାରେ ରାଜ୍ୟର ୧ ଲକ୍ଷ ୭୪ ହଜାର ହିତାଧିକାରୀଙ୍କ ଘର ଅଧା ନିର୍ମାଣ ହୋଇ ବର୍ଷ ବର୍ଷ ଧରି ପଡ଼ିରହିଛି । ରାଜ୍ୟ ସରକାରଙ୍କ ମୋ ଘର ଯୋଜନା ଏସବୁ ଘରକୁ ସମ୍ପୂର୍ଣ୍ଣ କରିବାରେ ବଡ଼ ସହାୟକ ହେବ । ବିଧାନସଭାର ସମ୍ପୃକ୍ତ ଷ୍ଟାଣ୍ଡିଂ କମିଟି ବୈଠକରେ ଏନେଇ ପଞ୍ଚାୟତିରାଜ ବିଭାଗକୁ ପ୍ରସ୍ତାବ ଦିଆଯାଇଛି । ବନ୍ୟାପ୍ରବଣ ଅଞ୍ଚଳ ଓ ସ୍ବାଭିମାନ ଅଞ୍ଚଳରେ ଘର ନିର୍ମାଣ ପାଇଁ ଗୁରୁତ୍ବ ଦେବାକୁ ପ୍ରସ୍ତାବ ଦେଇଛି କମିଟି । ମୋ ଘର ଯୋଜନା ପାଇଁ ରାଜ୍ୟ ସରକାରଙ୍କ ପ୍ରୟାସକୁ କମିଟି ଧନ୍ୟବାଦ ଦେବା ସହ ଲୋକମାନେ କିପରି ସହଜରେ ସୁବିଧା ପାଇବେ ତା’ ଉପରେ ଗୁରୁତ୍ବ ଦେଇଛି । ମୋ ଘର ପାଇଁ ରାଜ୍ୟ ସରକାର ସୁଧ ରିହାତି ଦେବେ । ହିତାଧିକାରୀଙ୍କୁ ତୁରନ୍ତ ଋଣ ପ୍ରଦାନ ଉପରେ ସରକାର ଫୋକସ କରିଥିବା କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର କହିଛନ୍ତି ।

ଜୁନ ୧୬ ତାରିଖରୁ ମୋ ଘର ଯୋଜନା ପାଇଁ ଆବେଦନ ଗ୍ରହଣ କରାଯିବ । ହିତାଧିକାରୀ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ପାଇବେ । ପ୍ରଥମ ବର୍ଷର ରିହାତି ଅବଧିକୁ ବାଦ୍‌ ଦେଇ ପରବର୍ତ୍ତୀ ୧୦ ବର୍ଷ ମଧ୍ୟରେ ଋଣ ପରିଶୋଧ କରି ପାରିବେ ହିତାଧିକାରୀ । ସୁଧ ରିହାତି ରାଜ୍ୟ ସରକାର ବହନ କରିବେ । ମୋ ଘର ଯୋଜନାକୁ ସଫଳ କରିବା ପାଇଁ ବ୍ୟାଙ୍କଗୁଡ଼ିକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ବିଭିନ୍ନ ଗୃହ ନିର୍ମାଣ ଯୋଜନାରୁ ବଞ୍ଚିତ ଥିବା ପରିବାର ମୋ ଘର ଯୋଜନାରେ ଉପକୃତ ହେବେ । ସେହିପରି ସ୍ବଳ୍ପ ଗୃହ ନିର୍ମାଣ ସହାୟତା ପାଇଥିବା ପରିବାର ଗୃହର ଉନ୍ନତିକରଣ ଓ ସମ୍ପ୍ରସାରଣ କରିପାରିବେ । ହିତାଧିକାରୀଙ୍କ ଆର୍ଥିକ ବୋଝ ହ୍ରାସ କରିବାକୁ ରାଜ୍ୟ ସରକାର ପଞ୍ଜୀକରଣ ଶୁଳ୍କ ଏବଂ ଷ୍ଟାମ୍ପ ଡ୍ୟୁଟି ଛାଡ଼ କରିଛନ୍ତି ।