ବିଶ୍ୱ ମଞ୍ଚରେ ତାଲିବାନକୁ ଟାର୍ଗେଟ, ମୋଦି କହିଲେ ଭାରତର ବିକାଶରେ ବିଶ୍ୱର ବିକାଶ

1 min read

ନ୍ୟୁୟର୍କ: ଶୁଭ କର୍ମୋ ପଥେ, ଧରୋ ନିର୍ଭୟ ଗାନ  । ସବ ଦୁର୍ବଲ ଶନ୍ୟ ହୁଅ ଅବଶାନ  । ବିଶ୍ୱ ମଞ୍ଚରେ ନୋବେଲ ବିଜେତା ରବିନ୍ଦ୍ର ନାଥ ଟାଗୋରଙ୍କ ବାର୍ତ୍ତା  । ଜାତିସଂଘରେ ଭାରତର ପ୍ରଧାନମନ୍ତ୍ରୀଙ୍କ ହୁଙ୍କାର  । ବିଶ୍ୱରେ ଶାନ୍ତି ପ୍ରତିଷ୍ଠାର ପ୍ରାଥମିକତା ହେଉଛି ଆତଙ୍କବାଦର ନାଶ  । ଆତଙ୍କବାଦର ପାଠଶାଳା ପାକିସ୍ତାନର ନାଁ ନେଇ ପାକିସ୍ତାନକୁ ଟାର୍ଗେଟ । ଆତଙ୍କବାଦର ଆଧିପତ୍ୟ ବିସ୍ତାର କରୁଥିବା ତାଲିବାନକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ କଡ଼ା ଭତ୍ସର୍ନା  । ବିଶ୍ୱରେ ଶାନ୍ତି ଏବଂ ସମୃଦ୍ଧି ସେତେବେଳେ ସମ୍ଭବ ହୋଇପାରିବ, ଯେତେବେଳେ ବିଶ୍ୱରୁ ହିଂସା, ସଂଘର୍ଷର ବୀଜକୁ ଭସ୍ମ କରାଯିବ  । ଜାତିସଂଘ ସାଧାରଣ ଆସେମ୍ବ୍ଲିରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଫଗାନିସ୍ତାନକୁ ଟାର୍ଗେଟ କରି କହିଛନ୍ତି- ଆତଙ୍କବାଦକୁ ବର୍ତ୍ତମାନ କିଛି ଦେଶ ରାଜନୈତିକ ଟୁଲ୍ ଭାବେ ବ୍ୟବହାର କରୁଛନ୍ତି ।

କିଛି ଦେଶ ଆଫଗାନିସ୍ତାନକୁ ଆତଙ୍କବାଦର ପ୍ରୟୋଗଶାଳା କରିବାକୁ ଯାଉଛନ୍ତି  ।  ସେହି ରାଷ୍ଟ୍ରଗୁଡିକ ଜାଣିରଖିବା ଆବଶ୍ୟକ ଯେ ସେଗୁଡିକ ହିଁ ସେହି ରାଷ୍ଟ୍ର ପ୍ରତି  ବିପଦ ସାବ୍ୟସ୍ତ ହେବେ । ମୋଦି କହିଛନ୍ତି- ଭାରତ ହେଉଛି ଗଣତନ୍ତ୍ରର ମା । ଏଠାରେ ବିବିଧତା ମଧ୍ୟରେ ଐକ୍ୟ ରହିଛି । ଭାରତର ବିକାଶରେ ବିଶ୍ୱ ବିକାଶ । ଭାରତର ସଂସ୍କାରରେ ବିଶ୍ବର ପୁନଃସଂସ୍କାର । ଭାରତର ବିଜ୍ଞାନ ଓ ପ୍ରଯୁକ୍ତି ବିଶ୍ବରେ ଅତୁଳନୀୟ । ଗୋଟିଏ ଦିନରେ ଏକ କୋଟି ଟିକା ଦିଆଯାଇପାରିଛି । କୋଭିଡ ବିରୋଧରେ ଭାରତ ମହାସଂଗ୍ରାମ କରିଛି ।  ସାଧାରଣ ଲୋକଙ୍କ ସ୍ୱାଧିନତା ଭାରତର ପ୍ରାଥମିକତା  । ଜନଜୀବନର ସୁରକ୍ଷା ଆମର ସଦା ଦାୟିତ୍ୱ  । ତେଣୁ ଭାରତ ସରକାର କୋଭିଡ ମୁକାବିଲାକୁ ସଫଳ ଭାବେ ନିର୍ବାହ କରିଛନ୍ତି  । ଟିକାକରଣକୁ ବ୍ୟାପକ କରିଛନ୍ତି  । କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ୱକୁ ଭ୍ୟାକ୍ସିନ ଏବଂ କୋଭିଡ ମୁକାବିଲା ପାଇଁ ଜରୁରୀ ପଡୁଥିବା ଆବଶ୍ୟକୀୟ ଉପକରଣ ପ୍ରଦାନ କରିଛି ଭାରତ  ।

ମାନବତା ପ୍ରତି ଦାୟିତ୍ବବୋଧ ଭାରତର ରହିଛି । ବିଶ୍ବର ସମସ୍ତ ଟିକାପ୍ରସ୍ତୁତାକାରୀ କମ୍ପାନିକୁ ଆସିବାକୁ ଆମନ୍ତ୍ରଣ କରାଯାଉଛି । ବିଶ୍ବ ଅର୍ଥ ବ୍ୟବସ୍ଥାକୁ ଅଧିକ ଅବଦାନ ଦେବ ଭାରତ । ଅର୍ଥନୀତି ଓ ପରିବେଶ ମଧ୍ୟରେ ସନ୍ତୁଳନ ହୋଇପାରିଛି । ଭାରତରେ ଗ୍ରୀନ ହାଇଡ୍ରୋଜେନ ହବ୍ ପ୍ରତିଷ୍ଠା ଲାଗି ଯୋଜନା କରାଯାଉଛି । ପ୍ରଗତିଶୀଳ ଚିନ୍ତାଧାରାକୁ ବିକାଶର ଧାରାରେ ପରିଣତ କରିବା ଆବଶ୍ୟକ । ଭାରତ ୭୫ଟି ଉପଗ୍ରହ ପ୍ରେରଣ କରିଛି । ସାମୁଦ୍ରିକ ସମ୍ପଦକୁ ବ୍ୟବହାର କରିବା ଆବଶ୍ୟକ । ଭବିଷ୍ୟତ ଲାଗି ସଞ୍ଚୟ କରିବା ଆବଶ୍ୟକ । ସୁରକ୍ଷା ପରିଷଦରେ ଭାରତର ସଭାପତିତ୍ବ କାଳରେ ନିରାପତ୍ତା ଲାଗି ମାର୍ଗ ପ୍ରଦର୍ଶନ କରାଯାଇଥିଲା । ଜାତିସଂଘ ଏପରି କାର୍ଯ୍ୟ କରିବା ଆବଶ୍ୟକ ଯେପରି ଏହା ଭବିଷ୍ୟତରେ ନିଜ ଯଥାର୍ଥତା ହରାଇବ ନାହିଁ । ଆଫଗାନିସ୍ତାନ ବ୍ୟାପାରରେ ସେ କହିଛନ୍ତି ଆଫଗାନିସ୍ତାନବାସୀଙ୍କୁ ବର୍ତ୍ତମାନ ସହାୟତା ଜରୁରୀ ଆବଶ୍ୟକତା ରହିଛି  ।

ସେହିପରି ଶେଷରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱକବି ତଥା ନୋବେଲ ବିଜେତା ରବିନ୍ଦ୍ର ନାଥ ଟାଗୋରଙ୍କ କବିତା ଗାନ କରିଥିଲେ  । ସମଗ୍ର ବିଶ୍ୱକୁ ଗୁରୁଦେବ ଟାଗୋରଙ୍କ ବାଣୀଙ୍କୁ ଶୁଣାଇଥିଲେ  । ଭାରତର ମହାନତା ଏବଂ ଭାରତର ଅଦିତୱୀୟ ଗଣତନ୍ତ୍ରକୁ ବିଶ୍ୱ ମଞ୍ଚରେ ଉପସ୍ଥାପନା କରିଥିଲେ  । ଶୁଭ କାର୍ଯ୍ୟ କଲାବେଳେ ଅର୍ଥାତ ସମାଜ ମଙ୍ଗଳର ମଙ୍ଗ ଧରିବା ପାଇଁ ଅଶୁଭ ତତ୍ୱକୁ ଦୂର କରିବାକୁ ପଡିବ  । ସେଥିପାଇଁ କେବଳ ସାହାସ ଏବଂ ଶୁଭ କର୍ମପଥର ଆବଶ୍ୟକତା ରହିଛି  । ସମସ୍ତ ଦୁର୍ବଳତା ଏବଂ ଶଙ୍କାର ସମାପ୍ତ କରି ରାଷ୍ଟ୍ର ହିତରେ ଏବଂ ବିଶ୍ୱ ହିତରେ  ଆଗେଇ ଆସନ୍ତୁ  । ବିଶ୍ୱକୁ ସୁସ୍ଥ-ସୁରକ୍ଷିତ-ସମୃଦ୍ଧ କରି ଗଢି ତୋଳିବାର ସାହାଜ ଜୁଟାଇବାର ଆହ୍ୱାନ ଦେଇ ନିଜ ବାର୍ତ୍ତାକୁ ବିରାମ ଦେଇଥିଲେ ଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି  ।

Leave a Reply