ଟ୍ରକ ଡ୍ରାଇଭରକୁ ଦେଖି ରକ୍ତ ଗରମ ହେଇଉଠୁଥିଲା, ସାଇକୋ କିଲର ଭାବେ କରୁଥିଲେ ହତ୍ୟା ..

1 min read

ନନ୍ଦିଘୋଷ ବ୍ୟୁରୋ: କୁଖ୍ୟାତ ସାଇକୋ କିଲରର ଏନକାଉଣ୍ଟରରେ ମୃତ୍ୟୁ । ରବିବାର ବିଳମ୍ବିତ ରାତିରେ ପୋଲିସ ଏବଂ ଏସଟିଏଫର ମିଳିତ ଅପରେସନରେ କୁଖ୍ୟାତ ଅପରାଧୀ ସନ୍ଦୀପ ଲୋହାର ଓରଫ ସନ୍ଦୀପ ପେହଲୱାନଙ୍କୁ ଏନକାଉଣ୍ଟରରେ ହତ୍ୟା କରାଯାଇଛି । ସାଇକୋ କିଲର ଭାବରେ ଜଣାଶୁଣା, ସନ୍ଦୀପ ରାଜପଥରେ ଟ୍ରକ୍ ଡ୍ରାଇଭରମାନଙ୍କୁ ଟାର୍ଗେଟ କରି ହତ୍ୟା ଏବଂ ଲୁଟ କରୁଥିଲେ। ସେ ପ୍ରାୟତଃ ଉତ୍ତର ପ୍ରଦେଶ, ହରିୟାଣା ଏବଂ ମହାରାଷ୍ଟ୍ରର ରାଜପଥରେ ଅପରାଧ ଘଟାଉଥିଲେ। ଯେଉଁମାନେ ତାଙ୍କୁ ଜାଣିଥିଲେ ବିଶେଷକରି ଡ୍ରାଇଭରମାନେ ସର୍ବଦା ସନ୍ଦୀପ ପେହଲୱାନଙ୍କ ନାଁରେ ଭୟ କରୁଥିଲେ।

ଝିଅର ମୃତ୍ୟୁ ସଜେଇଥିଲା କିଲର !

ହରିୟାଣାର ରୋହତକ ଜିଲ୍ଲାର ଭାଇନି ମହାରାଜ ଗାଁର ବାସିନ୍ଦା ସନ୍ଦୀପ ଲୋହାର ଜଣେ ମଲ୍ଲଯୋଦ୍ଧା ଥିଲେ। କିନ୍ତୁ ୨୦୧୩ ମସିହାରେ ଏକ ସଡ଼କ ଦୁର୍ଘଟଣା ତାଙ୍କ ଜୀବନକୁ ନଷ୍ଟ କରିଦେଲା। ଏହି ଦୁର୍ଘଟଣାରେ ତାଙ୍କ ଝିଅର ମୃତ୍ୟୁ ହୋଇଥିଲା, ଯାହା ପାଇଁ ସେ ଜଣେ ଟ୍ରକ୍ ଡ୍ରାଇଭରଙ୍କୁ ଦାୟୀ କରିଥିଲେ। ଏହି ଘଟଣା ସନ୍ଦୀପକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଦେଲା। ତାଙ୍କ ଦୃଷ୍ଟିରେ ଟ୍ରକ୍ ଡ୍ରାଇଭରମାନେ ଅପରାଧୀ ଥିଲେ। ଏହା ପରେ ସେ ଟ୍ରକ୍ ଡ୍ରାଇଭରମାନଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଥିଲେ।

ହତ୍ୟା ଏବଂ ଡକାୟତିର ପଦ୍ଧତି ଭୟଙ୍କର ଥିଲା

ସନ୍ଦୀପଙ୍କ ଅପରାଧ କରିବାର ପଦ୍ଧତି ଯେପରି ବିପଦପୂର୍ଣ୍ଣ ଥିଲା, ସେହିପରି ଯୋଜନାବଦ୍ଧ ମଧ୍ୟ ଥିଲା। ସେ ପ୍ରଥମେ ହାଇୱେରେ ଟ୍ରକ୍ ଡ୍ରାଇଭରମାନଙ୍କ ସହିତ ବନ୍ଧୁତା କରୁଥିଲେ, ସେମାନଙ୍କ ସହିତ ଖାଉଥିଲେ ଏବଂ ମଦ୍ୟପାନ ଦେଇ ସେମାନଙ୍କ ବିଶ୍ୱାସ ଜିତୁଥିଲେ। ତା’ପରେ ସୁଯୋଗ ପାଇ ସେ ସେମାନଙ୍କୁ ଗଳାକାଟି, ଗୁଳି କରି କିମ୍ବା ଧାରୁଆ ଅସ୍ତ୍ର ବ୍ୟବହାର କରି ହତ୍ୟା କରୁଥିଲା। ହତ୍ୟା ପରେ, ସେ ଟ୍ରକରେ ଥିବା ମୂଲ୍ୟବାନ ଜିନିଷପତ୍ର ଲୁଟ କରି ପଳାଇଯାଉଥିଲା। ପୋଲିସର କହିବା ଅନୁଯାୟୀ, ସନ୍ଦୀପ ଅତି କମରେ ଚାରି ଜଣ ଟ୍ରକ୍ ଡ୍ରାଇଭରଙ୍କୁ ହତ୍ୟା କରିଥିଲେ ଏବଂ ଅନେକ ବଡ଼ ଡକାୟତି ଘଟଣା ଘଟାଇଥିଲେ।

କାନପୁରରେ ୪ କୋଟି ଟଙ୍କା ଡକାୟତି; ମୋଷ୍ଟ ୱାଣ୍ଟେଡ୍ ସାଜିଥିଲେ ସନ୍ଦୀପ

ଅଞ୍ଚଳରେ ୪ କୋଟି ଟଙ୍କା ମୂଲ୍ୟର ନିକେଲ ପ୍ଲେଟ୍ ବୋଝେଇ ଟ୍ରକ୍ ଡକାୟତି କରି ମୋଷ୍ଟ ଓ୍ବାଣ୍ଟେଡ ସାଜିଥିଲେ ସନ୍ଦୀପ । ଏହା ସନ୍ଦୀପଙ୍କର ସବୁଠାରୁ ଭୟଙ୍କର ଅପରାଧ ଥିଲା । ୧୫ ମଇ, ୨୦୨୫ରେ କାନପୁରର ଅଞ୍ଚଳରେ ୪ କୋଟି ଟଙ୍କା ମୂଲ୍ୟର ନିକେଲ ପ୍ଲେଟ୍ ବୋଝେଇ ଟ୍ରକ୍ ଡକାୟତି କରିଥିଲେ। ଏହି ଅପରାଧ ପରେ ସେ ଫେରାର୍ ହୋଇଯାଇଥିଲେ ଏବଂ ପୋଲିସ ତାଙ୍କ ଉପରେ ୧ ଲକ୍ଷ ଟଙ୍କାର ପୁରସ୍କାର ରଖିଥିଲା। ତାଙ୍କ ବିରୁଦ୍ଧରେ ଉତ୍ତର ପ୍ରଦେଶ, ହରିୟାଣା ଏବଂ ମହାରାଷ୍ଟ୍ରରେ ହତ୍ୟା, ଡକାୟତିରେ ୧୫ ରୁ ଅଧିକ ମାମଲା ରୁଜୁ ହୋଇଥିଲା।

ବାଗପତରେ ଏନକାଉଣ୍ଟର

୨୯ ଜୁନ୍ ରାତିରେ, ପୋଲିସକୁ ବାଗପତର ମାଭିକାଲନ ଅଞ୍ଚଳରେ ସନ୍ଦୀପଙ୍କ ଲୋକେଶନବିଷୟରେ ସୁଚନା ମିଳିଥିଲା । ପରେ ପୋଲିସ ଲୋକେଶନରେ ପହଞ୍ଚି  ଅଞ୍ଚଳକୁ ଘେରାବନ୍ଦୀ କରିଥିଲେ। ଅପରେସନ୍ ସମୟରେ ସନ୍ଦୀପ ଗୁଳି ଚଳାଇବାରୁ ନୋଏଡା STFର ହେଡ୍ କନଷ୍ଟେବଲ୍ ସୁନୀଲ କୁମାର ଆହତ ହୋଇଥିଲେ। ପ୍ରତିଶୋଧରେ ସନ୍ଦୀପଙ୍କ ଛାତି ଏବଂ ଗୋଡରେ ଗୁଳି ବାଜିଥିଲା। ଉଭୟଙ୍କୁ ଜିଲ୍ଲା ହସ୍ପିଟାଲକୁ ପଠାଯାଇଥିଲା, ଯେଉଁଠାରେ ସନ୍ଦୀପଙ୍କ ମୃତ୍ୟୁ ହୋଇଥିଲା। ପୋଲିସ ଏନକାଉଣ୍ଟର ସ୍ଥଳରୁ ଏକ ପିସ୍ତଲ, ବାଇକ୍ ଏବଂ କାର୍ଟ୍ରିଜ୍ ଜବତ କରିଛି। ବାଗପତ ପୋଲିସ ସୁପରିଣ୍ଟେଣ୍ଡେଣ୍ଟ ସୁରଜ କୁମାର ରାୟ କହିଛନ୍ତି, ସନ୍ଦୀପ ଜଣେ ଭୟଙ୍କର ଅପରାଧୀ ଥିଲା, ଯିଏ ହାଇୱେରେ ଟ୍ରକ୍ ଡ୍ରାଇଭରମାନଙ୍କୁ ଟାର୍ଗେଟ କରୁଥିଲା। ତାଙ୍କର ଜଣେ ସହଯୋଗୀ ଖସି ପଳାଇଥିବା ଜଣାପଡ଼ିଛି, ଯାହାର ସନ୍ଧାନ ଜାରି ରହିଛି।

୨୦୧୨ ମସିହାରୁ ରକ୍ତାକ୍ତ ଅପରାଧ ମାମଲା

ସନ୍ଦୀପ ୨୦୧୨ ମସିହାରେ ଅପରାଧ ଜଗତରେ ପ୍ରବେଶ କରିଥିଲେ ସେବେଠାରୁ ସେ ଅପରାଧ ଖାତାରେ ନୂଆ ନୂଆ କାହାଣୀ ଲେଖିଚାଲିଥିଲେ । ନଜର ପକାନ୍ତୁ …

୨୦୧୩ : ହିସାରରେ ଡକାୟତି ପରେ ହତ୍ୟା

୨୦୧୪ : ଗୁରୁଗ୍ରାମରେ ହତ୍ୟା ଏବଂ ହିସାରରେ ଆଉ ଏକ ହତ୍ୟା

୨୦୧୫ : ରୋହତକରେ ହତ୍ୟା

୨୦୧୬ : ଗୁରୁଗ୍ରାମରେ ଚୋରି, ହିସାରରେ ଦୁଇଟି ଡକାୟତି

୨୦୨୧ : ରୋହତକରେ ଆକ୍ରମଣ ମାମଲା

୨୦୨୩ : ରୋହତକରେ ତିନୋଟି ଚୋରି

୨୦୨୫ : କାନପୁରରେ ୪ କୋଟି ଟଙ୍କାର ଟ୍ରକ ଲୁଟ୍