ପଞ୍ଜାବରେ AAPର ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଭଗବନ୍ତ ମାନ୍, ପବ୍ଲିକ ଭୋଟିଂ ଜରିଆରେ ନିଷ୍ପତ୍ତି ନେଲେ କେଜ୍ରିଓ୍ୱାଲ

1 min read

ଚଣ୍ଡିଗଡ଼: ପଞ୍ଜାବ ନିର୍ବାଚନ ପାଇଁ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛି ଆମ୍ ଆଦମି ପାର୍ଟି । ଆମ୍ ଆଦମି ପାର୍ଟିର ପଞ୍ଜାବ ମୁଖ୍ୟମନ୍ତ୍ରୀ ଚେହେରା ହେବେ ଭଗବନ୍ତ ମାନ୍ । ଭଗବନ୍ତଙ୍କ ନାମ ଘୋଷଣା କରିଛନ୍ତି ଆମ୍ ଆଦମି ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିଓ୍ୱାଲ । ପଞ୍ଜାବରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କାହାକୁ କରାଯିବ ଏନେଇ ହ୍ୱାଟ୍ସଆପ, ଟେଲିଫୋନ ଆଦିରେ ଭୋଟ ଗ୍ରହଣ କରାଯାଇଥିଲା । ଏହି ଭୋଟରେ ମୋଟ ୨୧ ଲକ୍ଷ ଲୋକ ଅଂଶଗ୍ରହଣ କରିଥିଲେ ଏବଂ ଯେଉଁମାନଙ୍କ ମଧ୍ୟରୁ ୯୩ ପ୍ରତିଶତ ଲୋକ ଭଗବନ୍ତଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହାଁନ୍ତି ବୋଲି ଦାବି କରିଥିଲା । ନିର୍ବିବାଦୀୟ ନେତା ଭାବେ ବିଭିନ୍ନ ମହଲରୁ ସମର୍ଥନ ମିଳିବା ନେଇ ଆଶା ରଖିଛି ଆପ୍ ।

ବର୍ତ୍ତମାନ ଭଗବନ୍ତ ପଞ୍ଜାବ ଆପ୍‌ର ମୁଖ୍ୟ ଥିବାବେଳେ ସାଙ୍ଗୁରରୁ ଦୁଇ ଥର ଏମପି ଭାବେ ଦାୟିତ୍ୱ ତୁଲାଉଛନ୍ତି । କିଛି ଦିନ ତଳେ ସେ ଅଭିଯୋଗ କରିଥିଲେ ବିଜେପି ତାଙ୍କୁ ଟଙ୍କା ଯାଚିଥିଲା ଏବଂ ଦଳରେ ମିଶିଲେ ତାଙ୍କୁ କ୍ୟାବିନେଟ ପଦବୀ ମିଳିବ ବୋଲି ପ୍ରସ୍ତାବ ଦେଇଥିଲା । ଚଳିତ ପଞ୍ଜାବ ନିର୍ବାଚନରେ ଆପ୍ ବିଜୟୀ ହେବ ବୋଲି କହିଛନ୍ତି ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ୱାଲ । ଆସନ୍ତା ଫେବ୍ରୁଆରୀ ୨୦ରେ ପଞ୍ଜାବ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ଏବଂ ମାର୍ଚ୍ଚ ୧୦ରେ ଫଳ ପ୍ରକାଶ ପାଇବ ।

ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିବାରେ ଆପ୍ ପଞ୍ଜାବରେ ପ୍ରଥମ ଦଳ ହୋଇଛି । ଗତ ୨୦୧୭ ନିର୍ବାଚନରେ ୧୧୭ ଆସନରୁ କଂଗ୍ରେସକୁ ୭୭ ଆସନ ମିଳିଥିବାବେଳେ ଆପ୍‌କୁ ମିଳିଥିଲା ୨୦ ଆସନ । ଅକାଳୀ ଦଳକୁ ୧୫ ଓ ବିଜେପିକୁ ୩ ଆସନ ମିଳିଥିଲା । ୧୯୭୩ରେ ଜନ୍ମିତ ଭଗବନ୍ତ ରାଜନେତା ଭାବେ ଯେତିକି ଖ୍ୟାତି ଲାଭ କରିନାହାନ୍ତି କମେଡି ଲାଗି ତାଠାରୁ ଅଧିକ ଖ୍ୟାତି ପାଇଛନ୍ତି । ରାଜନୀତି, ବ୍ୟବସାୟ, କ୍ରୀଡା ଆଦି ପ୍ରସଙ୍ଗରେ ସେ କମେଡି ପ୍ରଦର୍ଶନ କରି ଦେଶବିଦେଶରେ ସମ୍ମାନ ସାଉଁଟିଛନ୍ତି । ଦେଶରେ କିଛି ପ୍ରତିଷ୍ଠିତ ଚାନେଲରେ ନିଜର ସୋ ପ୍ରଦର୍ଶନ କରି ଚର୍ଚ୍ଚାରେ ଥିବା ଭଗବନ୍ତ ଅନେକ ଆଲବମ୍ ବି ତିଆରି କରିଛନ୍ତି । ସେ ୨୦୧୧ରେ ପିପୁଲ୍ସ ପାର୍ଟି ଅଫ ପଞ୍ଜାବରେ ଯୋଗଦେଇଥିଲେ । ପରେ ସେ ୨୦୧୪ରେ ଆପରେ ସାମିଲ ହୋଇ ସାଙ୍ଗୁର ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ୨୦୧୯ ନିର୍ବାଚନରେ ପୁଣି ଥରେ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି ମାନ୍ ।

Leave a Reply