ଚଣ୍ଡିଗଡ଼: ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ ନେତୃତ୍ୱରେ କ୍ୟାବିନେଟର ସମ୍ପ୍ରସାରଣ ଆରମ୍ଭ ହୋଇଛି। ନୂତନ ମନ୍ତ୍ରିମଣ୍ଡଳରେ ବ୍ରହ୍ମ ମୋହିନ୍ଦ୍ରା ଏବଂ ମନପ୍ରୀତ ସିଂ ବାଦଲଙ୍କୁ ସାମିଲ କରାଯାଇଛି। ଏହା ସହିତ ତୃପ୍ତ ରାଜିନ୍ଦର ବାଜୱା, ଅରୁଣା ଚୌଧୁରୀ, ସୁଖବିନ୍ଦର ସିଂ ସାର୍କରିଆ ଏବଂ ରାଣା ଗୁରୁଜିତ ସିଂ ମଧ୍ୟ ନୂତନ କ୍ୟାବିନେଟରେ ସ୍ଥାନ ପାଇଛନ୍ତି। ଚରଣଜିତ ସିଂ ଚନ୍ନିଙ୍କ ନୂଆ କ୍ୟାବିନେଟରେ ରଜିଆ ସୁଲତାନା, ବିଜୟ ଇନ୍ଦର ସିଙ୍ଗଲା, ଭାରତ ଭୂଷଣ ଆଶୁ, ରଣଦୀପ ସିଂ ନାଭାଙ୍କୁ ମଧ୍ୟ ସୁଯୋଗ ଦିଆଯାଇଛି। ଏହା ପରେ ରାଜକୁମାର ବେରକା, ସଙ୍ଗତ ଗିଲଜିଆନ୍ ଏବଂ ପରଗଟ୍ ସିଂ ମଧ୍ୟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଛନ୍ତି।
କାର୍ଯ୍ୟସୂଚୀ ଅନୁଯାୟୀ ଅପରାହ୍ନ ୪ଟା ୩୦ରୁ ରାଜ ଭବନରେ ମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ଆୟୋଜିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ଶନିବାର ଦିନ ନୂଆ କ୍ୟାବିନେଟରେ ଅନ୍ତର୍ଭୁକ୍ତ ହେବାକୁ ଥିବା ଚେହେରା ସମ୍ପର୍କରେ ଦିଲ୍ଲୀର ପାର୍ଟି ହାଇକମାଣ୍ଡଙ୍କ ସହ ଶେଷ ପର୍ଯ୍ୟାୟ ଆଲୋଚନା କରିଥିଲେ। ମନ୍ତ୍ରୀଙ୍କ ଅନ୍ତିମ ତାଲିକା ପ୍ରସ୍ତୁତ ହେବା ପରେ ମୁଖ୍ୟମନ୍ତ୍ରୀ ଚନ୍ନି ଶନିବାର ଅପରାହ୍ନ ପ୍ରାୟ ୧୨ଟା ୩୦ ମିନିଟ ସମୟରେ ରାଜ ଭବନରେ ରାଜ୍ୟପାଳ ବନୱାରିଲାଲ ପୁରୋହିତଙ୍କୁ ଭେଟିଥିଲେ। ଯାହା ପରେ ଶପଥ ଗ୍ରହଣ ତାରିଖ ସ୍ଥିର କରାଯାଇଥିଲା।

