ବିଜେପି, କଂଗ୍ରେସ… କାହାକୁ ହେବ ଫାଇଦା ଆଉ କିଏ ସହିବ କ୍ଷତି ?

1 min read
Punjab PM Narendra Modi Security Lapse Gave BJP Big Political Issues

ନୂଆଦିଲ୍ଲୀ: ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି । ଏୟାରପୋର୍ଟରୁ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କୁ ପିଏମ୍ ମୋଦିଙ୍କ କଟାକ୍ଷ ଧନ୍ୟବାଦ । ଏହାକୁ ନେଇ ଉଷ୍ମ ହେବାରେ ଲାଗିଛି ରାଜନୀତି । ପଞ୍ଜାବର ଫ୍ଲାଏ ଓଭରରୁ ଲାଗିଥିବା ନିଆଁରେ ଏବେ ଚାଲିଛି ରୁଟି ସେକା । ଆଉ ମାସକ ପରେ ପଞ୍ଜାବ ବିଧାନସଭା ନିର୍ବାଚନ ଥିବାବେଳେ ପିଏମଙ୍କ ଗସ୍ତ ବେଳେ ସୁରକ୍ଷାରେ ତ୍ରୁଟି କଂଗ୍ରେସ ସରକାରଙ୍କୁ କାଠଗଡ଼ାକୁ ଟାଣି ନେଇଛି । କଂଗ୍ରେସ ଓ ବିଜେପି ମଧ୍ୟରେ ତୁ ତୁ ମେଁ ମେଁ… ଲାଗି ରହିଛି । ଏବେ ପ୍ରଶ୍ନ ପିଏମଙ୍କ ସୁରକ୍ଷା ତ୍ରୁଟି କେଉଁ ଦଳ ଉପରେ ନିର୍ବାଚନରେ କେମିତି ପ୍ରଭାବ ପକାଇବ ?

Punjab PM Narendra Modi Security Lapse Gave BJP Big Political Issues

ପଞ୍ଜାବରେ କ୍ଷମତାରେ ଥିବା କଂଗ୍ରେସ, ବିଧାନସଭା ନିର୍ବାଚନର ମାତ୍ର ୬ ମାସ ପୂର୍ବରୁ ବ୍ଯାକଫୁଟକୁ ଚାଲି ଆସିଥିଲା । ଦଳୀୟ ହାଇକମାଣ୍ଡ ଓ ରାଜ୍ୟ ନେତୃତ୍ୱକୁ ନେଇ ଅସନ୍ତୁଷ୍ଟ କ୍ୟାପଟେନ୍ ଅମିରନ୍ଦର ସିଂହ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଗତ ସେପ୍ଟେମ୍ବରରେ । ଏହାପରେ କ୍ୟାପଟେନ୍ ନିଜ ଦଳ ଘୋଷଣା କରିବା ସହ ପଦ୍ମ ସହ ମେଣ୍ଟ ପାଇଁ ହାତ ମିଳାଇଥିଲେ । ଯାହା କଂଗ୍ରେସକୁ ବଡ଼ ଝଟକା ଦେଇଥିଲା ।

Punjab PM Narendra Modi Security Lapse Gave BJP Big Political Issues

ଆଉ ଏବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ବେଳେ ସୁରକ୍ଷାରେ ବିଭ୍ରାଟ ପଞ୍ଜାବର ଚନ୍ନି ସରକାରଙ୍କୁ ଦୋହଲାଇ ଦେଇଛି । ପିଏମଙ୍କ ସୁରକ୍ଷାରେ ଛିଦ୍ର ବିଜେପି ପାଇଁ ବୁଷ୍ଟର ଡୋଜ୍ ସାଜିଛି । ପଞ୍ଜାବର କଂଗ୍ରେସ ସରକାର ପ୍ରଧାନମନ୍ତ୍ରୀ ମୋଦିଙ୍କ ଜୀବନକୁ ବିପଦରେ ପକାଇଥିବା ନେଇ ଚିତ୍ରଣ କରୁଛି ବିଜେପି । ଅନ୍ୟପଟେ କଂଗ୍ରେସ ଦଳିତ କାର୍ଡ ଖେଳିବା ସହ ପିଏମଙ୍କ ସୁରକ୍ଷାରେ କୌଣସି ତ୍ରୁଟି ହୋଇନଥିବା କହୁଛନ୍ତି ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନି ।

Punjab PM Narendra Modi Security Lapse Gave BJP Big Political Issues

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ଯଦିଓ ପଞ୍ଜାବରେ ହୋଇଛି । ତଥାପି ଏହାକୁ ନେଇ ପ୍ରତିଟି ପ୍ରଦେଶ କମ୍ପୁଛି । ଲାଗୁଛି ଆଗକୁ ଥିବା ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ, ମଣିପୁର ନିର୍ବାଚନରେ ବିଜେପି ଏହାକୁ ନିର୍ବାଚନୀ ପ୍ରସଙ୍ଗ କରି ଫାଇଦା ଉଠାଇବାକୁ ପ୍ରୟାସ କରିବ । ନିର୍ବାଚନ ହେବାକୁ ଥିବା ପାଞ୍ଚ ରାଜ୍ୟ ମଧ୍ୟରୁ ପଞ୍ଜାବକୁ ଛାଡ଼ିଦେଲେ ସବୁଠି ଏବେ ବିଜେପି କ୍ଷମତାରେ ରହିଛି । ଆଉ ନିର୍ବାଚନ ବେଳେ ପିଏମଙ୍କ ସୁରକ୍ଷାରେ ତ୍ରୁଟି ବିଜେପିକୁ ବଡ଼ ରାଜନୈତିକ ଫାଇଦା ଦେଲା ଭଳି ଲାଗୁଛି ।

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ନେଇ କେବଳ ଯେ ବିଜେପି ପ୍ରଶ୍ନ ଉଠାଇଛି ତା’ନୁହେଁ । ସମ୍ବେଦନଶୀଳ ଘଟଣାରେ ସହାନୁଭୂତି ଦେଖାଇଛନ୍ତି ଅନ୍ୟ ରାଜନୈତିକ ଦଳ ଓ ନେତା । ବିଏସପି ମୁଖ୍ୟ ମାୟାବତୀଙ୍କ ଠାରୁ ଜେଡିଏସ୍ ମୁଖ୍ୟ ଏଚ.ଡି ଦେବଗୌଡ଼ା ସମସ୍ତେ ଚିନ୍ତାବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ସହ କୌଣସି ପରିସ୍ଥିତିରେ ଏଭଳି କରାଯିବା ଅନୁଚିତ୍ । ଗଣତନ୍ତ୍ରରେ ଏହା ଗ୍ରହଣୀୟ ନୁହେଁ କହିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ନେଇ ସମସ୍ତେ କଂଗ୍ରେସକୁ ସମାଲୋଚନା କରୁଥିବା ବେଳେ ଦଳ କହିଛି ବିଜେପି ରାଲିରେ ଲୋକ ନଥିଲେ । ଯେଉଁଥିପାଇଁ ରାଲିକୁ ବାତିଲ୍ କରି ସୁରକ୍ଷାକୁ ଏକ ବାହନା କରାଯାଉଛି । ଯାହାକୁ ନେଇ ବିଜେପି, କଂଗ୍ରେସ ଉପରେ ଆକ୍ରମଣ କରିବା ସହ ପଞ୍ଜାବରେ ରାଷ୍ଟ୍ରପତି ଶାସନ ଦାବି କରିଛି । ଆଗକୁ ନିର୍ବାଚନ ଥିବା ବେଳେ ପଞ୍ଜାବରେ ମୁଖ୍ୟତଃ କଂଗ୍ରେସ ଓ ଆପ୍ ମଧ୍ୟରେ ଲଢ଼େଇ ହେବ ବୋଲି କୁହାଯାଇଛି । ଏବେ ବିଜେପି ଓ କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ ମେଣ୍ଟ ଲଢ଼େଇକୁ ତ୍ରିକୋଣୀୟ କରିପାରେ ।

Leave a Reply