ବଡ଼ଦାଣ୍ଡରେ ବଡ଼ବଡୁଆ ଡାକ ପାଇଁ ପାଲଟିଛି ଜନସମୁଦ୍ର

ପୁରୀ: ରବିବାର ପବିତ୍ର ଦୀପାବଳି ଅମାବାସ୍ୟାରେ ଶ୍ରୀକ୍ଷେତ୍ରରେ ପୟାଶ୍ରାଦ୍ଧ ବା ବଡ଼ବଡୁଆ ଡାକ ପାଇଁ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ଜଗାଦର୍ଶନ ସହ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିର ନିକଟରେ କାଉଁରିଆ କାଠି ଜାଳୁଛନ୍ତି ଦର୍ଶନାର୍ଥୀ। ବଡ଼ବଡୁଆ ହୋ, ଅନ୍ଧାରେ ଆସି ଆଲୁଅରେ ଯାଅ, ଗଙ୍ଗା ଯା, ଗୟା ଯା, ଅଭଡ଼ା ଖାଇ ବାଇଶି ପାହାଚେ ଗଡଗଡଉ ଥାଅ । ଏହି ଡାକରେ ଗୁଞ୍ଜରିତ ହେଉଛି ସମଗ୍ର ଅଞ୍ଚଳ । ଆଶ୍ୱିନ କୃଷ୍ଣ ପ୍ରତିପଦା ଠାରୁ ପିତୃପକ୍ଷରେ ମର୍ତ୍ତ୍ୟଲୋକରୁ ଆସିଥିବା ପିତୃପୁରୁଷଙ୍କୁ ଆଜି ଦୀପାବଳିରେ ଆଲୋକର ମାର୍ଗ ଦେଖାଇ ମେଲାଣି ଦେବାର ବିଧି ରହିଛି । କାଉଁରିଆ କାଠି ଜାଳି ବଡ଼ବଡୁଆ ଡାକନ୍ତି ଶ୍ରଦ୍ଧାଳୁ । ଆଜି ଶ୍ରୀମନ୍ଦିର ନିକଟରେ କାଉଁରିଆ କାଠି ଜାଳୁଛନ୍ତି ଶ୍ରଦ୍ଧାଳୁ । ବିଧି ମୁତାବକ ଫଳ, ଫୁଲ, ଚନ୍ଦନ ଆଦି ଦ୍ରବ୍ୟରେ ପିତୃପୁରୁଷଙ୍କ ଉଦେଶ୍ୟରେ ଶ୍ରଦ୍ଧାଳୁ ମାନେ ଶ୍ରାଦ୍ଧ ଦାନ କରିଛନ୍ତି । ଉଦ୍ଦିଷ୍ଟ ସ୍ଥାନରେ ପୋଲିସ ଓ ଅଗ୍ନିଶମ ବାହିନୀ କଡା ସୁରକ୍ଷା ଏବଂ ବ୍ୟାରିକେଡ ମଧ୍ୟରେ କାଉଁରିଆ ଜାଳି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିଛନ୍ତି ଶ୍ରଦ୍ଧାଳୁ । ଜଗା ଦର୍ଶନ ସହ ପୟାଶ୍ରାଦ୍ଧ ପାଇଁ ଲୋକାରଣ୍ୟ ହୋଇଛି ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିର।