spot_img

Latest Posts

ଅସୁରକ୍ଷିତ ଧାର୍ମିକ କ୍ଷେତ୍ର ପୁରୀ: ସିରିଜ ଦୁର୍ଘଟଣା ପରେ ଚେତିଲା ପ୍ରଶାସନ

ଅସୁରକ୍ଷିତ ଧାର୍ମିକ କ୍ଷେତ୍ର ପୁରୀ । ଗହଳି ଭିତରେ ମାନୁ ନାହାନ୍ତି ଅମାନିଆ । ଦୁର୍ଘଟଣା ଯୋଗୁଁ ପ୍ରାଣ ହରାଉଛନ୍ତି ପର୍ଯ୍ୟଟକ । ବଳଗଣ୍ଡି ଛକରେ ସିରିଜ ଦୁର୍ଘଟଣା ପରେ ପଶିଲା ଚେତା । ଏଣିକି ଗହଳି ଛକରେ ସ୍ପିଡ୍ ବ୍ରେକର ସହ ରହିବ ସୁରକ୍ଷା ବ୍ୟବସ୍ଥା । ବଳଗଣ୍ଡି ପରେ ପ୍ରମୁଖ ସ୍ଥାନରେ ବୋଲେରୋ ଦୁର୍ଘଟଣାରେ ଜଣେ ୫ ବର୍ଷିୟ ଶ୍ରେୟାନ୍ସଙ୍କ ମୃତ୍ୟୁ ପରେ ବିଭିନ୍ନ ସ୍ଥାନରେ ଟ୍ରାଫିକ ପୋଷ୍ଟ ନିର୍ମାଣ କରିବାକୁ ଉଠିଛି ଦାବି । ପ୍ରମୁଖ ଛକ ଅଠରନଳା ଓ ବଡ଼ଶଙ୍ଖ ଭଳି ଜନଗହଳିପୂର୍ଣ୍ଣ ଛକ ମାନଙ୍କରେ ସ୍କୁଲ ଥିବା ଯୋଗୁଁ ଟ୍ରାଫିକ ପୋଷ୍ଟ କରିବାକୁ ଦାବି କରିଛନ୍ତି ବୁଦ୍ଧିଜୀବୀ ଓ ସ୍ଥାନୀୟ ବାସିନ୍ଦା । ଏହାସହ ଯେଉଁମାନେ ମଦ ପିଇ ଗାଡ଼ି ଚଳାଉଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଲୋକେ ଦାବି କରିଛନ୍ତି ।

ବଳଗଣ୍ଡି ଛକରେ ସିରିଜ ଦୁର୍ଘଟଣା ଘଟି ଜେଜେ ଆଗରେ ଚାଲିଗଲା ନାତିର ଜୀବନ । ଦୁର୍ଘଟଣା ପରେ ଟାୟାର ଜାଳି ଲୋକେ ରାସ୍ତା ଅବରୋଧ କରିବା ସହ ଉତ୍ତେଜନା ସୃଷ୍ଟି ହୋଇଥିଲା । ପୂର୍ବରୁ ବଳଗଣ୍ଡି ଛକରେ ଟ୍ରାଫିକ ପୋଷ୍ଟ ଥିଲା । ତେବେ ଏହାକୁ ପରବର୍ତ୍ତୀ ସମୟରେ ହଟାଇ ଦିଆଯାଇଛି । ତେବେ ଦୁର୍ଘଟଣା ରୋକିବା ତଥା ସହରରେ ଟ୍ରାଫିକ ସୁ ନିୟନ୍ତ୍ରିତ କରିବା ନେଇ ବିଚାର ବିମର୍ଶ କରାଯାଉଥିବା ବେଳେ ଖୁବଶୀଘ୍ର ଏହା ଉପରେ ପଦକ୍ଷେପ ନିଆଯିବ ବୋଲି ଏସପି ସୂଚନା ଦେଇଛନ୍ତି। ପର୍ଯ୍ୟଟନ ଓ ଧାର୍ମିକ ସହର ପୁରୀରେ ଦିନକୁ ଦିନ ଭିଡ଼ ବଢୁ ଥିବା ବେଳେ ଯାନବାହାନ ଚଳପ୍ରଚଳ ସଂଖ୍ୟା ବି ବୃଦ୍ଧି ପାଇଛି । ତେଣୁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବାକୁ ଉଠିଛି ଦାବି ।

Latest Posts

Don't Miss