ଶ୍ରୀଜଗନ୍ନାଥଙ୍କ ପାଇଁ ସବୁଧାମରୁ ଶ୍ରେଷ୍ଠ ପୁରୁଷୋତ୍ତମ

ପୁରୀ: ସନାତନ ଧର୍ମରେ ଭୁବନେଶ୍ବର ଚକ୍ରକ୍ଷେତ୍ର, କୋଣାର୍କ ପଦ୍ମକ୍ଷେତ୍ର, ଯାଜପୁରର ଗଦାକ୍ଷେତ୍ରଠାରୁ ଶଙ୍ଖକ୍ଷେତ୍ର ଶ୍ରୀକ୍ଷେତ୍ର ସବୁଠୁ ଶ୍ରେଷ୍ଠ | ଜଗତର ନାଥ ଶ୍ରୀଜଗନ୍ନାଥ ଏହି ଦିବ୍ୟଧାମରେ ମାନବୀୟ ଲୀଳାଖେଳା କରନ୍ତି । ଏ କ୍ଷେତ୍ରର ଶ୍ରେଷ୍ଠତ୍ୱ ସମ୍ପର୍କରେ ନୃସିଂହ ପୁରାଣରେ ବର୍ଣ୍ଣନା ରହିଛି । ମୁଖ୍ୟତଃ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପୁରୁଷ ଶ୍ରେଷ୍ଠ ବୋଲି ବେଦ ଉପନିଷଦରେ ବର୍ଣ୍ଣନା ରହିଥିବା ବେଳେ ଶ୍ରୀକ୍ଷେତ୍ରକୁ ସାକ୍ଷାତ ବୈକୁଣ୍ଠ ସ୍ବରୂପ କ୍ଷେତ୍ର ଶ୍ରୀପୁରୁଷୋତ୍ତମ ବୋଲି ଅଭିହିତ କରାଯାଇଛି । ଶ୍ରୀମନ୍ଦିର ପ୍ରତିଷ୍ଠା ପୂର୍ବରୁ ଶ୍ରୀକ୍ଷେତ୍ରର ଅଧିପତି ଥିଲେ ଶ୍ରୀପୁରୁଷୋତ୍ତମ । ବେଦ ପୂରାଣରେ ଶ୍ରୀଜଗନ୍ନାଥ ହେଉଛନ୍ତି ବ୍ରହ୍ମଦାରୁ | ଯାହାଙ୍କ ଇଙ୍ଗିତରେ ସଚରାଚର ବିଶ୍ବବ୍ରହ୍ମଣ୍ଡ ଆତଯାତ । ସେ ହସ୍ତପଦ ହୀନ ଦେବତା ହୋଇଥିଲେ ସୁଦ୍ଧା, ସର୍ବଦ୍ରଷ୍ଠା, ସର୍ବସ୍ରୋତା, ସର୍ବଜ୍ଞ ଓ ସର୍ବନ୍ତର୍ଯ୍ୟାମୀ ବ୍ରହ୍ମ ପୁରୁଷ । ତେଣୁ ସେ ପୁରୁଷୋତ୍ତମ ହୋଇଥିବାର ଶ୍ରୀକ୍ଷେତ୍ରର ଅନ୍ୟନାମ ପୁରୁଷୋତ୍ତମ କ୍ଷେତ୍ର ।

ଶଙ୍ଖତୁଲ୍ୟ ଶଙ୍ଖକ୍ଷେତ୍ରର ପଶ୍ଚିମ ସୀମାନ୍ତରେ ଶ୍ରୀଲୋକନାଥ, ପୂର୍ବ ସୀମାନ୍ତରେ ଶ୍ରୀବେଲେଶ୍ୱର ମହାଦେବ, ମଧ୍ୟ ଭାଗରେ ମାଉସୀ ମା’ ଏବଂ କେନ୍ଦ୍ର ସ୍ଥଳରେ ରୋହିଣୀ କୁଣ୍ଡ ଓ କଳ୍ପବୃକ୍ଷ ବିରାଜମାନ । ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶଙ୍ଖର ନାଭିପ୍ରଦେଶରେ ଭକ୍ତଙ୍କୁ ହାତଠାରି ଡାକୁଥିବା ପ୍ରତୀୟମାନ । ତେଣୁ ଯୁଗେ ଯୁଗେ ଶ୍ରୀକ୍ଷେତ୍ର ବହୁ ସାଧୁ ସନ୍ଥ ମୁନି ଋଷି ଓ ଯୋଗୀ ଶ୍ରେଷ୍ଠଙ୍କୁ ଆକର୍ଷିତ କରିବାକୁ ସକ୍ଷମ ହୋଇଛି । ଏହି ଠାରେ ହିଁ ସିଦ୍ଧ ଆଉ ବୁଦ୍ଧଙ୍କ ମିଳନ ଭୂମି । ଏହି ପବିତ୍ର ଧାମରେ ଅଦୈତବାଦୀ ଶଙ୍କରାଚାର୍ଯ୍ୟ, ଶ୍ରୀଚୈତନ୍ୟ, ସନ୍ଥ ନାନକ, ଭକ୍ତ ସାଲବେଗ, ସଦଗୁରୁ ନିଗମାନନ୍ଦ, ସନ୍ଥ ତୁଳସୀଦାସ, ଭକ୍ତ କବି ଜୟଦେବଙ୍କ ପରି ବହୁ ଅଲୌକିକ ସାଧୁସନ୍ଥ ଅବସ୍ଥାନ ପୂର୍ବକ ସାଧନ ଭଜନ କରି ବିଶ୍ବବିଖ୍ୟାତ ହୋଇପାରିଛନ୍ତି ।

ପୁରୁଷୋତ୍ତମ କ୍ଷେତ୍ରର ମନୋରମ, ପବିତ୍ର ବାତାବରଣ ଭକ୍ତ ଓ ଭଗବାନଙ୍କୁ ଏକାକାର କରିବାର ମହାନ ପୀଠ ହୋଇଥିବା ବେଳେ ବିଶ୍ୱର ଯେକୌଣସି ଧାର୍ମିକସ୍ଥଳୀଠାରୁ ପରମ ପାବନ ଆଉ ଶ୍ରେଷ୍ଠ ବୋଲି ବିବେଚନା କରାଯାଏ ।