ଦୀର୍ଘ ୯ ମାସ ପରେ ଦର୍ଶନ ଦେବେ କାଳିଆ ସାଆନ୍ତ, ପ୍ରଥମ ଦୁଇଦିନ ଦର୍ଶନ କରିବେ ସେବାୟତଙ୍କ ପରିବାର

ପୁରୀ: ଆସନ୍ତା ୨୩ ତାରିଖରୁ ଶ୍ରୀମନ୍ଦିର ଖୋଲିବ, ମିଳିବ ଜଗା ଦର୍ଶନ । ପୁରୀ ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି । ପୂର୍ବରୁ ଛତିଶା ନିଯୋଗ ଓ ଶ୍ରୀମନ୍ଦିର ପ୍ରଶାସନ ୨୩ ତାରିଖରେ ଶ୍ରୀମନ୍ଦିର ଖୋଲିବା ପାଇଁ ରାଜ୍ୟ ସରକାରଙ୍କୁ ସୁପାରିଶ କରିଥଲେ । ଶ୍ରୀମନ୍ଦିର ସମେତ ରାଜ୍ୟର ବିଭିନ୍ନ ଧର୍ମାନୁଷ୍ଠାନ ଖୋଲିବା ନିଷ୍ପତ୍ତି ସରକାର ଜିଲ୍ଲା ପ୍ରଶାସନ ଉପରେ ଛାଡ଼ିଥିଲେ ।

୨୩ରୁ ଶ୍ରୀମନ୍ଦିର ଖୋଲିବା ପରେ ପ୍ରଥମ ଦୁଇଦିନ ସେବାୟତଙ୍କ ପରିବାର ଦର୍ଶନ କରିବାର ସୁଯୋଗ ପାଇବେ । ଦୁଇଦିନ ପରେ ପୁରୀ ସହରବାସୀଙ୍କ ପାଇଁ ଦର୍ଶନ ସୁବିଧା ମିଳିବ । ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ବିଭିନ୍ନ ୱାର୍ଡ ବାସିନ୍ଦାଙ୍କୁ ପର୍ଯ୍ୟାୟକ୍ରମେ ଅନୁମତି ପ୍ରଦାନ କରାଯିବ । ପରବର୍ତ୍ତୀ ସମୟରେ ସମସ୍ତଙ୍କ ପାଇଁ ଦର୍ଶନ ବ୍ୟବସ୍ଥା କରାଯିବ ।

କୋଭିଡ ଗାଇଡ଼ ଲାଇନ ପାଳନ ପୂର୍ବକ ସାମାଜିକ ଦୂରତ୍ୱ ରକ୍ଷା ଓ ସାନିଟାଇଜ କରି ଶୃଙ୍ଖଳିତ ଭାବେ ଲାଇନରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା କରାଯିବ । ଶ୍ରୀମନ୍ଦିର ସମେତ ପୁରୀ ଜିଲ୍ଲାର ସବୁ ଧର୍ମାନୁଷ୍ଠାନ ଆସନ୍ତା ୨୩ ତାରିଖରୁ ଖୋଲାଯିବ । ସ୍ଥାନୀୟ ତହସିଲଦାର, ଥାନା ଓ ଅନ୍ୟ ଅଧିକାରୀ, ମନ୍ଦିର କମିଟି, ପଞ୍ଚାୟତ ପ୍ରତିନିଧି ଆଲୋଚନା କରି ଧର୍ମାନୁଷ୍ଠାନ ଖୋଲିବା ବ୍ୟବସ୍ଥା କରିବେ  ।

Leave a Reply