କାଳିଆ ଦର୍ଶନରୁ ବଞ୍ଚିତ ହେଉଛନ୍ତି ପୁରୀବାସୀ । ପର୍ବବର୍ବାଣିରେ ଭିଡ଼ ଯୋଗୁଁ ଲାଗୁଛି କଟକଣା । ମହାପ୍ରଭୁଙ୍କ ଦର୍ଶନ ଓ ମହାପ୍ରସାଦ ପାଇବାରେ ହେଉଛି ସମସ୍ୟା । କୁହୁଳୁଛି ଜନ ଅସନ୍ତୋଷ । ପୁଣି ୨୦୧୮ ଦଙ୍ଗା ସ୍ଥିତି ସୃଷ୍ଟିହେବା ଆଶଂକା । ବର୍ଷକ ୩୬୫ ଦିନ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଜମୁଛି ଗହଳି । ଭିଡ଼ ନିୟନ୍ତ୍ରଣ ପାଇଁ ପ୍ରଶାସନ ପକ୍ଷରୁ ଲାଗୁଛି କଟକଣା । ଏହି କଟକଣା ଭିତରେ ସମସ୍ଯା ଭୋଗୁଛନ୍ତି ପୁରୀବାସୀ । ପୂର୍ବରୁ ଆଧାର ପରିଚୟ ପତ୍ର ଦେଖାଇ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ଦିଆଯାଇଥିଲା । ହେଲେ ବର୍ତ୍ତମାନ ସେହି ସୁବିଧା ନାହିଁ । ଫଳରେ ମହାପ୍ରଭୁଙ୍କ ଦର୍ଶନ ଓ ମହାପ୍ରସାଦ ପାଇବାରେ ସ୍ଥାନୀୟ ଲୋକଙ୍କ ସମସ୍ୟା ଭୋଗିବାକୁ ପଡୁଛି । ଏନେଇ ପୁରୀବାସୀ କ୍ଷୋଭ ପ୍ରକାଶ କରିଥିବାବେଳେ ତୁରନ୍ତ ସ୍ଥାୟୀ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ।
ସନାତନ ଧର୍ମ ଆସ୍ତା ଓ ବିଶ୍ୱାସର କେନ୍ଦ୍ର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସକାଳ ମଙ୍ଗଳ ଆଳତି ଠାରୁ ପହୁଡ଼ ନୀତି ପର୍ଯ୍ୟନ୍ତ ଦର୍ଶନ କରିବା ନେଇ ଅନେକ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଇଚ୍ଛା ରହିଥିବା ସତ୍ତ୍ବ ପ୍ରଶାସନର କଟକଣା ଏଥିରେ ବାଧକ ସାଜୁଛି l ଏହାର ପ୍ରତିକାର କରିବାକୁ ଶ୍ରୀମନ୍ଦିର ସେବାୟତ ସଙ୍ଘ ପକ୍ଷରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ସେପଟେ ଶ୍ରୀମନ୍ଦିର ସେବାୟତ ଦାବି ପତ୍ର ମାଧ୍ୟମରେ ସରକାରଙ୍କୁ ଜଣାଇଛନ୍ତି l ଅନ୍ୟପକ୍ଷରେ ସେବାୟତଙ୍କ ଦାବି ଉପରେ ବିହିତ ପଦକ୍ଷେପ ଜଣାଇବାକୁ ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଛନ୍ତି l ପୁରୀବାସୀଙ୍କ ପାଇଁ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା ସୁବିଧା ନେଇ ଶ୍ରୀମନ୍ଦିର ପ୍ରବେଶ ଅଭିଯାନ ମଞ୍ଚ ଗଠନ ହୋଇଥିବାବେଳେ ଆସନ୍ତା ବୁଧବାର ଅଭିଯାନ ମଞ୍ଚର ଜନ ଆନ୍ଦୋଳନ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ କରାଯିବ l

