ଗଜପତି ମହାରାଜଙ୍କୁ ଦିଆଗଲା ଶ୍ରୀଜିଉ ସୁସ୍ଥ ହେବା ଖବର

ପୁରୀ: ମହାପ୍ରଭୁ ସୁସ୍ଥ ହେବା ସମ୍ପର୍କରେ ଗଜପତି ମହାରାଜାଙ୍କୁ ଅବଗତ କରାଯାଇଛି । ସମ୍ପନ୍ନ ହୋଇଛି ରାଜପ୍ରସାଦ ବିଜେନୀତି । ମହାରାଜାଙ୍କୁ ଦଇତାପତି ସେବାୟତମାନେ ଶ୍ରୀଜିଉଙ୍କ ସୁସ୍ଥ ହେବା ଶୁଭ ଖବର ଜଣାଇବା ସହିତ ଅଣସର ପ୍ରସାଦ ଭେଟି ଦେଇଛନ୍ତି । ସେପଟେ ରଥଯାତ୍ରା ପାଇଁ ପୋଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ରଥଖଳାରେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି ରଥ ନିର୍ମାଣ ।

ସ୍ନାନଯାତ୍ରାରେ ୧୦୮ କଳସୀ ଜଳରେ ସ୍ନାନ କରି ଜ୍ବରରେ ପଡ଼ିଥିଲେ ମହାବାହୁ । ଅଣସର ଘରେ ଚାଲିଥିଲା ଗୁପ୍ତସେବା । ଶ୍ରୀଜିଉ ସୁସ୍ଥ ହେବା ଖବର ଗଜପତିଙ୍କୁ ଜଣାଇବା ସହିତ ସେବାୟତମାନେ ଶ୍ରୀଚନ୍ଦନ, କରାଳ, ପାଟବସ୍ତ୍ର ଆଦି ରୁପା ଥାଳି ନେଇ ଗଜପତିଙ୍କୁ ଭେଟି ଦେଇଛନ୍ତି । ଏହି ଅବସରରେ ରଥଯାତ୍ରା ନେଇ ଆଲୋଚନା ହୋଇଛି ।

ଏପଟେ ରଥଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ବ ଦିଆଯାଇଛି । ରଥଯାତ୍ରା ସମୟରେ ପୁରୀରେ ୧୮୦ ପ୍ଲାଟୁନ ପୋଲିସ ମୁତୟନ ସହ ଶ୍ରୀମନ୍ଦିର, ଶ୍ରୀଗୁଣ୍ଡିଚା ମନ୍ଦିର ଓ ବଡ଼ଦାଣ୍ଡର ବିଭିନ୍ନ ସ୍ଥାନରେ ଲଗାଯାଉଛି ୫୦ରୁ ଅଧିକ ସିସି କ୍ୟାମେରା । ଭିଡ଼ ନିୟନ୍ତ୍ରଣ, ଆମ୍ବୁଲାନ୍ସ ଓ ଜରୁରିକାଳୀନ ପରିସ୍ଥିତି ପାଇଁ ଗ୍ରୀନ୍ କରିଡର କରାଯିବ । ସେପଟେ ରଥଖଳାରେ ତିନିରଥର ନିର୍ମାଣ ପ୍ରାୟ 90 ପ୍ରତିଶତ ଶେଷ ହୋଇଛି । ରଥରେ ଠେକେରା ବାଡ଼ ବାଡିଆ ହୋଇଛି । ଚିତ୍ରକର ସେବକମାନେ ଶେଷ ସ୍ପର୍ଶ ଦେଉଛନ୍ତି ।