ବାହାଘର ପାଇଁ ସ୍ୱପ୍ନ ଦେଖାଇଲା: ପରିତ୍ୟକ୍ତ ମିଲ୍ ପରିସରକୁ ଡାକି ସ୍ପିରିଟ୍ ଢାଳି ଜାଳିଦେଲା ପ୍ରେମିକ

ବ୍ରହ୍ମପୁର: ପ୍ରେମିକାଙ୍କୁ ଜାଳିଦେଲା ପ୍ରେମିକ । ବିଶ୍ୱାସ ସହ ଖେଳ, ଜୀବନ ନେବାକୁ ସାଥୀ କରିଥିଲା ସାଂଘାତିକ ଷଡ଼ଯନ୍ତ୍ର । ମୃତ୍ୟୁ ପୂର୍ବରୁ ଏମିତି ଛାତିଥରା କାହାଣୀ କହିଛନ୍ତି ଶୁଭସ୍ମିତା । ୨୦୧୫ରୁ ଆରମ୍ଭ ହୋଇଥିଲା ପ୍ରେମ । ବିବାହ ପାଇଁ ଚାହୁଁଥିଲେ ଶୁଭସ୍ମିତା ଖାଡଙ୍ଗା। ସେପଟେ ପ୍ରେମିକ କୃଷ୍ଣ ସାହୁଙ୍କର ବିବାହ ମାମୁଁ ଝିଅଙ୍କ ସହ ଠିକ୍‌ ହୋଇଥିଲା । ତଥାପି ପ୍ରେମ ପାଇଁ ବାପା, ମାଆଙ୍କୁ ଛାଡ଼ି ଆସିବେ ବୋଲି କହି ଶୁଭସ୍ମିତାଙ୍କ ମନରେ ବିଶ୍ୱାସ ଜନ୍ମାଇଥିଲେ କୃଷ୍ଣ । ହେଲେ କିଏ ଜାଣିଥିଲା ମିଠା କଥା ପଛରେ ଲୁଚିଥିଲା ସାଂଘାତିକ ଷଡ଼ଯନ୍ତ୍ର । ଗଞ୍ଜାମ ପୁରୁଷୋତ୍ତମପୁର ଥାନା ପ୍ରତାପପୁରର ଏକ ପରିତ୍ୟକ୍ତ ମିଲ୍ ପରିସରକୁ ଡାକି ଶୁଭସ୍ମିତାଙ୍କ ଉପରେ ସ୍ପିରିଟ୍‌ ଢାଳି ନିଆଁ ଲଗାଇ ଦେଇଥିଲା। ପୋଡି ଯାଇଥିଲା ଦେହ, ଜଳିଯାଇଥିଲା ସବୁ ସ୍ୱପ୍ନ । ବ୍ରହ୍ମପୁର ଏମକେସିଜିରେ ଚିକିତ୍ସାଧୀନ ଅବସ୍ଥାରେ ଯୁବତୀଙ୍କ ମୃତ୍ୟୁ ହୋଇଛି । ଅଭିଯୁକ୍ତ ପ୍ରେମିକ କୃଷ୍ଣ ସାହୁକୁ ଗିରଫ କରାଯାଇଛି । ୨୦୧୫ରେ ବ୍ରହ୍ମପୁରରେ ପଢୁଥିବା ବେଳେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ହୋଇଥିଲା । ଶୁଭସ୍ମିତା ଗଞ୍ଜାମ ମୁଜାଗଡ଼ ପିଏଚସିରେ ପାଥୋଲୋଜି ଟେକ୍ନିସିଆନ୍‌ ଭାବେ କାମ କରୁଥିଲେ । ମୃତ୍ୟୁ ପୂର୍ବରୁ ଶୁଭସ୍ମିତାଙ୍କ ମୃତ୍ୟକାଳୀନ ଜମାନବନ୍ଦୀ ରେକର୍ଡ ହୋଇଛି । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍‌ ଛାନବିନ୍ କରିଛି ।

ଏଥିସହିତ ପଢ଼ନ୍ତୁ: ରାଜଧାନୀରୁ ଧରାପଡ଼ିଲେ ହାଇ ପ୍ରୋଫାଇଲ ଚୋରଣୀ: ଦିଲ୍ଲୀରୁ ଲୁଟିଥିଲେ କୋଟିଏ ଟଙ୍କାର ହୀରା ଓ ସୁନା

 

Leave a Reply