ଦବଦବା ଦେଖାଇଲେ ଜିନପିଙ୍ଗ : ଇତିହାସରେ ଚୀନ ପ୍ରଥମ ଥର ଲାଗି କଲା ସର୍ବବୃହତ ସାମରିକ ପରେଡ

ନନ୍ଦିଘୋଷ ବ୍ୟୁରୋ : ଇତିହାସରେ ଚୀନ ପ୍ରଥମ ଥର ଲାଗି କଲା ସର୍ବବୃହତ ସାମରିକ ପରେଡ । ସାରା ବିଶ୍ବକୁ ଚୀନ ଦେଖାଇଲା ଦବଦବା । ପରେଡରେ ପ୍ରଦର୍ଶିତ ହୋଇଛି ଅଧିକାଂଶ ଶକ୍ତିଶାଳୀ ଅସ୍ତ୍ର । ଏହା ସହ ରାଷ୍ଟ୍ରପତି ସି ଜିନପିଙ୍ଗ ନିଜକୁ ଜଣେ ଶକ୍ତିଶାଳୀ ଶାସକ ଭାବେ ନିଜକୁ ଉପସ୍ଥାପିତ କରିଛନ୍ତି । ଜାପାନର ପରାସ୍ତ ସହ ଦ୍ବିତୀୟ ବିଶ୍ବଯୁଦ୍ଧ ଅନ୍ତ ହେବାର ୮୦ତମ ବାର୍ଷିକୀ ଅବସରରେ ଚୀନ ରାଷ୍ଟ୍ରପତି ଦେଖାଇଛନ୍ତି ଶକ୍ତି ।
କେବଳ ଏତିକି ନୁହେଁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ଉତ୍ତରକୋରିଆ ନେତା କିମ ଜୋଙ୍ଗ ଉନଙ୍କ ଗହଣରେ କରିଛନ୍ତି ସାମରିକ ପରେଡ । ୟୁକ୍ରେନ ସହ ଯୁଦ୍ଧ ଚାଲିଥିବାବେଳେ ପୁଟିନଙ୍କ ଯୋଗଦାନ ଏବଂ ଉତ୍ତରକୋରିଆର ଆଣବିକ କାର୍ଯ୍ୟକ୍ରମ ମଧ୍ୟରେ କିମଙ୍କ ଯୋଗଦାନ ଏକ ନୂଆ ବାର୍ତ୍ତା ପ୍ରଦାନ କରିଛି । ଏହି ପରେଡରେ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋ ସୁବିୟାନ୍ତୋଙ୍କ ଯୋଗଦାନ ବି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ୨ ତାରିଖରେ ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ପାକିସ୍ତାନ ସେନାମୁଖ୍ଯ ଅସିମ ମୁନୀର ସାକ୍ଷାତ କରିଥିବାବେଳେ ସାମରିକ ପରେଡରେ ବହୁ ନେତାଙ୍କ ଯୋଗଦାନ କମ୍ପନ ସୃଷ୍ଟି କରିଛି।
ଏହି ପରେଡ ତିଆନମେନ ସ୍କୋୟାରରେ ହୋଇଥିବାବେଳେ ହଜାର ହଜାର ଦର୍ଶକ ଏହାକୁ ଉପଭୋଗ କରିଛନ୍ତି । ଏଥିରେ ହାଇପରସୋନିକ ମିସାଇଲ, ମାନବବିହୀନ ଡ୍ରୋନ, କମାଣ ଆଦି ପ୍ରଦର୍ଶିତ ହୋଇଛି । ଚୀନର ସାମରିକ ପ୍ରଦର୍ଶନରେ ସାମିଲ ହେବା କ୍ଷେତ୍ରରେ କିମ ଜୋଙ୍ଗ ଉନ ହେଉଛନ୍ତି ପ୍ରଥମ ଉତ୍ତରକୋରିଆ ରାଷ୍ଟ୍ରପତି ।