ଭକ୍ତଙ୍କ ନୂଆ ଟିମକୁ ନେଇ ଉଠିଲା ପ୍ରଶ୍ନ, ଅସନ୍ତୋଷ ଜାହିର କଲେଣି ନେତା !

ନନ୍ଦିଘୋଷ ବ୍ୟୁରୋ: ନୂଆ ଟିମ୍, ନୂଆ ଯୋଶ । ହେଲେ ଟିମ୍ରେ ବରିଷ୍ଠଙ୍କ ସଂଖ୍ୟା କମ୍ । ପିସିସି ସଭାପତି ଭକ୍ତ ଦାସଙ୍କ ନୂଆ ବ୍ରିଗେଡ଼କୁ ନେଇ ବରିଷ୍ଠ ନେତାଏ ଖୁସି ନଥିଲା ଭଳି ଲାଗୁଛି । ନିଜ ପସନ୍ଦର କର୍ମୀଙ୍କୁ ଟିମରେ ସାମିଲ କରି ବଡ଼ ଚେହେରାଙ୍କୁ ଅଣଦେଖା କରାଯାଇଛି କି ? ସିଧାସଳଖ ନ ହେଲେ ବି କମିଟିର କାୟାକଳ୍ପକୁ ନେଇ କଂଗ୍ରେସ କିଛି ବରିଷ୍ଠ ନେତା ଏପରି ତେରଛା ବାଣ ମାରିବାକୁ ପଛାଇ ନାହାନ୍ତି । ସେପଟେ ଦଳର ସଂଗଠନ ମଜବୁତ କରିବାକୁ ହେଲେ ବରିଷ୍ଠଙ୍କ ଅଭିଜ୍ଞତା ଆବଶ୍ୟକ ବୋଲି କହିଛନ୍ତି ସାଧାରଣ ସମ୍ପାଦକ ।
ଭକ୍ତଙ୍କ ନୂଆ ଟିମରେ ମୋକିମ ଓ ସୋଫିଆ ହୋଇଛନ୍ତି କି କୋଣଠେସା । ବରିଷ୍ଠଙ୍କୁ ମାନିବେ ତ ଯୁବକ ? ଏମିତିରେ ପିସିସି ଗାଡ଼ି ଗଡ଼ିବ ନା ଫେରିବ ଦଳୀୟ କନ୍ଦଳ ? ଗତକାଲି ପିସିସି ସଭାପତିଙ୍କ ନୂଆ ଟିମ୍କୁ ନେଇ ଏବେ ଏମିତି ମାଳ ମାଳ ପ୍ରଶ୍ନ ଉଠିବାରେ ଲାଗିଛି । ଖୋଲାଖୋଲି ବିଦ୍ରୋହ ନକଲେ ବି ବୁଲେଇ ବାଙ୍କେଇ ନିଜ ଅସନ୍ତୋଷ ଜାହିର କଲେଣି ନେତା । ସିଧାସିଧା ନ କହି ତେରଛା ବାଣ ମାରିଛନ୍ତି ବରିଷ୍ଠ ନେତା । କହିଲେଣି କେଉଁ ପରିସ୍ଥିତିରେ ଏପରି ଟିମ୍ କରାଗଲା ତାହା କେବଳ ସଭାପତି ଜାଣିଥିବେ । ଯାହାର ଟିମ୍ ସେ ହିଁ ଉତ୍ତରଦାୟୀ ରହିବ ।
ଅନ୍ୟପଟେ ପଦ ପାଇଥିବା ନେତାଙ୍କ କହିବା କଥା ପୂର୍ବରୁ ପିସିସି ସଭାପତି ଦୌଡ଼ରେ ଥିବା ମହମ୍ମଦ ମୋକିମଙ୍କୁ ପଦ ମିଳିନି । ହେଲେ ମୋକିମଙ୍କ ନେତୃତ୍ବକୁ ନେଇ କେହି ପ୍ରଶ୍ନ କରି ପାରିବେ ନାହିଁ । ଯେଉଁଠି ଅଧିକାଂଶ ବିଧାୟକଙ୍କୁ ଭକ୍ତଙ୍କ ଟିମରେ ସ୍ଥାନ ମିଳିଛି ସେଠାରେ କଂଗ୍ରେସର ଏକମାତ୍ର ମହିଳା ବିଧାୟକ ତଥା ମୋକିମଙ୍କ ଝିଅ ସୋଫିଆ ଫିର୍ଦ୍ଦୋସଙ୍କୁ କୌଣସି ପଦ ମିଳିନି । ଏହାର ଅର୍ଥ ନୁହେଁ ଯେ କଟକବାସୀଙ୍କ ପାଇଁ କାମ କରିବେନି । ଭକ୍ତ ଦାସ ପିସିସି ସଭାପତି ହେବା ମାତ୍ରେ ନେତାଙ୍କ ନିଲମ୍ବନ ଓ ବହିଷ୍କାର ପ୍ରତ୍ୟାହର କରିଥିଲେ । ଏହି ତାଲିକାରେ ଥିବା ମାନସ ଚୌଧୁରୀ ଓ ସୁର ରାଉତରାୟଙ୍କୁ ବି କୌଣସି ପଦ ମିଳିନି । ଖୋଲାଖୋଲି ଭାବେ ସୁର କହିଲେଣି ବରିଷ୍ଠଙ୍କ କଥା ମାନ, ଟଙ୍କା ଖର୍ଚ୍ଚ କର ନ ହେଲେ ବୁଡ଼ିଯିବ କଂଗ୍ରେସ ।
ଦଳରେ ବରିଷ୍ଠଙ୍କ ଆବଶ୍ୟକତା ରହିଛି । ଖୋଦ ଏହି କଥାକୁ ସ୍ବୀକାର କରିଛନ୍ତି ଦଳର ସାଧାରଣ ସମ୍ପାଦକ ତଥା ବିଧାୟକ ମଙ୍ଗୁ ଖିଲ । ଯୁବ ଚେହେରା ଦଳର ସଂଗଠନକୁ ମଜବୁତ କରିବାକୁ ଅଞ୍ଚଳ ବୁଲିବେ । ଲୋକଙ୍କ ପାଖକୁ ଯିବେ । ପଲ୍ଲୀରୁ ଦିଲ୍ଲୀ ଯାଏଁ ସ୍ବର ଶାଣିତ କରିବେ । ହେଲେ ବରିଷ୍ଠଙ୍କ ଅନୁଭୁତି ଯୁବ ନେତାଙ୍କୁ ଅଧିକ ବଳ ଦେବ । ଏକଥାକୁ ଭୁଲିବା ଠିକ୍ ହେବନି । ଆଗକୁ ବରିଷ୍ଠଙ୍କୁ ଅଧିକ ଦାୟିତ୍ବ ମିଳିବା ନେଇ ଯୁବନେତା ଆଶାବାଦୀ । ଗତକାଲି ଏଆଇସିସି ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ୭ ଉପ ସଭାପତି, ୧୦ ସାଧାରଣ ସମ୍ପାଦକ, ୧୨ ସମ୍ପାଦକଙ୍କ ଭିତରୁ ଅଧିକାଂଶ ଯୁବ ଚେହେରା ଅଛନ୍ତି ।