ଅବସରର ଦୁଇଦିନ ପରେ ପୁନଃ ନିଯୁକ୍ତି: ବିରୋଧୀରେ ଥିବା ବେଳେ ଗୋଟିଏ କଥା, ସରକାରକୁ ଆସି ବଦଳି ଗଲା ସ୍ବର
1 min read
ନନ୍ଦିଘୋଷ ବ୍ୟୁରୋ: ସରକାରଙ୍କ କଥା ଓ କାମରେ ଅନେକ ଫରକ । ବିରୋଧି ଦଳରେ ଥିବା ବେଳେ ଅବସର ନିଯୁକ୍ତିକୁ ବିରୋଧ କରୁଥିଲେ । କ୍ଷମତାକୁ ଆସିବା ପରେ ଏହା ନୀତିରେ ପରିଣତ ହୋଇଗଲାଣି । ଏପରିକି ଅବସର ପରେ ନିଯୁକ୍ତିକୁ ନେଇ ସରକାର କରିଥିବା ଗାଇଡ଼ଲାଇନ ମଧ୍ୟ ପାଳନ ହେଉନାହିଁ । ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ପଦରେ ଅବସର ନେବାର ଦୁଇଦିନ ପରେ ପୁନଃ-ନିଯୁକ୍ତିକୁ ନେଇ ନୂଆ ବିବାଦ ଆରମ୍ଭ ହୋଇଛି । ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିଛି ଇଞ୍ଜିନିୟରିଂ ସେବା ସଂଘ । ସର୍ବୋଚ୍ଚ ଯନ୍ତ୍ରୀ ପାହ୍ୟା ଅଧିକାରୀ ଥିବା ବେଳେ କେଉଁ କାରଣରୁ ଏବଂ କାହା ସ୍ବାର୍ଥରେ ଏଭଳି ନିଯୁକ୍ତି ହୋଇଛି ତାକୁ ନେଇ ପ୍ରଶ୍ନ ଉଠିଛି ।
ଅବସରପ୍ରାପ୍ତ ଅଧିକାରୀଙ୍କୁ ପୁଣି ଥରେ ନିଯୁକ୍ତି ଦେଉଛନ୍ତି ସରକାର । ଖୋଦ ସରକାରୀ ବିଭାଗ ମାନୁନି ସରକାରଙ୍କ ନିୟମ । ଯାହା ବିରୋଧରେ ଦୁର୍ନୀତି ଅଭିଯୋଗ ଅଛି । ଯିଏ ଭିଜିଲାନ୍ସ ସ୍କାନରରେ । ସେଭଳିଆ ଅଧିକାରୀକୁ କିପରି ଅବସର ପରେ ଦିଆଗଲା ପୁନଃ-ନିଯୁକ୍ତି ? ଏ ନେଇ ଉଠିଛି ପ୍ରଶ୍ନ । ଏଭଳି ଅବସ୍ଥା ଦେଖିବାକୁ ମିଳିଛି ଖୋଦ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ଜଳ ସମ୍ପଦ ବିଭାଗରେ । ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀଙ୍କ ପୁନଃ-ନିଯୁକ୍ତିକୁ ନେଇ ଆରମ୍ଭ ହୋଇଛି ନୂଆ ବିବାଦ । ମୁଖ୍ୟମନ୍ତ୍ରୀଙ୍କୁ ଖୋଲି ଚିଠି ଲେଖି ଅଭିଯୋଗ କରିଛି ଇଞ୍ଜିନିୟରିଂ ସେବା ସଂଘ । ଜୁନ୍ ୩୦ ତାରିଖରେ ସର୍ବୋଚ୍ଚ ଯନ୍ତ୍ରୀ ପଦରୁ ଅବସର ନେଲେ ଚନ୍ଦ୍ରଶେଖର ପାଢ଼ୀ । ନିୟମିତ ପଦବୀରେ ପୁନଃ ନିଯୁକ୍ତି ପାଇଁ କଟକଣା ଥିବା ସତ୍ତ୍ବେ ଅବସର ପରେ ଗତ ୩ ତାରିଖରେ ପାଢୀଙ୍କୁ ୬ ମାସ ପାଇଁ ମିଳିଛି ଓଏସଡି ସହିତ ଇଆଇସି ଦାୟିତ୍ବ । ଏଭଳି ଥଇଥାନ ଦ୍ବାରା ଗତ ସେପ୍ଟେମ୍ବରରେ ଅବସରପ୍ରାପ୍ତଙ୍କୁ ପୁନଃ ନିଯୁକ୍ତି ନେଇ ସରକାର ନିଜେ କରିଥିବ ନିୟମର ଉଲଂଘନ ହୋଇଥିବା ଅଭିଯୋଗ ହୋଇଛି । ନିଜ କାର୍ଯ୍ୟକାଳ ମଧ୍ୟରେ କିଛି ଆଖିଦୃଶିଆ କାମ କରିନାହାନ୍ତି ଇଆଇସି ଚନ୍ଦ୍ର ଶେଖର ପାଢ଼ୀ । ଓଲଟି ଅନେକ ଦୁର୍ନୀତି ଅଭିଯୋଗରେ ଛନ୍ଦି ହୋଇଛନ୍ତି । ଅବସର ପରେ ଅଧିକାରୀଙ୍କୁ ନିଯୁକ୍ତ କରି ଯୋଗ୍ୟ ଅଧିକାରୀଙ୍କୁ ବଞ୍ଚିତ କରାଯାଇଛି । ଏହା ଭୁଲ୍ ପରମ୍ପରା ବୋଲି ଇଞ୍ଜିନିୟରିଂ ସଂଘ ଅଭିଯୋଗ କରିଛି ।
ବିରୋଧୀ ଦଳରେ ଥିବା ବେଳେ ଅବସର ପୁନଃ-ନିଯୁକ୍ତିକୁ ଜୋରଦାର ବିରୋଧ କରୁଥିଲା ବିଜେପି । ଏବେ ସରକାରକୁ ଆସିବା ପରେ ନୀତିରେ ପରିଣତ କରି ସାରିଲେଣି ସରକାର । ଅବସରପ୍ରାପ୍ତ ଅଧିକାରୀଙ୍କୁ ନିଯୁକ୍ତ ପାଇଁ ସରକାର ଗତ ସେପ୍ଟେମ୍ବର ମାସରେ ବିସ୍ତୃତ ଗାଇଡ଼ଲାଇନ କରିଥିଲେ । ଯେଉଁଥିରେ ଅବସରଙ୍କୁ ଥଇଥାନର ଆବଶ୍ୟକତା, ଯୋଗ୍ୟତା, ମାନଦଣ୍ଡ ବାବଦରେ କୁହାଯିବା ସହ ସ୍ବଚ୍ଛ ଟ୍ରାକ ରେକର୍ଡ଼ ଉପରେ ଗୁରୁତ୍ବ ଦିଆଯାଇଥିଲା । ହେଲେ ଚନ୍ଦ୍ରଶେଖର ପାଢୀଙ୍କ ନିଯୁକ୍ତିରେ ଗାଇଡ଼ଲାଇନ ପାଳନ ହୋଇ ନଥିବା ଅଭିଯୋଗ ହୋଇଛି । ଯାହା ବିରୋଧରେ ଦୁର୍ନୀତି ଅଭିଯୋଗ ଅଛି ତାକୁ କିପରି ଆଉଟ ଷ୍ଟାଣ୍ଡିଂ ରିମାର୍କ ଦେଇ ପୁନଃ ନିଯୁକ୍ତି ଦିଆଗଲା । ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଶେଷଜ୍ଞ ।
ସରକାରଙ୍କ ନିୟମ ଗୋଟେ ପଟେ । କାର୍ଯ୍ୟକାରିତା ଆଉ ଗୋଟେ ଦିଗରେ । ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ପଦରେ ଅବସରଙ୍କୁ ନିଯୁକ୍ତି ବାଧ୍ୟବାଧକତା ନା ସ୍ବାର୍ଥ ସାଧନ ? ଯାହାକୁ ନେଇ ଏବେ ସବୁ ମହଲରେ ଚର୍ଚ୍ଚା ।