ନନ୍ଦିଘୋଷ ବ୍ୟୁରୋ: ଆଇପିଏଲ ୨୦୨୬ ବେଶ ରୋମାଞ୍ଚକ ହେବାକୁ ଯାଉଛି । ସମସ୍ତ ଫ୍ରାଞ୍ଚାଇଜ୍ ଆାଗାମୀ ସିଜିନ ଲାଗି ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ନିଜ ଦଳକୁ ମଜବୁତ କରିବା ଲାଗି ସମସ୍ତ ଦଳ ବେଶ ପ୍ରୟାସ ଆରମ୍ଭ କରି ଦେଇଛନ୍ତି । ତେବେ ଆସନ୍ତା ସିଜିନରେ ଜଣାଶୁଣା ଭାରତୀୟ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଚେନ୍ନାଇ ବଦଳରେ ରାଜସ୍ଥାନ ଲାଗି ଖେଳିବେ । ସେ ଆଇପିଏଲ କ୍ୟାରିୟର ଆରମ୍ଭ କରିଥିବା ଦଳକୁ ଫେରିଛନ୍ତି । ସଞ୍ଜୁ ସାମସନ ଚେନ୍ନାଇକୁ ଆସିଥିବାବେଳେ ଜାଡେଜାଙ୍କୁ ନେଇଛି ରାଜସ୍ଥାନ ରୟାଲ୍ସ ।
ତେବେ ଆର୍ଥିକ କଥା କହିବା ତାହେଲେ ଜାଡେଜା ରାଜସ୍ଥାନକୁ ଯିବାପରେ ତାଙ୍କୁ ୪ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି । ଚେନ୍ନାଇ ପକ୍ଷରୁ ଜାଡେଜା ୧୨ଟି ସିଜିନ ଖେଳିଛନ୍ତି । ପୂର୍ବବର୍ଷ ଗୁଡ଼ିକରେ ସିଏସକେ ତାଙ୍କୁ ୧୮ କୋଟି ବର୍ଷିକ ଦେଉଥିଲା । ମାତ୍ର ଏବେ ଜାଡେଜା ରାଜସ୍ଥାନରୁ ମାତ୍ର ୧୪ କୋଟି ଟଙ୍କା ପାଇବେ । ଯାହାଦ୍ବାରା ତାଙ୍କୁ ୪ କୋଟିର କ୍ଷତି ସହିବାକୁ ପଡ଼ିଛି । ସେପଟେ ସାମସନ ଚେନ୍ନାଇକୁ ୧୮ କୋଟି ଟଙ୍କାରେ ଯାଇଛନ୍ତି । ପୂର୍ବରୁ ରାଜସ୍ଥାନ ରୟାଲ୍ସ ମଧ୍ୟ ତାଙ୍କୁ ସମାନ ପରିମାଣର ଅର୍ଥ ଦେଉଥିଲା । ଅଭିଜ୍ଞତା ଦୃଷ୍ଟିରୁ ସିଏସକେ ତାଙ୍କୁ ଅଧିନାୟକ ପଦ ଦେଇପାରେ ବୋଲି କୁହାଯାଉଛି । ଧୋନୀଙ୍କ ପରେ ସେ ଦଳର ଭାର ସମ୍ଭାଳିବେ । ଧୋନୀଙ୍କ ବିକଳ୍ପଭାବେ ତାଙ୍କୁ ସାମିଲ କରାଯାଇଛି ।

