ମୋଦିଙ୍କୁ ପେଗାସସ୍ ଦେଉଥିଲା କି ଗୁପ୍ତତଥ୍ୟ: ରାହୁଲ

ନୂଆଦିଲ୍ଲୀ: ପେଗାସସକୁ କିଏ ଆଦେଶ ଦେଇଥିଲେ, ପ୍ରଧାନମନ୍ତ୍ରୀ ନା ଗୃହମନ୍ତ୍ରୀ ? ଆତଙ୍କବାଦ ପାଇଁ ପେଗାସସ୍ ବ୍ୟବହାର ହେଉଥିଲେ ଭଲ କଥା, ହେଲେ ଯଦି ପ୍ରଧାନମନ୍ତ୍ରୀ ଏହାକୁ ନିଜ ପାଇଁ ବ୍ୟବହାର କରୁଥିଲେ ତେବେ ଏହା ଏକ ଅପରାଧ । ଆଜି ଏମିତି କିଛି କହି ପେଗାସସ୍ ମାମଲାରେ କେନ୍ଦ୍ର ସରକାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧି । ପେଗାସସ୍ ଗୁପ୍ତଚରୀ ମାମଲାରେ ସୁପ୍ରିମକୋର୍ଟରେ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଆସିବା ପରେ ରାହୁଲ ଏମିତି ଟାର୍ଗେଟ କରିଛନ୍ତି । ପେଗାସସକୁ ନେଇ ପୁଣି ରାଜନୈତିକ ପାଣିପାଗ ଉଷ୍ମ ହୋଇଯାଇଛି ।

ରାହୁଲ ଅଭିଯୋଗ କରିଛନ୍ତି, ‘ମୁଖ୍ୟମନ୍ତ୍ରୀ, ପୂର୍ବତନ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ଅନ୍ୟ ଲୋକଙ୍କ ବିରୋଧରେ ପେଗାସସ୍ ବ୍ୟବହାର ହୋଇଛି । ଏହାକୁ ଲଗାଇ ପ୍ରଧାନମନ୍ତ୍ରୀ ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହ ଗୁଇନ୍ଦାଗିରି କରୁଥିଲେ ? ଯଦି ନିର୍ବାଚନ କମିଶନଙ୍କ ସମେତ ବିଭିନ୍ନ ସଂସ୍ଥା ଓ ବିରୋଧୀ ଦଳ ନେତାଙ୍କ ଫୋନ ଡାଟା ପ୍ରଧାନମନ୍ତ୍ରୀଙ୍କ ପାଖକୁ ଯାଉଥିଲା, ତେବେ ଏହା ବେଆଇନ ।’

କାହା କାହା ବିରୋଧରେ ପେଗାସସକୁ ବ୍ୟବହାର କରାଯାଇଛି ? ପେଗାସସକୁ କିଏ କିଣିଥିଲା ? ପେଗାସସ୍ ତଥ୍ୟ ଅନ୍ୟ କୌଣସି ଦେଶ ପାଖକୁ ଯାଇଛି କି, ବୋଲି ଗତ ଅଧିବେଶନରେ ଆମେ ପ୍ରଶ୍ନ କରିଥିଲୁ । ପୂରା ବିରୋଧୀ ଦଳ ଏକାଠି ଛିଡ଼ା ହୋଇଥିଲେ, ହେଲେ ଆମକୁ ଉତ୍ତର ମିଳି ନଥିଲା ବୋଲି କହିଛନ୍ତି ରାହୁଲ ।

ସେ ଆହୁରି କହିଛନ୍ତି, ‘ଏହା ଦେଶର ଲୋକତନ୍ତ୍ରକୁ ନଷ୍ଟ କରିବାକୁ ଉଦ୍ୟମ । ପେଗାସସ୍ ମାଧ୍ୟମରେ କେନ୍ଦ୍ରୀୟ ଏଜେନ୍ସିକୁ ଟାର୍ଗେଟ କରାଯାଇଛି । ଏହାକୁ ନେଇ ସଂସଦରେ ଆଲୋଚନା ହେବା ଦରକାର । ଏଥିପାଇଁ ପେଗାସସ ପ୍ରସଙ୍ଗ ପୁଣି ଉଠାଇବୁ । ଏହାକୁ ନେଇ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ଉତ୍ତର ଦେବା ଆବଶ୍ୟକ ।’

ପେଗାସସ୍ ଗୁପ୍ତଚରୀ ମାମଲାରେ ସୁପ୍ରିମକୋର୍ଟ ବିଚାର କରି ଗୁରୁତ୍ବପୂର୍ଣ୍ଣ ଆଦେଶ ଦେଇଛନ୍ତି । ଏହାର ତଦନ୍ତ କରିବାକୁ ଏକ ଏକ୍ସପର୍ଟ କମିଟି ଗଠନ କରିବାକୁ ଓ କମିଟି ୮ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ କୋର୍ଟ ଆଦେଶ ଦେଇଛନ୍ତି ।

ପୂର୍ବରୁ ରାହୁଲ ଏକ ଟ୍ବିଟ୍ କରିଥିଲେ । ଯେଉଁଥିରେ ସେ ଲେଖିଥିଲେ, ‘ଆଜିକାଲି ତୁମେ କ’ଣ ପଢୁଛି, ଆମେ ଜାଣିଛୁ’ । ଏହାର ଦିନ କେଇଟା ପରେ ପେଗାସସ୍ ଗୁପ୍ତଚରୀ ପ୍ରସଙ୍ଗ ପଦାକୁ ଆସିଥିଲା, ଯାହାକୁ ନେଇ ପୂରା ଦେଶ ଉଠିଥିଲା ପଡ଼ିଥିଲା ।

ସୂଚନାଯୋଗ୍ୟ, ପେଗାସସ୍ ଜରିଆରେ ମୁଖ୍ୟମନ୍ତ୍ରୀ, ପୂବର୍ତନ ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା, କେନ୍ଦ୍ରୀୟ ମନ୍ତ୍ରୀ, କେନ୍ଦ୍ରୀୟ ସଂସ୍ଥା, ସୁପ୍ରମିକୋର୍ଟ ବିଚାରପତି, ବଡ଼ ବ୍ୟବସାୟୀ, ସାମାଜିକ କର୍ମୀ, ବହୁ ସାମ୍ବାଦିକଙ୍କ ଫୋନ୍ କଲ ଉପରେ ନଜର ରଖାଯାଇ ତଥ୍ୟ ହାସଲ କରାଯାଉଥିବା ନେଇ କେନ୍ଦ୍ର ସରକାରଙ୍କ ଉପରେ ଅଭିଯୋଗ ଲାଗିଥିଲା ।

Leave a Reply