ହିଂସାଗ୍ରସ୍ତ ମଣିପୁର ଗସ୍ତବେଳେ ରାହୁଲଙ୍କ ଗାଡ଼ିକୁ ଅଟକାଇଲା ପୋଲିସ, ଏବେ ହେଲିକପ୍ଟରରେ ଚୁରାଚାନ୍ଦପୁର ଯାଇ ପୀଡିତଙ୍କୁ ଭେଟିବେ

ଇମ୍ଫାଲ: କଂଗ୍ରେସ ନେତା ରାହୁ ଗାନ୍ଧି ଆଜି ହିଂସାଗ୍ରସ୍ତ ମଣିପୁର ଗସ୍ତ କରିଛନ୍ତି । ସେ ପୀଡିତଙ୍କୁ ଭେଟିବା ପାଇଁ ଚୁରାଚାନ୍ଦପୁର ରିଲିଫ କ୍ୟାମ୍ପ ଯିବାକୁ ଚାହୁଁଥିଲେ, କିନ୍ତୁ ପୋଲିସ ପ୍ରାୟ ୩୪ କିଲୋମିଟର ପୂର୍ବରୁ ବିଷ୍ଣୁପୁରରେ ତାଙ୍କୁ ଅଟକାଇ ଦେଇଥିଲା । ପୋଲିସ ଏହା କହି ଅଟକାଇଥିଲା ଯେ ରାସ୍ତାରେ ହିଂସା ହୋଇପାରେ । ଏହାପରେ ସେ ଇମ୍ଫାଲ ଫେରିଯାଇଥିଲେ । ଏବେ ହେଲିକପ୍ଟର ଜରିଆରେ ଚୁରାଚାନ୍ଦପୁର ଯିବେ । ପୋଲିସ ଅଧିକାରୀ କହିଛନ୍ତି ଯେ ବିଷ୍ଣୁପୁର ଜିଲ୍ଲାରେ ଜାତୀୟ ରାଜପଥରେ ଟାୟାର ଜଳାଯାଇଥିଲା ଏବଂ କନଭୟେ ଉପରେ ପଥର ଫୋପଡ଼ାଯାଇଥିଲା ।

ଏଥିପାଇଁ ସୁରକ୍ଷା ଦୃଷ୍ଟିରୁ ରାହୁଲଙ୍କ ଗାଡ଼ିକୁ ବିଷ୍ଣୁପୁରରେ ଅଟକାଯାଇଥିଲା । ରାହୁଲଙ୍କ ଗାଡ଼ି ଅଟକାଯିବା ପରେ ଏଠାରେ ଏକ ଗୋଷ୍ଠୀ ତାଙ୍କ ସମର୍ଥନରେ ଯେତେବେଳେ କି ଅନ୍ୟ ଗୋଷ୍ଠୀ ତାଙ୍କ ବିରୋଧରେ ବିକ୍ଷୋଭ କରୁଛନ୍ତି । ସେମାନଙ୍କୁ କାବୁ କରିବା ପାଇଁ ପୋଲିସକୁ ଲୁହବୁହା ଗ୍ୟାସ୍ ମାଡ଼ କରିବାକୁ ପଡ଼ିଛି । ଏହାରି ମଧ୍ୟରେ ସେନା କହିଛି ଯେ ଦଙ୍ଗାକାରୀମାନେ ଅସ୍ତ୍ରଶସ୍ତ୍ର ଧରି କାଙ୍ଗପୋକପି ଜିଲ୍ଲାରେ ଗୁଳିମାଡ଼ କରିଛନ୍ତି । ରାହୁଲ ଗାନ୍ଧି ଆଜି ଗସ୍ତ କାଳରେ ମଣିପୁର ରିଲିଫ କ୍ୟାମ୍ପ ଯିବା ସହ ସିଭିଲ ସୋସାଇଟିର ନେତାମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ସେ ୩୦ ଜୁନ ସୁଦ୍ଧା ମଣିପୁରରେ ରହିବେ । ପ୍ରକାଶଥାଉକି, ମଣିପୁରରେ ୩ ମଇରୁ କୁକୀ ଏବଂ ମେଇତି ଗୋଷ୍ଠୀ ମଧ୍ୟରେ ହିଂସା ଜାରି ରହିଛି । ହିଁସାରେ ଏପର୍ଯନ୍ତ ସୁଦ୍ଧା ୧୩୧ ଜଣଙ୍କ ମୃତ୍ୟୁ ହୋଇ ସାରିଛି । ସେହିପରି ୪୧୯ ଜଣ ଆହତ ହୋଇଛନ୍ତି । ୬୫ ହଜାରରୁ ଅଧିକ ଲୋକ ନିଜ ଘର ଛାଡ଼ିଛନ୍ତି । ୫ ହଜାରରୁ ଅଧିକ ପୋଡ଼ାଜଳା ଘଟଣା ହୋଇଛି । ୬ହଜାର ମାମଲା ରୁଜୁ ହୋଇଛି ଏବଂ ୧୪୪ ଜଣଙ୍କୁ ଗିରଫ କରାଯାଇଛି ।