ବିଧାନସଭାରୁ ସଂସଦ ସବୁଠି କଳା ପୋଷାକରେ କଂଗ୍ରେସ ସାଂସଦ

ଭୁବନେଶ୍ୱର\ନୂଆଦିଲ୍ଲୀ: ରାହୁଲ ଗାନ୍ଧିଙ୍କ ସାଂସଦ ସଦସ୍ୟ ପଦ ରଦ୍ଦ ପ୍ରତିବାଦରେ ବିଧାନସଭାରେ ତାତି । ଆଜି ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ କଂଗ୍ରେସର ସମସ୍ତ ସଦସ୍ୟ କଳା ପୋଷାକ ପିନ୍ଧି ଗୃହ ମଧ୍ୟଭାଗରେ ବିଜେପି ବିରୋଧରେ ନାରାବାଜି କରିଥିଲେ । କେନ୍ଦ୍ରରେ ଥିବା ବିଜେପି ସରକାର ଗଣତନ୍ତ୍ର ହତ୍ୟାକାରୀ । ଏପରି ସ୍ଲୋଗାନ ଦେଇ କେନ୍ଦ୍ର ସରକାର ବିରୋଧରେ ନାରାବାଜି ଦେଇଥିଲା କଂଗ୍ରେସ । ଗୃହରେ ଅଚଳାବସ୍ଥା ଜାରି ରହିବାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବିଧାନସଭାକୁ ମୁଲତବି କରିଥିଲେ ବାଚସ୍ପତି ।

ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପ୍ରତିବାଦରେ କଂଗ୍ରେସ ନେତୃତ୍ୱରେ ବିଜେପିକୁ ବାଦ ଦେଇ ଅନେକ ରାଜନେତାଙ୍କ ପ୍ରତିବାଦ। ରାଜଭବନ ଚାଲ ଅଭିଯାନରେ ସାମିଲ ହେଲେ ୧୨ ଟି ରାଜନୈତିକ ଦଳ। କଂଗ୍ରେସ ସମେତ ବାମ ଦଳ, ସମାଜବାଦୀ ପାର୍ଟି, ଆମ ଆଦମୀ ପାର୍ଟି, ଏନସିପି ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି ।

ସେପଟେ ସଡ଼କରୁ ସଂସଦ ଯାଏଁ ସଂଗ୍ରାମ କରୁଛି କଂଗ୍ରେସ । ଆଜି କଳା ପୋଷାକ ପିନ୍ଧି ପାର୍ଲାମେଣ୍ଟରେ ପହଞ୍ଚିଛନ୍ତି ବିରୋଧୀ ସାଂସଦ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପ୍ରମୁଖ କଳା ପୋଷାକରେ ସଂସଦରେ ପହଞ୍ଚିଛନ୍ତି । ସଂସଦ ଭିତରେ ଓ ବାହାରେ ସରକାରଙ୍କୁ ଘେରିବାକୁ ଆଜି ବିରୋଧୀ ଦଳ ବୈଠକରେ ରଣନୀତି ପ୍ରସ୍ତୁତ ହେବ ।

ଚେନ୍ନାଇରେ କଂଗ୍ରେସ ବିଧାୟକମାନେ କଳା ପୋଷାକ ପିନ୍ଧି ବିଧାନସଭାରେ ପହଞ୍ଚିବା ସହ ହାତରେ ପ୍ଲାକାର୍ଡ ଧରି କେନ୍ଦ୍ର ସରକାର ବିରୋଧରେ ନାରାବାଜି କରିଛନ୍ତି । ବିହାର ବିଧାନସଭାରେ ବି ମେଣ୍ଟସରକାର ସମର୍ଥନରେ ଥିବା ଦଳର ବିଧାୟକମାନେ କେନ୍ଦ୍ର ସରକାର ବିରୋଧରେ ନାରାବାଜି କରିଛନ୍ତି । କେନ୍ଦ୍ର ବିଜେପି ଶାସନରେ ଗଣତନ୍ତ୍ରର ହତ୍ୟା କରାଯାଇଛି ବୋଲି ବିଧାୟକମାନେ ନାରା ଦେଇଛନ୍ତି । ଅନ୍ୟପଟେ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଗାନ୍ଧୀ ପରିବାରକୁ ନେଇ ନୂଆ ପୋଷ୍ଟ କରିଛନ୍ତି । ସତ୍ୟ, ସାହସ ଓ ବଳିଦାନ ଗାନ୍ଧୀ ପରିବାରର ଶକ୍ତି ବୋଲି କହିଛନ୍ତି ରାହୁଲ ।