ପୁଣିଥରେ ରାହୁଲ ମାରିଲେ ପ୍ରଶ୍ନବାଣ, କହିଲେ ଟ୍ରମ୍ପଙ୍କ ନାଁ ନେଲେ…

1 min read

ନନ୍ଦିଘୋଷ ବ୍ୟୁରୋ: ସଂସଦରେ ‘ଅପରେସନ ସିନ୍ଦୂର’ ଉପରେ ସ୍ବତନ୍ତ୍ର ଆଲୋଚନା ହୋଇଛି । ସରକାର ନିଜର ମତ ରଖିଥିବାବେଳେ ବିରୋଧୀମାନେ ନିଜର ପ୍ରଶ୍ନବାଣରେ ଘାଇଲା କରିଛନ୍ତି । ତେବେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଅପରେସନ ସିନ୍ଦୂର ଏବଂ ଭାରତ-ପାକିସ୍ତାନ ଯୁଦ୍ଧର ଅସ୍ତ୍ରବିରତିକୁ ନେଇ ବାରମ୍ବାର ସରକାରଙ୍କୁ ପ୍ରଶ୍ନ କରି ଚାଲିଛନ୍ତି । ମଙ୍ଗଳବାର ସଂସଦରେ ରାହୁଲ କହିଥିଲେ କି, ପ୍ରଧାନମନ୍ତ୍ରୀ ସିଧାସଳଖ ଭାବେ ଟ୍ରମ୍ପଙ୍କ ନାମ ନେଉନାହାନ୍ତି । ତାଙ୍କୁ ମିଛୁଆ ବୋଲି କୁହନ୍ତୁ । ସେପଟେ ଏନେଇ ପୁଣିଥରେ ଆଜି କହିଛନ୍ତି କି, ଯଦି ସେ ଟ୍ରମ୍ପଙ୍କ ନାମ ନେବେ ତାହେଲେ ବାଣିଜ୍ୟିକ ପ୍ରଭାବ ପକାଇଦେବେ ।

ରାହୁଲ କହିଛନ୍ତି କି, ଟ୍ରମ୍ପ ବାରମ୍ବାର ମଧ୍ୟସ୍ଥତା କହୁଥିବାବେଳେ ପ୍ରଧାନମନ୍ତ୍ରୀ କାହିଁକି ଏହାକୁ ମାନୁନାହାନ୍ତି । ସତ କଥା ଲୋକଙ୍କୁ କାହିଁକି କହୁନାହାନ୍ତି । ଆମେରିକା ସହିତ ବାଣିଜ୍ୟ ଚୁକ୍ତି ସମ୍ପର୍କରେ ରାହୁଲ ଗାନ୍ଧୀ କହିଛନ୍ତି, “ବର୍ତ୍ତମାନ ସେ (ଟ୍ରମ୍ପ୍) ଆମ ସହିତ ଏକ ବାଣିଜ୍ୟ ଚୁକ୍ତି ଚାହୁଁଛନ୍ତି। ସେ (ଟ୍ରମ୍ପ୍) ସେଠାରେ ଚାପ ପକାଇବେ। ଆପଣ ଦେଖିବେ କି ପ୍ରକାର ବାଣିଜ୍ୟ ଚୁକ୍ତି ହୋଇଛି।” ସେପଟେ ଏହି ଘଟଣାକୁ ନେଇ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଟାର୍ଗେଟ କରିଥିବା ଦେଖିବାକୁ ମିଳିଛି ।