ଆମେରିକାରୁ କେନ୍ଦ୍ରକୁ ଘେରିଲେ ରାହୁଲ, କହିଲେ ଚୀନ କବଜାରେ ଭାରତର ଅଂଶ

1 min read

ୱାସିଂଟନ: ଆମେରିକା ଗସ୍ତର ଦ୍ବିତୀୟ ଦିନରେ ବି ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି ପୂର୍ବତନ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଦଶ ଦିନିଆ ଗସ୍ତରେ ଲଗାତାର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଥିବା ବେଳେ ଚୀନ-ଭାରତ ସୀମା ବିବାଦ, ଦେଶରେ ଗଣତାନ୍ତ୍ରିକ ସଂସ୍ଥା ଉପରେ ସରକାରଙ୍କ ନିୟନ୍ତ୍ରଣ, ପେଗାସସ ସ୍ପାଏଓ୍ବେର ଓ ଲୋକସଭା ସଦସ୍ୟତା ରଦ୍ଦକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ ।

ସୀମାରେ ଭାରତର ଅଂଶ ଏବେ ଚୀନ କବଜାରେ ରହିଛି । ଆଗାମୀ ବର୍ଷ ଗୁଡ଼ିକରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଚ୍ୟାଲେଞ୍ଜିଂ ହୋଇପାରେ । କାଲିଫର୍ଣ୍ଣିଆର ଷ୍ଟାନଫୋର୍ଡ ୟୁନିଭରସିଟିରେ ଛାତ୍ରମାନଙ୍କୁ ସମ୍ବୋଧିତ ବେଳେ ଭାରତ-ଚୀନ୍ ସମ୍ପର୍କର ଭବିଷ୍ୟତକୁ ନେଇ ଏକ ପ୍ରଶ୍ନର ଉତ୍ତର ରଖିଛନ୍ତି ରାହୁଲ ।

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ଅତ୍ୟାଧୁନିକ ଟେକ୍ନୋଲୋଜିକୁ ନେଇ ଆଲୋଚନା ବେଳେ ବ୍ୟକ୍ତିଗତ ଗୋପନୀୟତା ବିଷୟରେ ନିୟମ ପ୍ରତିଷ୍ଠା କରିବା ଆବଶ୍ୟକ ବୋଲି ରାହୁଲ କହିଥିଲେ । ଭାରତରେ ପେଗାସସ୍ ସ୍ପାଏଓ୍ବେରର ବ୍ୟବହାର ଓ ଏହାଦ୍ବାରା ଜାସୁସୀକୁ ନେଇ ରାହୁଲ କେନ୍ଦ୍ରକୁ ଟାର୍ଗେଟ କରିଥିଲେ ।

ପୂର୍ବରୁ ତାଙ୍କ ଆଇଫୋନ୍ ଟ୍ୟାପିଂ କରାଯାଇଥିବା ଓ ଏବେ ବି ତାଙ୍କ ଫୋନ୍ ଟ୍ୟାପିଂ ହେଉଥିବା ସେ ଅନୁମାନ କରୁଛନ୍ତି ବୋଲି କହିଥିଲେ । ସେହିପରି ଷ୍ଟାଣ୍ଡଫୋର୍ଡ ୟୁନିଭର୍ସିଟିରେ ଏକ କାର୍ଯ୍ୟକ୍ରମରେ ସାମିଲ ହୋଇ ଲୋକସଭା ସଂସଦ ପଦ ରଦ୍ଦକୁ ନେଇ ବି ପ୍ରତିକ୍ରିୟା ରଖିଛନ୍ତି ରାହୁଲ । ମାନହାନି ମାମଲାରେ ମୋତେ ଅଧିକତମ ସଜା ମିଳିଛି । ଲୋକତାନ୍ତ୍ରିକ ସଂସ୍ଥାକୁ ନିୟନ୍ତ୍ରଣରେ ରଖି ବିରୋଧୀଙ୍କୁ ଡରାଉଛନ୍ତି ସରକାର । ଭାରତରେ ବିରୋଧୀ ସଂଘର୍ଷ କରୁଛନ୍ତି ବୋଲି ନିଜ ଉଦବୋଧନରେ କହିଛନ୍ତି ରାହୁଲ ଗାନ୍ଧୀ ।