ଆଜି ରାହୁଲ ଗାନ୍ଧୀଙ୍କ ହରିୟାଣା ଗସ୍ତ, ବିଧାନସଭା ନିର୍ବାଚନରେ ପରାଜୟର କାରଣ ନେଇ କରିବେ ସମୀକ୍ଷା

ନନ୍ଦିଘୋଷ ବ୍ୟୁରୋ : ଆଜି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ହରିୟାଣା ଗସ୍ତ । ହରିୟାଣାର କଂଗ୍ରେସ ସାଂଗଠନିକ ବିନ୍ୟାସ ସମ୍ପର୍କରେ ରାହୁଲ ଆଲୋଚନା କରିବେ ବୋଲି କହିଛନ୍ତି ପିସିସି ସଭାପତି ଉଦୟ ଭାନ । ଏହି ବୈଠକରେ ଏଆଇସିସି ଓ ପିସିସି ପର୍ଯ୍ୟବେକ୍ଷକ ବି ସାମିଲ ହେବେ ବୋଲି ସୂଚନା ମିଳିଛି । ହରିୟାଣାରେ ସଂଗଠନ ସୃଜନ ଅଭିଯାନ ଆରମ୍ଭ ଅବକାଶରେ ଏହି ବୈଠକ ଅନୁଷ୍ଠିତ ହେବ । ଗତବର୍ଷ ହରିୟାଣା ବିଧାନସଭା ନିର୍ବାଚନରେ କଂଗ୍ରେସର ପରାଜୟ ପରଠାରୁ ବିଧାନସଭାରେ ବିରୋଧୀ ଦଳ ନେତା ଭାବେ କାହାରିକୁ ନିଯୁକ୍ତି ଦିଆଯାଇପାରିନାହିଁ । ଏହି ପ୍ରସଙ୍ଗରେ ବୈଠକରେ ଆଲୋଚନା ହେବା ସମ୍ଭାବନା ରହିଛି । ଗତବର୍ଷର ନିର୍ବାଚନରେ ଦଳ କାହିଁକି ପରାଜିତ ହେଲା ସେ ସମ୍ପର୍କରେ ମାନସ ମନ୍ଥନ ଚାଲିଥିଲେ ବି କୌଣସି ନିର୍ଣ୍ଣାୟକ ସ୍ଥିତିରେ ଦଳ ପହଞ୍ଚି ପାରିନାହିଁ । କୁହାଯାଉଛି ଦଳ ଭିତରେ କନ୍ଦଳ ହିଁ ଦଳକୁ ବିପର୍ଯ୍ୟୟ ଆଡକୁ ଟାଣିନେଇଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂ ହୁଡ଼ା ଓ ବରିଷ୍ଠ କଂଗ୍ରେସ ନେତ୍ରୀ କୁମାରୀ ଶୈଳଜାଙ୍କ ମଧ୍ୟରେ ତିକ୍ତତା ଦଳ ଲାଗି ଅଧିକ ଆତ୍ମଘାତୀ ସାବ୍ୟସ୍ତ ହେଲା ବୋଲି କୁହାଯାଉଛି । ଦଳ ଭିତରେ ଥିବା କନ୍ଦଳ ଦୂର କରିବା ଲାଗି ରାହୁଲ ଉଦ୍ୟମ କରିବେ ବୋଲି କୁହାଯାଉଛି । ରାହୁଲଙ୍କ ସହ ଉପସ୍ଥିତ ଥିବା 21 ଜଣ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ବିଭିନ୍ନ ସ୍ତରରେ ଆଲୋଚନା କରିବେ ବୋଲି ସୂଚନା ମିଳିଛି । ତେବେ ଦଳୀୟ ବିଧାୟକମାନଙ୍କ ସହ ରାହୁଲ ବୈଠକ କରିବେ ନାହିଁ । ହୁଡା ଓ ଶୈଳଜାଙ୍କ କର୍ମୀଙ୍କ ମଧ୍ୟରେ ରହିଥିବା ମତପାର୍ଥକ୍ୟ ଦୂର କରିବାରେ ରାହୁଲ ସକ୍ଷମ ହେବେ କି ନାହିଁ ସେ ନେଇ ଲାଗି ରହିଛି ଚର୍ଚ୍ଚା ।