ହିଂସାଗ୍ରସ୍ତ ରାଜ୍ୟରେ ରାହୁଲଙ୍କ ଶାନ୍ତି ସନ୍ଦେଶ, ହେଲିକପ୍ଟରରେ ଚୁରଚାନ୍ଦପୁରରେ ପହଞ୍ଚି ପୀଡ଼ିତଙ୍କୁ ଭେଟିଲେ

1 min read

ଇମ୍ଫାଲ: ରାହୁଲଙ୍କ ଶାନ୍ତି ସନ୍ଦେଶ । ସ୍ବାଗତ କଲା ମଣିପୁର । ପିସ୍ ମିଶନରେ ବାଟ ଓଗାଳିଲା ପୋଲିସ, ପ୍ରଶାସନ । ହିଂସାଗ୍ରସ୍ତ ରାଜ୍ୟରେ ଶାନ୍ତି, ଏକତା, ଭାଇଚାରାର ସନ୍ଦେଶ ନେଇ ପହଞ୍ଚିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଇମ୍ଫାଲ ଏୟାରପୋର୍ଟରୁ ଚୁରାଚାନ୍ଦପୁର ଯାଉଥିବା ବେଳେ ବିଷ୍ଣୁପୁର ଚେକ ପୋଷ୍ଟରେ ରାହୁଲଙ୍କୁ ଅଟକାଇଥିଲ ପୋଲିସ । ରାସ୍ତାକଡ଼ରେ ଲୋକମାନେ ରାହୁଲଙ୍କ ସ୍ବାଗତ ଉଦ୍ଦେଶ୍ୟରେ ନାରା ଦେଉଥିବା ବେଳେ ପୋଲିସ କିନ୍ତୁ କାରକେଡକୁ ଆଗକୁ ଛାଡ଼ି ନଥିଲା । ତେବେ ଇମ୍ଫାଲ ଫେରି ହେଲିକପ୍ଟର ଯୋଗେ ପୀଡ଼ିତଙ୍କ ପାଖରେ ପହଞ୍ଚିଛନ୍ତି ରାହୁଲ ।

ଦୁଇ ମାସ ଧରି ପୂର୍ବୋତ୍ତର ରାଜ୍ୟ ଜଳୁଥିବା ବେଳେ ଶାନ୍ତି ଫେରାଇ ଆଣିବାରେ ଫେଲ୍ ମାରିଛି କେନ୍ଦ୍ର । ସରକାର ମଣିପୁରକୁ ଜଳିବାକୁ ଛାଡ଼ି ଦେଇଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି । ରାହୁଲ ଭାଇଚାରାର ବର୍ତ୍ତା ଦେବାକୁ ଆସିଥିବା ବେଳେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ପୋଲିସ ଓ ପ୍ରଶାସନ ତାଙ୍କୁ ଅଟକାଇଛି ବୋଲି କଂଗ୍ରେସ କହିଛି । ରାହୁଲଙ୍କୁ ଫେରାଇ ଦିଆଯିବା ପରେ କେନ୍ଦ୍ର ଓ ରାଜ୍ୟର ଡବଲ ଇଞ୍ଜିନ ସରକାର ବିରୋଧରେ ଜୋରଦାର ନାରାବାଜି ହୋଇଛି । ଦୁଇ ମାସ ହେବ ଜଳୁଛି ମଣିପୁର ।

୫୮ ଦିନର ଉଗ୍ର ହିଂସାରେ ଶତାଧିକ ଲୋକ ଜୀବନ ହାରିଲେଣି । ବାସହରା ହୋଇଯାଇଛନ୍ତି ହଜାର ହଜାର ପରିବାର । ପ୍ରାୟ ୩ଶହ ରିଲିଫ କ୍ୟାମ୍ପରେ ୫୦ରୁ ୬୦ହଜାର ବିସ୍ଥାପିତ ଆଶ୍ରୟ ନେଇଛନ୍ତି । ଆଦିବାସୀ ଓ ଅଣ ଆଦିବାସୀଙ୍କ ସଂଘର୍ଷ ଯୋଗୁ ଅଶାନ୍ତ ହୋଇ ପଡ଼ିଥିବା ମଣିପୁରରେ ଶାନ୍ତି ଫେରିବାର ନାଁ ଧରୁନି । ଲୋକମାନେ ଇଣ୍ଟରନେଟ ଠାରୁ ଆରମ୍ଭ କରି ଅନେକ ପ୍ରକାରର ମୌଳିକ ଅଧିକାରରୁ ବଞ୍ଚିତ ହୋଇରହିଛନ୍ତି । ରାହୁଲ ଗାନ୍ଧୀ ମଣିପୁର ଲୋକଙ୍କ ମନରେ ପୁଣିଥରେ ବିଶ୍ବାସ, ଭଲପାଇବା, ଭାଇଚାରା ବାଣ୍ଟିବାକୁ ଆସିଥିବା ବେଳେ ସରକାର ତାଙ୍କୁ ଅଟକାଇବା ନିନ୍ଦନୀୟ ।

ଏବେ ମଣିପୁରରେ ସଂଘର୍ଷ ନୁହେଁ, ଶାନ୍ତିର ଆବଶ୍ୟକତା ରହିଛି ବୋଲି ଟୁଇଟ କରିଛନ୍ତି AICC ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଆଜିଠୁ ଦୁଇ ଦିନିଆ ମଣିପୁର ଗସ୍ତରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଘୃଣାର ବଜାରରେ ପ୍ରେମ ଦୋକାନ ଖୋଲିବେ ବୋଲି କହିଛନ୍ତି କଂଗ୍ରେସ ନେତା କହିଛନ୍ତି । ପୀଡ଼ିତଙ୍କୁ ଭେଟିବା ସହ ଶାନ୍ତି ସ୍ଥାପନା ପାଇଁ ଇମ୍ଫାଲ ଓ ଚୁରାଚାନ୍ଦପୁରରେ ସିବିଲ ସୋସାଇଟି ପ୍ରତିନିଧିଙ୍କ ସହ ଆଲୋଚନା କରିବେ ରାହୁଲ ।