ସୁସ୍ଥ ହେଉଛି ରାହୁଲ, ଖୁବଶୀଘ୍ର ଘରକୁ ଫେରିବ

ବିଳାଶପୁର: ଖୁବଶୀଘ୍ର ଘରକୁ ଯିବ ରାହୁଲ । ପୂର୍ବରୁ ବୋରୱେଲରେ ସଂଗ୍ରାମ କରି ଜିତିବା ପରେ ଏବେ ହସ୍ପିଟାଲରେ ଖରାପ ସ୍ବାସ୍ଥ୍ୟ ସହ ଲଢେଇ ଜାରି ରଖିଛି ରାହୁଲ । ଧୀରେ ଧୀରେ ସୁସ୍ଥ ମଧ୍ୟ ହେଉଛି  । ବିଳାଶପୁର ସ୍ଥିତ ଆପୋଲୋ ହସ୍ପିଟାଲରେ ଚାଲିଛି ଚିକିତ୍ସା । ଆଉ ଦିନେ ଦୁଇ ଦିନ ପରେ ହସ୍ପିଟାଲରୁ ଘରକୁ ଯିବ ରାହୁଲ । ଧୀରେ ଧୀରେ ଚାଲିବା ସହ ଡାକ୍ତରଙ୍କ ସହ ହସ୍ପିଟାଲରେ ଖେଳୁଛି ଓ ପାଠପଢୁଛି । ହସ୍ପିଟାଲରେ ରାହୁଲ ଫ୍ରୁଟ ଜୁସ୍ ଓ ଫ୍ରୁଟ ସାଲାଡ୍ ଖାଉଛି ।

ଜ୍ବର କିମ୍ବା ଇନଫେକସନ ନଥିବାରୁ ଦିନେ ଦୁଇଦିନ ପରେ ହସ୍ପିଟାଲରୁ ଡିସଚାର୍ଜ କରାଯିବ । ଇଞ୍ଜେକ୍ସନ ବନ୍ଦ କରାଯାଇ କେବଳ ଟାବଲେଟ ଓ ସିରପ ଦିଆଯିବା ସହ ଫିଜିଓଥେରାପି ଜାରି ରହିଛି  । ଏନେଇ ରାହୁଲଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଇନ୍ଦିରା ମିଶ୍ର ସୂଚନା ଦେଇଛନ୍ତି । ରାହୁଲ ସୁସ୍ଥ ହୋଇ ଘରକୁ ଫେରୁଥିବା ଜାଣିବା ପରେ ଘରେ ଖୁସିର ମାହୋଲ ସୃଷ୍ଟି ହୋଇଛି । ପ୍ରଭୁ ଜଗନ୍ନାଥଙ୍କ ରଥ କରି ଡିଜେ ବଜାଇ ରାହୁଲଙ୍କୁ ଗ୍ରାମବାସୀ ସ୍ବାଗତ କରିବେ ବୋଲି ରାହୁଲଙ୍କ ଵାପା କହିଛନ୍ତି ।