୪୫ ସୁନା ଗହଣା ଦୋକାନ ଉପରେ ଚଢ଼ାଉ, ତଣ୍ଡ ଗଣିଲେ ୩ ଲକ୍ଷ ୭୭ ହଜାର

1 min read

ଭୁବନେଶ୍ୱର: ମୁଣ୍ଡ ଉପରେ ବିବାହ ଚିନ୍ତା? ସୁନା ଦାମ ମନକୁ ପାଉନି? ହେଲେ କିଣିବାକୁ ବାଧ୍ୟ? ହଲମାର୍କ ସୁନା ନ କିଣିଲେ ଲଜ୍ଜା ଲାଗିବାର ଭୟ? ସାବାଧାନ! ଦାମୀ ସୁନା ବି ଛାତି ଧଡ଼କାଇପାରେ । କାହିଁକି ନା’ ନାମୀଦାମୀ ସୁନା ଦୋକନୀ ବି ଗ୍ରାହକଙ୍କୁ ଠକୁଛନ୍ତି । ନାମ ବଡା ଦର୍ଶନ ଛୋଟା! ଏହି ତଥ୍ୟ ରଖିଛନ୍ତି ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଠକ ଦୋକାନୀଙ୍କ ତାଲିକାରେ ବ୍ରାଣ୍ଡେଡ୍ ଜୁଏଲର୍ସ । ଗତ ବିଧାନସଭା ଶୀତାକଳୀନ ଅଧିବେଶନରେ ଠକ ଦୋକାନୀଙ୍କ ଯେଉଁ ତାଲିକା ଗୃହରେ ରଖିଥିଲେ ବିଭାଗୀୟ ମନ୍ତ୍ରୀ, ସେଥିରେ ଭୁବନେଶ୍ୱର ଓ ବ୍ରହ୍ମପୁରର କୌଣସି ଦୋକାନର ନାଁ ନଥିଲା । ହେଲେ ନଭେମ୍ବର ୨୨ରୁ ୨୫ ତାରିଖ ଭତରେ ଭୁବନେଶ୍ୱର, ବ୍ରହ୍ମପୁର, କଟକ, ରାଉରକେଲା, ସମ୍ବଲପୁର ଓ ବାଲେଶ୍ୱରରେ ଯେଉଁ ଚଢାଉ କରିଥିଲା ଖାଉଟି କଲ୍ୟାଣ ବିଭାଗ, ସେଥିରେ ଭୁବନେଶ୍ୱର ବ୍ରହ୍ମପୁରର ଏପରି ସୁନା ଦୋକାନର ଠକାମୀ ପଦାରେ ପଡ଼ିଲା ଯେ ସୁନା ଦୋକାନୀ ଉପରୁ ଭରସା ଚାଲିଯିବ!

ସୁନାଗହଣାରେ ବୈଧମାପରେ ତ୍ରୁଟି କରିଥିବା ହାଇପ୍ରୋଫାଇଲ ଦୋକାନୀଙ୍କ ନାଁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ । ଏକ ନମ୍ବର ସ୍ମାଟ ସିଟି ଭୁବନେଶ୍ୱରରୁ ଠକ ଦୋକାନୀ ତାଲିକାରେଥିବା କିଛି ବଡ ନାଁ ଉପରେ ନଜର ପକାଇବା । ସାରା ରାଜ୍ୟରେ ସୁନାଗହଣା ବ୍ୟବସାୟରେ ଖ୍ୟାତି ଅର୍ଜନ କରିଥିବା ଭୁବନେଶ୍ୱରର ଲାଲଚାନ୍ଦ ଜୁଏଲର୍ସ ପ୍ରାଇଭେଟ ଲିମିଟେଡ୍- ଷ୍ଟେସନ ବଜାର, କଲ୍ୟାଣୀ ଜୁଏଲର୍ସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍-ସହିଦନଗର, ଖେମଜି ଜୁଏଲର୍ସ-ସହିଦନଗର, ତନିସ୍କ-ଚନ୍ଦ୍ରଶେଖରପୁର, ରିଲିୟାନ୍ସ-ଚନ୍ଦ୍ରଶେଖରପୁର, ସେନକୋ ଗୋଲଡ ଟେକ୍‌, ମାଷ୍ଟରକ୍ୟାଣ୍ଟିନ୍‌, ମେସର୍ସ ହଲ୍‌ମାର୍କ, ଚନ୍ଦ୍ରଶେଖରପୁର, କଟକର ଇପାରି ଗୋବିନ୍ଦ ଆଣ୍ଡ ସନ୍ସ, ନିମ୍‌ଚୌଡ଼ି, ଜ୍ୟୋତ୍ସା ଅଳଙ୍କାର ଭଣ୍ଡାର, ଜେଲ୍‌ରୋଡ୍‌, ଅନିତା ଜୁଏଲର୍ସ, ନିମଚୌଡ଼ି ସମେତ ୨୭ଟି ସୁନାଗହଣା ଦୋକାନରୁ ଜରିମାନା ଆଦାୟ କରାଯାଇଥିବାବେଳେ ସମ୍ୱଲପୁର ନ୍ୟୁଉ ପାୟଲ୍‌ ଜୁଏଲର୍ସ ଏବଂ ବ୍ରହ୍ମପୁରର କେଶବ ଜୁଏଲର୍ସ, ବଡ଼ବଜାରକୁ କମ୍ପାଉଣ୍ଡିଂ ନୋଟିସ ଜାରି କରାଯାଇଛି ।

ଛୋଟ ହେଉ କି ବଡ ଦୋକାନୀ, ସରକାରୀ ଛାଟରୁ କାହାକୁ ନିସ୍ତାର ନାହିଁ । ସବୁ ସୁନା ଦୋକାନର ରେଜିଷ୍ଟ୍ରେସନ୍‌କୁ ବାଧ୍ୟତାମୂଳକ କରାଯିବ। ଯାହା ସୁନା ଦୋକାନୀଙ୍କ ଟେନସନ୍ ବଢାଇବା ପାଇଁ ଯଥେଷ୍ଟ । କାରଣ ସମସ୍ତ ମାନଦଣ୍ଡକୁ ଠିକ୍ ଭାବେ ପାରି ହେବା ସେତେଟା ସହଜ ନୁହେଁ । ୧୨, ୧୪ ଓ ୨୨ କ୍ୟାରେଟ୍‌ର ସୁନା ବିକ୍ରି କଲେ, ଦାମ ପ୍ରଦର୍ଶିନ ହେବ ବାଧ୍ୟତାମୂଳକ । ବ୍ୟୁରୋ ଅଫ୍‌ ଇଣ୍ଡିଆନ୍‌ ଷ୍ଟାଣ୍ଡାର୍ଡ ଅନୁଯାୟୀ ହଲ୍‌ମାର୍କ ସୁନା ରଖିବାର କଡା ନିୟମ ପାଳନ କରିବା କରିବାକୁ ସ୍ପଷ୍ଟ କରିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।

ଗତ ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ମୋଟ ୪୫ଟି ଦୋକାନ ଉପରେ ଚଢ଼ାଉ ହୋଇଥିବା ବେଳେ ୨୯ଟି ଦୋକାନ ଏବଂ ପ୍ରତିଷ୍ଠାନରୁ ୩ଲକ୍ଷ ୭୭ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ତେବେ ଖୁବ୍‌ଶୀଘ୍ର ସୁନା ଦୋକାନୀଙ୍କୁ ନୋଟିସ୍‌ କରାଯିବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ।

Leave a Reply