ଭାରତ-ନେପାଳ ସମ୍ପର୍କରେ ନୂଆ ଇତିହାସ

1 min read

ନୂଆଦିଲ୍ଲୀ: ଉଦଘାଟିତ ହେଲା ଭାରତ ଓ ନେପାଳ ମଧ୍ୟରେ ପ୍ରଥମ ରେଳ ଲିଙ୍କ । ପତାକା ହଲାଇ ଏହାର ଉଦଘାଟନ କଲେ ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଓବା ଓ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିହାରର ଜୟନଗର ଓ ନେପାଳର କୁର୍ଥା ମଧ୍ୟରେ ଚଳାଚଳ କରିବ ପାସେଞ୍ଜର ଟ୍ରେନ । ଏହି ପ୍ରକଳ୍ପ ହେଉଛି ୬୯ କିମି ଦୀର୍ଘ ଜୟନଗର-ବିଜଲପୁରା-ବାର୍ଦିଦାସ ରେଳ ଲିଙ୍କ ପ୍ରକଳ୍ପର ଅଂଶ ବିଶେଷ ।

ଭାରତ-ନେପାଳ ସୀମାନ୍ତରୁ ଜୟନଗରର ଦୂରତା ମାତ୍ର ୪ କିମି । ଏହାସହ ଉଭୟ ପ୍ରଧାନମନ୍ତ୍ରୀ ଦୁଇ ଦେଶ ମଧ୍ୟରେ ରୁପେ ଡିଜିଟାଲ ପେମେଣ୍ଟ ଆପ୍ଲିକେସନର ମଧ୍ୟ ଶୁଭାରମ୍ଭ କରିଛନ୍ତି । ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଓବା ଦ୍ବପାକ୍ଷିକ ସମ୍ପର୍କ ବୃଦ୍ଧି ଉପରେ କରିଛନ୍ତି ଗୁରୁତ୍ବାରୋପ । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି- ଦେଓବା ଭାରତର ଜଣେ ପୁରୁଣା ବନ୍ଧୁ । ଦୁଇ ଦେଶର ନାଗରିକଙ୍କ ମଧ୍ୟରେ ବନ୍ଧୁତ୍ବପୂର୍ଣ୍ଣ ଭାବ ବିନିମୟର ସଂସ୍କୃତି ଅନ୍ୟ କେଉଁଠି ଦେଖାଯାଏନାହିଁ ।

ତିନିଦିନିଆ ଭାରତ ଗସ୍ତରେ ଆସିଥିବା ଦେଓବା ଶକ୍ତି କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ପାରସ୍ପରିକ ସହଯୋଗ ଉପରେ ଗୁରୁତ୍ବ ପ୍ରଦାନ କରିଥିଲେ । ନୂଆଦିଲ୍ଲୀସ୍ଥିତ ହାଇଦ୍ରାବାଦ ହାଉସରେ ହୋଇଥିବା ଆଲୋଚନାରେ ଦୁଇ ଦେଶର ପ୍ରଧାନମନ୍ତ୍ରୀଙ୍କ ସମେତ ଉପସ୍ଥିତ ଥିଲେ ଦୁଇ ଦେଶର ପ୍ରତିନିଧି ।