ପିଉସାଙ୍କ ହତ୍ୟାକାରୀଙ୍କୁ ଗିରଫ କରିବା ପାଇଁ ପଞ୍ଜାବ ସରକାରଙ୍କୁ ଅନୁରୋଧ କଲେ ରୈନା

2 min read

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରୈନା ନିଜ ପିଉସାଙ୍କ ପରିବାର ଉପରେ ହୋଇଥିବା ଆକ୍ରମଣରେ ସାମିଲ ଥିବା ଅପରାଧୀଙ୍କୁ ଧରିବା ପାଇଁ ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଏବଂ ପଞ୍ଜାବ ପୋଲିସକୁ ନିବେଦନ କରିଛନ୍ତି । ଅଗଷ୍ଟ ୧୯ ତାରିଖରେ  ପଞ୍ଜାବର ପଠାନକୋଟ ସ୍ଥିତ ସୁରେଶ ରୈନାଙ୍କ ପିଉସୀଙ୍କ ଘରେ ‘କାଲେ କାଛେଓ୍ୱାଲା’ ନାମକ ଏକ ଲୁଟେରା ଗ୍ୟାଙ୍ଗ ଆକ୍ରମଣ କରିଥିଲେ । ଘରର ପୂରା ପରିବାର ଛାତ ଉପରେ ଶୋଇଥିବା ସମୟରେ ଲୁଟ ଉଦ୍ଦେଶ୍ୟରେ ଆକ୍ରମଣ କରିଥିଲା ଏହି ଗ୍ୟାଙ୍ଗ୍‌ । ଆକ୍ରମଣରେ ସୁରେଶ ରୈନାଙ୍କ ପିଉସା ଅଶୋକ କୁମାରଙ୍କ ମୁଣ୍ଡରେ ଆଘାତ ଲାଗିଥିଲା ।  ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଅଶୋକଙ୍କ ୮୦ ବର୍ଷୀୟ ମା ସତ୍ୟା ଦେବୀ,ତାଙ୍କ ପତ୍ନି ଆଶା ଦେବୀ,ପୁଅ ଅପିନ ଏବଂ କୁଶାଲ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଯାହାପରେ ସତ୍ୟାଦେବୀ ଘରକୁ ଫେରିଥିଲେ ।

ଖବର ଅନୁଯାୟୀ ରୈନାଙ୍କ ପିଉସୀଙ୍କ ସ୍ୱାସ୍ଥାବସ୍ଥା ଗମ୍ଭୀର ରହିଛି ଏବଂ ସେ ଏବେ ମଧ୍ୟ ହସ୍ପିଟାଲରେ ଅଛନ୍ତି । ଏହା ମଧ୍ୟରେ ଏତେ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିପାରି ନାହିଁ । ଅଭିଯୁକ୍ତକୁ ଯାଥାଶୀଘ୍ର ଗିରଫ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଞ୍ଜାବ ସରକାରଙ୍କୁ ଅନୁରୋଧ କରିଛନ୍ତି ରୈନା। ଯାହାକୁ ସେ ଟ୍ୱିଟ ମାଧ୍ୟମରେ ଜଣାଇଛନ୍ତି ।

 

ସୁରେଶ ରୈନା ଟ୍ୱିଟ କରି ଜଣାଇଛନ୍ତି କି, ପଞ୍ଜାବରେ ମୋ ପରିବାର ସହିତ ଯାହା ହେଲା ତାହା ଖୁବ ଭୟାନକ ଥିଲା । ଏହା ସହିତ ତାଙ୍କ ପିଉସାଙ୍କ ମୃତ୍ୟୁ ହୋଇଥିବା ଏବଂ ଦୁଇ  ଭାଇ ଗମ୍ଭୀର ଆହତ ହୋଇଥିଲେ, କିନ୍ତୁ ଗତ ସୋମବାରକୁ ଜୀବନ ମରଣ ସହିତ ଲଢି ଜଣେ ଭାଇର ମୃତ୍ୟୁ ହୋଇଥିବା ସେ ଲେଖିଛନ୍ତି । ପିଉସୀ ଏବେ ମଧ୍ୟ ଗମ୍ଭୀର ଅବସ୍ଥାରେ ହସ୍ପିଟାଲରେ ଥିବା କଥା ଟ୍ୱିଟରରେ ଲେଖିଛନ୍ତି ରୈନା ।

 

 


ସୂଚନାଯୋଗ୍ୟ ଯେ, ପିଉସାଙ୍କ ପରିବାର ଉପରେ ଆକ୍ରମଣ ଖବର ପାଇଁ ରୈନା ଆଇପିଏଲ ମ୍ୟାଚ୍ ଛାଡି ଭାରତ ଚାଲି ଆସିଥିଲେ । ତେବେ ଚେନ୍ନାଇ ସୁପର କିଙ୍ଗସର ମାଲିକ ତଥା ବିସିସିଆଇର ପୂର୍ବତନ ମୁଖ୍ୟ ଶ୍ରିନିବାଶନ ପରେ ଏକ ବକ୍ତବ୍ୟରେ କହିଥିଲେ ଯେ,ରୈନା ହୋଟେଲ ରୁମକୁ ନେଇ ଅସନ୍ତୁଷ୍ଟ ଥିଲେ ତେଣୁ ସେ ଦୁବାଇରୁ ଭାରତ ଫେରି ଯାଇଛନ୍ତି । ରୈନା ଯଦି ମ୍ୟାଚ୍ ଖେଳିବାକୁ ପୁଣି ଫେରନ୍ତି ନାହିଁ ତେବେ ତାଙ୍କୁ ବାର୍ଷିକ ଦରମା ୧୧ କୋଟି ଟଙ୍କା ହରେଇବାକୁ ପଡିବ ବୋଲି ସେ ଚେତାବନୀ ଦେଇଥିଲେ ।

Leave a Reply