ରାଇରଙ୍ଗପୁରରୁ ବାରିପଦା, ବାଲେଶ୍ବରରୁ କୋରେଇ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାର

1 min read

ଭୁବନେଶ୍ବର: ରାଜ୍ୟରେ ଜୁନ ପହିଲାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ମୁଖ୍ଯମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ମାରାଥନ ପ୍ରଚାର । ପ୍ରଥମେ ରାଇରଙ୍ଗପୁର, ତା’ପରେ ବାରିପଦା, ବାଲେଶ୍ବର ଓ କୋରେଇରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଲେ ମୁଖ୍ଯମନ୍ତ୍ରୀ । ତାଙ୍କୁ ଦେଖିବାକୁ, ତାଙ୍କଠାରୁ ଦୁଇ ପଦ କଥା ଶୁଣିବାକୁ ବିଜେଡି କର୍ମୀଙ୍କ ମନରେ ଥିଲା ନାହିଁ ନ ଥିବା ଉତ୍ସାହ ।

ନବୀନ ପ୍ରଥମେ ପହଞ୍ଚିଥିଲେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ । ପ୍ରବଳ ଖରା ସତ୍ତ୍ବେ ତାଙ୍କୁ ସେଠାରେ ଅପେକ୍ଷା କରି ରହିଥିଲେ ହଜାର ହଜାର କର୍ମୀ ଓ ସମର୍ଥକ। । ହାତରେ ଶଙ୍ଖ ପ୍ଲାକାର୍ଡ ଓ ମୁହଁରେ ବିଜେଡି ଜିନ୍ଦାବାଦ, ନବୀନ ପଟ୍ଟନାୟକ ଜିନ୍ଦାବାଦର ନାରା । ନବୀନ ପଟ୍ଟନାୟକ ମଞ୍ଚରେ ପହଞ୍ଚିବା ମାତ୍ରେ ସମର୍ଥକମାନେ ଜୋରଦାର କରତାଳି ଦେଇ ସ୍ବାଗତ କରିଥିଲେ । ସମାବେଶରେ ନିଜ ସରକାରର ବିଭିନ୍ନ ଯୋଜନା ସମ୍ପର୍କରେ କହି ମତାମତ ମାଗିଥିଲେ ନବୀନ, ଆଉ ମଞ୍ଚ ତଳୁ ଜନତାଙ୍କ ତରଫରୁ ଆସୁଥିବା ହଁ ଶବ୍ଦରେ ପ୍ରକମ୍ପିତ ହେଉଥିଲା ଅଞ୍ଚଳ । ସଭାରୁ ନବୀନ କହିଥିଲେ, ବିରୋଧୀ ମିଛ କଥା କହୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ବିଜେଡିର ଉଭୟ ବିଧାୟକ ଓ ଏମପି ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ଜିତାଇବାକୁ ଆହ୍ବାନ ଦେଇଥିଲେ ମୁଖ୍ଯମନ୍ତ୍ରୀ ।

ରାଇରଙ୍ଗପୁର ପରେ ବାରିପଦାରେ ପହଞ୍ଚିଥିଲେ ମୁଖ୍ଯମନ୍ତ୍ରୀ । ନବୀନ ପହଞ୍ଚିବା ପୂର୍ବରୁ ରୁଣ୍ଡ ହୋଇ ଯାଇଥିଲେ ହଜାର ହଜାର କର୍ମୀ, ନେତା ଓ ସାଧାରଣ ଜନତା । ଏକ ପ୍ରକାର ଜନସମୁଦ୍ର ପାଲଟିଥିଲା ସମାବେଶ ସ୍ଥଳ । ମୁଖ୍ଯମନ୍ତ୍ରୀ ପହଞ୍ଚିବା ପରେ ବିରାଟ ଫୁଲମାଳ ଓ ମହିଳାଙ୍କ ହୁଳହୁଳିରେ ତାଙ୍କୁ ସ୍ବାଗତ କରାଯାଇଥିଲା । ଶଙ୍ଖ ଚିହ୍ନରେ ଭୋଟ ଦେଇ ବିଜେଡିର ଉଭୟ ସାଂସଦ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀଙ୍କୁ ଜିତାଇବାକୁ ନବୀନ ଆହ୍ବାନ ଦେଇଥିଲେ । ସେହିପରି ବିରୋଧୀଙ୍କ ମିଛ ଅପପ୍ରଚାର ପାଇଁ ଭୋଟରେ ସେମାନଙ୍କୁ କଡ଼ା ଜବାବ ଦେବାକୁ ଅପିଲ କରିଥିଲେ କାର୍ତ୍ତିକ ପାଣ୍ଡିଆନ । ଲକ୍ଷ୍ମୀ ବସ୍, କାଳିଆ ଯୋଜନା, BSKY, ଚାନ୍ଦିପୁରର ବିକାଶ ପରି ଉନ୍ନୟନ କାମର ଉଦାହରଣ ଦେଇ ବିଜେଡିକୁ ଭୋଟ ଦେବାକୁ ଆହ୍ଵାନ ଦେଇଥିଲେ ପାଣ୍ଡିଆନ । ଜୁନ ୯ରେ ନବୀନ ପଟ୍ଟନାୟକ ଷଷ୍ଠ ଥର ମୁଖ୍ଯମନ୍ତ୍ରୀ ଭାବେ ଶପଥ ନେବେ ବୋଲି  ପାଣ୍ଡିଆନ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ।

ବାଲେଶ୍ବରରେ ଥିଲା ତୃତୀୟ ସମାବେଶ । ଏଠାକାର ସଭାସ୍ଥଳର ପରିବେଶ ମଧ୍ଯ ଦେଖିବା ଭଳିଆ ଥିଲା । ଏଠାରେ ବାଲେଶ୍ବରର ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ କିଛି କାମ କରି ନାହାନ୍ତି ବୋଲି ସମାଲୋଚନା କରି କହିଥିଲେ ନବୀନ । ତେଣୁ ଏଥର ଶଙ୍ଖ ଚିହ୍ନରେ ଭୋଟ ଦେଇ ବାଲେଶ୍ବରରୁ ବିଜେଡି ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଜିତାଇବାକୁ ଅପିଲ୍ କରିଥିଲେ ମୁଖ୍ଯମନ୍ତ୍ରୀ ।