ରାଜଧାନୀ ରାଜରାସ୍ତାରେ ରାଜାର ଗୁଣ୍ଡାରାଜ୍, ଭିଡିଓ ଭାଇରାଲ ପରେ ସବୁଠି ଆତଙ୍କ

ଭୁବନେଶ୍ୱର: ରାଜଧାନୀ ରାଜରାସ୍ତାରେ ରାଜାର ଗୁଣ୍ଡାରାଜ । ମାର୍କେଟକୁ ଆସିଛୁ ନୂଆ, ବଜାର କରିବୁ ଧୂଆଁ । ଡାଇଲଗ୍ ସହ ନବାବ ଷ୍ଟାଇଲରେ ଚାଲି କରୁଛି ଖତରନାକ ରିଲ୍ସ । ଛାତି ଥରାଇ ଦେଲା ଭଳି ମାଳ ମାଳ ଭିଡିଓ । କେତବେଳେ କାହାକୁ ହାଣି ପକାଉଛନ୍ତି ତ ଆଉ କାହାକୁ ଗୁଳି ମାରି ଦେଉଛି । ତା ସାଙ୍ଗକୁ ଧମକ ଆଉ ଅଭଦ୍ର ଭାଷାରେ ଗାଳିଗୁଲଜ ବି । ଏଇ କିଛି ଦିନ ହେବ ସୋସିଆଲ ମିଡିଆରେ ରାଜା ଗୁଣ୍ଡା ନାଁରେ ଭିଡିଓ ଭାଇରାଲ ଚାଲିଛି  ।

ସୋସିଆଲ ମିଡିଆରେ ଏହି ସବୁ ଭିଡିଓ କେଉଁ ଉଦ୍ଦେଶ୍ୟରେ କରାଯାଇଛି ତାହା ହୁଏତ ସ୍ପଷ୍ଟ ହୋଇନି । କିନ୍ତୁ ଏହା ସାଧାରଣ ଲୋକର ହାର୍ଟ ବିଟ ବଢାଇଦେବା ସୁନିଶ୍ଚିତ । ନୃଶଂସ ଭଳି ବ୍ୟବହାର କରୁଥିବା ଏହି ଯୁବକମାନେ ରିଲ୍ସରେ ଜଣଙ୍କ ପରେ ଜଣଙ୍କୁ ହାଣି ପକାଉଛନ୍ତି । କାହାର ଆଖି ତାଡି ପକାଉଛନ୍ତି ତ ପୁଣି ବାଘ ଭଳି ଝାମ୍ପ ଦେଇ ବେକରୁ ରକ୍ତ ଶୋଷି ପକାଉଛନ୍ତି । ଓପନ ଜିପରେ ବସି ରାଜରାସ୍ତା ଉପରେ ରାପ୍ କରିବା ଆଳରେ ଅଶ୍ଳୀଳ ଇଙ୍ଗିତ କରି ଭିଡିଓ ଅପଲୋଡ କରୁଛନ୍ତି । ଏହି ଭିଡିଓ ଏବେ ଭାଇରାଲ ପରେ କମିଶନରରେଟ ପୋଲିସ ସ୍କାନରରେ ରହିଛନ୍ତି ଏହି ଯୁବକ ।

ପୂର୍ବରୁ ରାଜଧାନୀରେ ଦବଦବା ଜାହିର ପାଇଁ ରକ୍ତଚରିତ୍ର ରିଲ୍ସ କରି ଲୋକଙ୍କ ମନରେ ଆତଙ୍କ ଖେଳାଇଥିବା ଗ୍ୟାଙ୍ଗ ଓ ଗ୍ୟାଙ୍ଗଲିଡର ଝାରପଡ଼ା ଜେଲରେ ଦିନ କାଟିଛନ୍ତି । ଲୋକଙ୍କୁ ଭୟଭୀତ କଲାଭଳି ରିଲ୍ସ ତିଆରି କଲେ କିମ୍ବା ପ୍ରୋଫାଇଲରେ ଥିବା ପୁରୁଣା ଭିଡିଓ ଡିଲେଟ୍ ନକଲେ ଷ୍ଟାର ହେବା ନିଶା ଛଡ଼ାଇଦେବ ବୋଲି କହିଛି ପୋଲିସ ।