ରାଜା ରଘୁବଂଶୀଙ୍କର ଆସିଲା ପୋଷ୍ଟମର୍ଟମ ରିପୋର୍ଟ

1 min read

ନନ୍ଦିଘୋଷ ବ୍ୟୁରୋ : ଇନ୍ଦୋର ନିଖୋଜ ଦମ୍ପତି ମାମଲାରେ ବ୍ୟବସାୟୀ ସ୍ୱାମୀ ରାଜା ରଘୁବଂଶୀଙ୍କର ଆସିଲା ପୋଷ୍ଟମର୍ଟମ ରିପୋର୍ଟ । ପ୍ରାଥମିକ ତଦନ୍ତରେ ତାଙ୍କୁ ଏକ ଧାରୁଆ ଜିନିଷରେ ମୁଣ୍ଡକୁ ଦୁଇଥର ଆଘାତ କରାଯାଇଥିବା ସୂଚନା ମିଳିଥିଲା । ତଦନ୍ତ ସମୟରେ ତାଙ୍କ ମୃତଦେହକୁ ଉଦ୍ଧାର କରିବା ସମୟରେ ତାଙ୍କ ମୁଣ୍ଡରେ କଟା ଚିହ୍ନ ଥିବା ପୋଲିସ କହିଥିଲେ ।

ତେବେ ଉତ୍ତର ପୂର୍ବ ଇନ୍ଦିରା ଗାନ୍ଧୀ ଆଞ୍ଚଳିକ ସ୍ୱାସ୍ଥ୍ୟ ଏବଂ ଚିକିତ୍ସା ବିଜ୍ଞାନ ପ୍ରତିଷ୍ଠାନ (NEIGRIHMS)ରେ ରାଜା ରଘୁବଂଶୀଙ୍କ ପୋଷ୍ଟମର୍ଟମ କରାଯାଇଛି। ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିଛି ଯେ ମୃତକଙ୍କ ମୁଣ୍ଡରେ ଦୁଇଟି ଗଭୀର କ୍ଷତ ଅଛି  । ଗୋଟିଏ ପଛ ପଟେ ଏବଂ ଗୋଟିଏ ଆଗ ପଟେ।

ଅନ୍ୟପଟେ ମାମଲାର ଅଭିଯୁକ୍ତ ସୋନମକୁ ତିନି ଦିନିଆ ରିମାଣ୍ଡରେ ଅଣାଯାଇଛି । ତାଙ୍କୁ ରାତିରେ ଗାଜିପୁରର ଏକ ସ୍ଥାନୀୟ କୋର୍ଟରେ ହାଜର କରାଯାଇଥିଲା। ପୋଲିସ ତାଙ୍କୁ ନେଇ ବିହାରର ରାଜଧାନୀ ପାଟନାରେ ପହଞ୍ଚିଛି। ବର୍ତ୍ତମାନ ତାଙ୍କୁ ପାଟନାର ଫୁଲୱାରି ଥାନାରେ ରଖାଯାଇଛି। ଆଜି ସୋନମକୁ ସ୍ପାଇସ୍ ଜେଟ୍ ବିମାନ ଯୋଗେ ପାଟନାରୁ ଗୌହାଟୀ ନେଇଯିବ। ଏହା ପରେ, ତାଙ୍କୁ ଶିଲଂ ନିଆଯିବ।

ହନିମୁନରେ ସ୍ୱାମୀକୁ ହତ୍ୟା !

ରାଜା ରଘୁବଂଶୀ ଏବଂ ତାଙ୍କ ପତ୍ନୀ ସୋନମ, ମେଘାଳୟକୁ ହନିମୁନ ପାଇଁ ଆସିଥିଲେ, ସେମାନେ ମେ ୨୩ ତାରିଖରେ ପୂର୍ବ ଖାସି ପାହାଡ଼ର ସୋହରାରେ ନିଖୋଜ ହୋଇଯାଇଥିଲେ। ଜୁନ୍ ୨ ତାରିଖରେ, ରଘୁବଂଶୀଙ୍କ ମୃତଦେହ ଏକ ଘାଟିରୁ ମିଳିଥିଲା, ହେଲେ ତାଙ୍କ ପତ୍ନୀ ନିଖୋଜ ଥିଲେ । ପୋଲିସର ସୂଚନା ଅନୁଯାୟୀ, ମୃତଦେହ ନିକଟରେ ଏକ ରକ୍ତ ଲାଗିଥିବା ଛୁରୀ ମଧ୍ୟ ମିଳିଥିଲା । ଅନ୍ୟପଟେ ସୋମବାର ସକାଳେ ସୋନମଙ୍କୁ ଉତ୍ତର ପ୍ରଦେଶର ଗାଜିପୁରରୁ ଗିରଫ କରାଯାଇଥିଲା । ଏହା ସହିତ ଅନ୍ୟ ଚାରି ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି ।