ପବିତ୍ର ପୌଷପୂର୍ଣ୍ଣିମାରେ ରାଜରାଜେଶ୍ବର ବେଶରେ ଦର୍ଶନ ଦେବେ କାଳିଆ ଠାକୁର

ପୁରୀ : ଆଜି ପବିତ୍ର ପୌଷପୂର୍ଣ୍ଣିମା । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦେବାଭିଷେକ ନୀତି ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ଦ୍ବାଦଶ ଯାତ୍ରା ମଧ୍ୟରୁ ଏହା ଏକ ଅନନ୍ୟ ଯାତ୍ରା । ଗତକାଲି ଚତୁର୍ଦଶୀ ତିଥିରେ ଅଧିବାସ ଗୃହରେ ଅଧିବାସ ହୋଇ ରହିଥିବା ଘିଅ ମିଶ୍ରିତ ୧୦୮ ଗରା ଜଳରେ ଚନ୍ଦନ ଲାଗି ପରେ  ମହାପ୍ରଭୁଙ୍କୁ ଅଭିଷେକ କରାଯିବ । ପରେ ମହାପ୍ରଭୁଙ୍କଠାରୁ ଆଜ୍ଞା ମାଳ ପାଇ ଶ୍ରୀଦେବୀ ପାଲିଙ୍କିରେ ମାଆ ଲକ୍ଷ୍ମୀଙ୍କ ମନ୍ଦିର ଜଗମୋହନକୁ ବିଜେ କରିବେ । ଏହାପରେ ରତ୍ନସିଂହାସନରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ । କିରିଟ, କୁଣ୍ଡଳ,ଶ୍ରୀପୟର, ଶ୍ରୀଭୁଜ, ହରିଡ଼ାମାଳ, ବାହାଡା ମାଳ,ସେବତୀମାଳ, ଆଡ଼କାନି, ଚନ୍ଦ୍ର ସୂର୍ଯ୍ୟ  ଆଦି ବିବିଧ ପ୍ରକାର ସ୍ବର୍ଣ ଅଳଙ୍କାରରେ ମହାପ୍ରଭୁ  ରାଜରାଜେଶ୍ବର ବେଶରେ ବିଭୂଷିତ ହୋଇ ଭକ୍ତ ଜନଙ୍କୁ ଦର୍ଶନ ଦେବେ ।