୭ ଘଣ୍ଟାର କସରତ ପରେ ବୋରୱେଲରେ ଫସିଥିବା ବାଳକ ଉଦ୍ଧାର

ଜୟପୁର: ପୁଣି ବୋରଓ୍ବେଲ ଅଘଟଣ । ୨୦୦ ଫୁଟ ଗଭୀର ବୋରଓ୍ବେଲରେ ଖସିପଡିଲା ୯ ବର୍ଷ ବୟସ୍କ ବାଳକ । ପ୍ରାୟ ୭ ଘଣ୍ଟା ପରେ ହୋଇଛି ଉଦ୍ଧାର । ଏନଡିଆରଏଫ ଓ ଏସଡିଆରଏଫ ବାହିନୀର ପ୍ରାଣମୂର୍ଚ୍ଛା ଉଦ୍ୟମ ପରେ ତାକୁ କରାଯାଇଛି ଉଦ୍ଧାର । ରାଜସ୍ଥାନ ଜୟପୁର ଅନ୍ତର୍ଗତ ଭୋଜପୁରାରେ ଏକ ୨୦୦ ଫୁଟ ବୋରଓ୍ବେଲରେ ଖସିପଡିଥିଲା ୯ ବର୍ଷ ବୟସ୍କ ଲକି ।

ଖେଳୁଥିବାବେଳେ ଆଜି ସକାଳ ୭ଟାରେ ଅସାବଧାନତା ଅବସ୍ଥାରେ ସେ ଖୋଲା ନଳକୂପରେ ଖସିପଡିଥିଲା । ବାଳକକୁ ଉଦ୍ଧାର କରିବା ଲାଗି ଏନଡିଆରଏଫ ଓ ଏସଡିଆରଏଫ ଟିମ୍ ମୁତୟନ କରାଯାଇଥିଲା । ଲକି ଚତୁର୍ଥ ଶ୍ରେଣୀରେ ପଢୁଥିବା ସୂଚନା ମିଳିଛି । ମାମୁ ଘରକୁ ବୁଲି ଆସିଥିବାବେଳେ ଲକି ବୋରଓ୍ବେଲରେ ଖସିପଡିଥିଲା । ପ୍ରାୟ ୭୦ ଫୁଟ ଗଭୀରରେ ସେ ଲାଖିଯାଇଥିଲା । ଲକିକୁ ଅମ୍ଳଜାନ ଓ ପାନୀୟ ଦିଆଯାଇଥିଲା ।