ଲୋକସଭାରେ ଅପରେସନ ସିନ୍ଦୂର ଘମାସାନ; ପ୍ରତିରକ୍ଷା ମନ୍ତ୍ରୀଙ୍କ ବୟାନ : ଶହେ ଆତଙ୍କୀ ନିପାତ,୯ ଶିବିର ଧ୍ଵଂସ

1 min read

ନନ୍ଦିଘୋଷ ବ୍ୟୁରୋ : ଅପରେସନ ସିନ୍ଦୂରରେ ଶହେରୁ ଅଧିକ ଆତଙ୍କୀ ହୋଇଛନ୍ତି ନିପାତ। ୯ ଆତଙ୍କୀ ଠିକଣାକୁ କରାଯାଇଥିଲା ଟାର୍ଗେଟ। ୨୨ ମିନଟ ମଧ୍ୟରେ ସରିଥିଲା ଅପରେସନ ସିନ୍ଦୂର। ଲୋକସଭାରେ ଅପରସେନ ସିନ୍ଦୂର ସମ୍ପର୍କରେ ସ୍ବତନ୍ତ୍ର ଆଲୋଚନା ବେଳେ ଏହା କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ସେ କହିଛନ୍ତି ୭ ମେ ୨୦୨୫ରେ ଆରମ୍ଭ ହୋଇଥିଲା ଅପରେସନ। ୟୁଏଭି ଜରିଆରେ ବାୟୁସେନା କରିଥିଲା ହମଲା। ଡ୍ରୋନ, ବିମାନ, ଦୂରଗାମୀ କ୍ଷେପଣାସ୍ତ୍ର ପ୍ରୟୋଗ କରିଥିଲା ପାକିସ୍ତାନ। ହେଲେ ପାକିସ୍ତାନର ସମସ୍ତ ଆକ୍ରମଣକୁ ପ୍ରତିହତ କରିଥିଲା ଭାରତ। ଭାରତର କୌଣସି ଟାର୍ଗେଟକୁ କ୍ଷତି କରିପାରି ନଥିଲା ପାକିସ୍ତାନ। ଏସ-୪୦୦ ଏୟାର ଡିଫେନ୍ସ ଯୋଗୁ ଭାରତକୁ ମିଳିଥିଲା ସଫଳତା। ସାରା ବିଶ୍ବ ଦେଖିଥିଲା ଭାରତୀୟ ବାୟୁସେନାର ତାକତ। ଅପରେସନ ସିନ୍ଦୂରର ଲକ୍ଷ୍ୟ ଥିଲା ଆତଙ୍କୀ ନିପାତ। କାହାର ସୀମା ଦଖଲ କରିବା ଭାରତର ନଥିଲା ଉଦ୍ଦେଶ୍ୟ। ପାକିସ୍ତାନର ଆତଙ୍କୀ ଭିତ୍ତିଭୂମିକୁ ନଷ୍ଟ କରିବା ଥିଲା ଭାରତର ଲକ୍ଷ୍ୟ। ଅପରେସନ ସିନ୍ଦୂର ସ୍ଥଗିତ ରହିଛି, ଶେଷ ହୋଇନାହିଁ ବୋଲି କହିଥିଲେ ରାଜନାଥ।

ସେପଟେ ପ୍ରତିରକ୍ଷା ମନ୍ତ୍ରୀଙ୍କ ପ୍ରାରମ୍ଭିକ ବିବୃତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ। କଂଗ୍ରେସ ସାଂସଦ ଗୌରବ ଗୋଗଇ ଅଭିଯୋଗ କରିଛନ୍ତି- ଅପରେସନ ସିନ୍ଦୂର ଚାଲିଥିବାବେଳେ ପାକିସ୍ତାନକୁ ଚୀନ ସବୁ ପ୍ରକାରର ସାମରିକ ସହଯୋଗ ଯୋଗାଉଥିଲା। ପ୍ରତିରକ୍ଷା ମନ୍ତ୍ରୀଙ୍କ ଉତ୍ତରରେ ଚୀନ କଥା ପଦୁଟିଏ ବି ଉଲ୍ଲେଖ ନାହିଁ। ସରକାର ଏକଥା ବି କହୁଛନ୍ତି ଅପରେସନ ସିନ୍ଦୂରର ଉଦ୍ଦେଶ୍ୟ ଥିଲା କେବଳ ଆତଙ୍କୀ ଶିବିରକୁ ଧ୍ବଂସ କରିବା। ଦୀର୍ଘ ୨୦ ବର୍ଷ ଧରି ପାକିସ୍ତାନ ଭାରତର ମାଟି ଉପରେ ବର୍ବରୋଚିତ ଆକ୍ରମଣ କରି ଚାଲିଛି। କାହିଁକି ଯୁଦ୍ଧ ହେଲା ନାହିଁ? ପାକ୍ ଅଧିକୃତ କାଶ୍ମୀର ଆଉ କେତେ ଦିନ ପାକିସ୍ତାନ ଅଧୀନରେ ରହିବ ବୋଲି ସେ ପ୍ରଶ୍ନ କରିଛନ୍ତି।

ଅନ୍ୟପଟେେ ପହଲଗାଁଓ ଆକ୍ରମଣର ମାଷ୍ଟରମାଇଣ୍ଡ ଖତମ୍। ଅପରେସନ ମହାଦେବରେ ନିହତ ହୋଇଛନ୍ତି ୩ ଆତଙ୍କବାଦୀ । ସେମାନଙ୍କ ମଧ୍ୟରେ ରହିଛି ପହଲଗାଁଓ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ହାସିମ ମୁସା । ଶ୍ରୀନଗରରେ ହୋଇଥିବା ଏନକାଉଣ୍ଟରରେ ସେମାନଙ୍କ ମୃତ୍ୟୁ ହୋଇଛି। ଆର୍ମିର ଅପରେସନ ବେଳେ ସେମାନେ ନିହତ ହୋଇଛନ୍ତି। ଆତଙ୍କବାଦୀମାନେ ଲୁଚି ଥିବା ଖବର ପାଇବା ପରେ ସେନା, ସିଆରପିଏଫ୍ ଓ ପୋଲିସ ପକ୍ଷରୁ ଅପରେସନ କରାଯାଇଥିଲା। ଏଥିରେ ୩ ସନ୍ଦିଗ୍ଧ ଆତଙ୍କବାଦୀ ନିହତ ହୋଇଛନ୍ତି। ପହଲଗାଁଓରେ ଆତଙ୍କବାଦୀଙ୍କ ଆଖିବୁଜା ଗୁଳିଚାଳନାରେ ୨୬ ଜଣଙ୍କ ମୃତ୍ୟୁ ହୋଇଥିଲା। ସଂପୃକ୍ତ ଆତଙ୍କବାଦୀଙ୍କୁ ଏବେ ମିଳିଛି ସଜା। ଆତଙ୍କୀଙ୍କ ନିକଟରୁ ୨ଟି ଏକେ ଧରଣର ରାଇଫଲ, ଗୋଟିଏ ଏମ୪ କାର୍ବାଇନ, ୧୭ଟି ବ୍ୟାରେଲ ଗ୍ରେନେଡ, ବିଭିନ୍ନ ସାମଗ୍ରୀ ଆଦି ଜବତ ହୋଇଛି।