ଗୁଜରାଟର ଭୁଜ ଏୟାରବେସ ପରିଦର୍ଶନ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
1 min read
ନନ୍ଦିଘୋଷ ବ୍ୟୁରୋ : ଆଜି ଗୁଜରାଟର ଭୁଜ ଏୟାରବେସ ପରିଦର୍ଶନ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଏହା ସହ ସେ ଭାରତ-ପାକିସ୍ତାନ ସୀମାନ୍ତ ଅଞ୍ଚଳ ବି ପରିଦର୍ଶନ କରିବେ। ଦୁଇଦିନିଆ ଗୁଜରାଟ ଗସ୍ତରେ ଯାଇ ସେ ସ୍ଥିତି ସମୀକ୍ଷା କରିବେ। ଏହି ଗସ୍ତକାଳରେ ସେ ସଶସ୍ତ୍ରବାହିନୀର ଅପରେସନାଲ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିବେ। କିଛି ଦିନ ତଳେ ପାକିସ୍ତାନ ପକ୍ଷରୁ ହୋଇଥିବା ଡ୍ରୋନ ହମଲାର ସଫଳ ପ୍ରତିରୋଧ କରାଯାଇଥିବାବେଳେ ଭାରତୀୟ ସେନାକୁ ଅଧିକ ପ୍ରସ୍ତୁତ ରଖିବା ଲାଗି ରାଜନାଥ ଆହ୍ବାନ ଦେବେ।
ଅପରେସନ ସିନ୍ଦୂର ବେଳେ ଭୁଜ ଉପରେ ଡ୍ରୋନ ଆକ୍ରମଣ କରିବା ଲାଗି ପାକିସ୍ତାନ ଉଦ୍ୟମ କରିଥିଲା। ମାତ୍ର ଭାରତ ଏହି ଯୋଜନାକୁ ପଣ୍ଡ କରିଥିଲା। ଭୁଜର ରୁଦ୍ର ମାତା ଏୟାର ଫୋର୍ସ ଷ୍ଟେସନ ଭାରତୀୟ ବାୟୁସେନାର ଏକ ଗୁରୁତ୍ବପୂର୍ଣ୍ଣ ପ୍ରତିଷ୍ଠାନ। ଭୁଜ ବେସାମରିକ ବିମାନବନ୍ଦରର ରନୱେ ସହ ଏୟାରଫୋର୍ସ ଷ୍ଟେସନ ରନୱେ ସମ୍ପୃକ୍ତ ରହିଛି। ଭାରତ-ପାକିସ୍ତାନ ସୀମାନ୍ତ ଅଞ୍ଚଳରେ ଭୁଜ ଏୟାରଫୋର୍ସ ଷ୍ଟେସନ ଥିବାରୁ ଏୟାର ଡିଫେନ୍ସ ଓ ସର୍ଭେଲାନ୍ସ କ୍ଷେତ୍ରରେ ଏହା ପ୍ରମୁଖ ଗୁରୁତ୍ବ ବହନ କରିଥାଏ। ଦକ୍ଷିଣ ପଶ୍ଚିମ କମାଣ୍ଡ ଅଧୀନରେ ଭୁଜ ଏୟାରଫୋର୍ସ ଷ୍ଟେସନ ରହିଛି। ପଶ୍ଚିମାଞ୍ଚଳ ଏୟାର କମାଣ୍ଡ ଅଧୀନରେ ରହିଛି ଜାମୁ ଓ କାଶ୍ମୀର, ରାଜସ୍ଥାନ, ହିମାଚଳ ପ୍ରଦେଶ, ପଞ୍ଜାବ, ହରିୟାଣା, ଦିଲ୍ଲୀ ଓ ପଶ୍ଚିମାଞ୍ଚଳ ଉତ୍ତରପ୍ରଦେଶ।