ନୂଆଦିଲ୍ଲୀ: ଅଲବିଦା ଗଜୋଧର ଭୈୟା। ପଞ୍ଚଭୂତରେ ଲୀନ ହେଲେ କମେଡି କିଙ୍ଗ ରାଜୁ ଶ୍ରୀବାସ୍ତବ। ଦିଲ୍ଲୀର ନିଗମବୋଧ ଘାଟରେ ରାଜୁଙ୍କ ଅନ୍ତିମ ସତ୍କାର ସମ୍ପନ୍ନ ହୋଇଛି। ପରିବାର, ବନ୍ଧୁ ଓ ଫ୍ୟାନସଙ୍କ ଉପସ୍ଥିତିରେ ଶେଷକୃତ୍ୟ କରାଯାଇଛି। ଅନ୍ତିମ ସତ୍କାରରେ ବଲିଉଡ ଜଗତର ବହୁ ସେଲିବ୍ରିଟି ମଧ୍ୟ ସାମିଲ ହୋଇ ରାଜୁଙ୍କୁ ଅଶ୍ରୁଳ ବିଦାୟ ଦେଇଛନ୍ତି। ଗତକାଲି ଦିଲ୍ଲୀ ଏମ୍ସରେ ୫୮ବର୍ଷ ବୟସରେ ଆଖି ବୁଜିଥିଲେ ରାଜୁ।

ଷ୍ଟାଣ୍ଡ ଅପ୍ କମେଡିଆନ ଭାବେ ଲୋକଙ୍କୁ ହସେଇ ହସେଇ ବେଦମ କରୁଥିବା ରାଜୁଙ୍କ ଦେହାନ୍ତ ହାସ୍ୟ ଜଗତ ପାଇଁ ଅପୁରଣୀୟ କ୍ଷତି। ଜିମରେ ବ୍ୟାୟାମ କରୁଥିବା ବେଳେ ରାଜୁ ହୃଦଘାତର ଶିକାର ହୋଇଥିଲେ। ଗତ ଅଗଷ୍ଟ ୧୦ ତାରିଖରେ ତାଙ୍କୁ ଦିଲ୍ଲୀ ଏମସରେ ଭର୍ତ୍ତି କରାଯାଇଥିଲା। ହୃଦଘାତ ସହ ତାଙ୍କ ମସ୍ତିଷ୍କରେ ବି ଆଘାତ ଲାଗିଥିଲା। ୧୯୬୩ ମସିହାରେ ଉତ୍ତରପ୍ରଦେଶର କାନପୁରରେ ଜନ୍ମ ଗ୍ରହଣ କରିଥିଲେ ରାଜୁ। ବିଭିନ୍ନ କମେଡ଼ି ଶୋ’ରେ ଭାଗ ନେଇ ରାଜୁ ଘରେ ଘରେ ପରିଚିତ ହୋଇଥିଲେ। ୧୯୮୦ ଦଶକରୁ ସେ କମେଡି ଜଗତରେ ରାଜ୍ କରି ଆସୁଥିଲେ। ୨୦୦୫ରେ ଦି ଗ୍ରେଟ ଇଣ୍ଡିଆନ ଲଫ୍ଟର ଚାଲେଞ୍ଜରେ ଭାଗ ନେବା ପରେ ତାଙ୍କୁ ନୂଆ ଫେମ ମିଳିଥିଲା।

