୫ ବର୍ଷ ଭିତରେ କେନ୍ଦ୍ରୀୟ ସ୍ତରରେ କେତେ ସଂଖ୍ୟାରେ ସାଧାରଣ ଲୋକଙ୍କ ଅଭିଯୋଗ ଶୁଣାଣି ହୋଇ ପ୍ରତିବିଧାନ ହୋଇଛି: ମାନସ ମଙ୍ଗରାଜ

ନନ୍ଦିଘୋଷ ବ୍ୟୁରୋ: ଗତ ୫ ବର୍ଷ ଭିତରେ କେତେ ସଂଖ୍ୟାରେ କେନ୍ଦ୍ରୀୟ ସ୍ତରରେ ସାଧାରଣ ଲୋକଙ୍କ ଅଭିଯୋଗ ଶୁଣାଣି ହୋଇ ପ୍ରତିବିଧାନ କରାଯାଇଛି ? ଅଭିଯୋଗ ଦାଖଲ ଦିନଠାରୁ କେତେ ଦିନ ଭିତରେ ସମସ୍ୟାର ସମାଧାନ କରାଯାଇଛି ? ଏସବୁ ପ୍ରତିବିଧାନରେ ଲୋକେ ସନ୍ତୁଷ୍ଟ ନା ନାହିଁ ? ପଞ୍ଜିକୃତ ଅଭିଯୋଗର ପ୍ରତିବିଧାନ କ୍ଷେତ୍ରରେ ସ୍ବଚ୍ଛତା ଓ ଉତ୍ତରଦାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ନା ନାହିଁ ? ଆଜି ରାଜ୍ୟସଭାରେ ଅଣତାରକା ପ୍ରଶ୍ନରେ କେନ୍ଦ୍ର ସରକାରଙ୍କୁ ଏପରି ପଚାରିଛନ୍ତି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ।

ସିପିଗ୍ରାମସ୍‌ ବା କେନ୍ଦ୍ରୀୟ ଅଭିଯୋଗ ପ୍ରତିବିଧାନ ବ୍ୟବସ୍ଥା ୨୦୨୨ ଏପ୍ରିଲରେ ଆରମ୍ଭ ହେଲା । ଏଥିରେ ୧୦ଟି ସଂସ୍କାର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦାୟିତ୍ବରେ ଥିବା ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହ ଉତ୍ତର ଦେଇ କହିଛନ୍ତି ଯେ, ୨୦୨୨, ୨୦୨୩, ୨୦୨୪ ଓ ୨୦୨୫ର ଏବେ ସୁଦ୍ଧା ୮୦ ଲକ୍ଷ ୩୬ ହଜାର ୪୨ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା । ଅଭିଯୋଗ ପ୍ରତିବିଧାନ ପାଇଁ ନିୟୋଜିତ ହୋଇଛନ୍ତି ୧ ଲକ୍ଷ ୫ ହଜାର ୬୮୧ ଜଣ ଅଧିକାରୀ । ଅଭିଯୋଗ ପଞ୍ଜିକୃତ ହେବାର ୨୮ ଦିନ ଭିତରେ ସମାଧାନ କରିବାକୁ ୨୦୧୯ରେ ବ୍ୟବସ୍ଥା ଥିଲା । ଏବେ ତାକୁ ହ୍ରାସ କରି ୧୬ଦିନ କରାଯାଇଛି । ଫଳରେ ୨୦୨୫ ଜୁନ୍‌ ସୁଦ୍ଧା ଅଭିଯୋଗ ସଂଖ୍ୟା ହ୍ରାସ ପାଇ ମାତ୍ର ୬୨ ହଜାର ୬୨୦ରେ ପହଞ୍ଚିଛି । ୨୦୨୪ ଅଗଷ୍ଟ ୨୩ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ତ୍ବରିତ ଅଭିଯୋଗ ପ୍ରତିବିଧାନ ପାଇଁ ସ୍ବତନ୍ତ୍ର ବିସ୍ତୃତି ମାର୍ଗଦର୍ଶିକା ଜାରି କରାଯାଇଛି । ଯେଉଁଥିରେ ୩୦ ଦିନରୁ ୨୧ ଦିନ ଭିତରେ ଅଭିଯୋଗ ସମାଧାନ ହୋଇପାରୁଛି । ଅଭିଯୋଗ ପ୍ରତିବିଧାନ ପାଇଁ ସମସ୍ତ ମନ୍ତ୍ରାଳୟରେ ସ୍ବତନ୍ତ୍ର ସମନ୍ବିତ ଅଭିଯୋଗ ପ୍ରତିବିଧାନ ପ୍ଲାଟଫର୍ମ, ସ୍ବତନ୍ତ୍ର ସେଲ, ସ୍ବତନ୍ତ୍ର ନୋଡାଲ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି ।

ଏହାସହିତ ଅଭିଯୋଗ ସମାଧାନ ନେଇ ଲୋକଙ୍କ ମତାମତ ମଧ୍ୟ ସଂଗ୍ରହ କରାଯାଉଛି । ୨୦୨୫ ଜୁନ ୩୦ ସୁଦ୍ଧା ଫିଡବ୍ୟାକ କଲ ସେଣ୍ଟର ଯୋଗେ ୨୩ ଲକ୍ଷ ମତାମତ ସଂଗ୍ରହ କରାଯାଇଥିଲା । ଯଦି କୌଣସି ବ୍ୟକ୍ତି ଅଭିଯୋଗ ପ୍ରତିବିଧାନରେ ସନ୍ତୁଷ୍ଟ ନ ହୁଅନ୍ତି, ତା’ହେଲେ ଅପିଲ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ୯୦ଟି ଆପିଲେଟ୍‌ ଅଥରିଟି ସମେତ ୧୫୯୭ଟି ସବ୍‌ ଆପିଲେଟ୍‌ ଅଥରିଟି ଗଠିତ ହୋଇଛି । ୨୦୨୨ରୁ ଜୁନ୍‌ ୨୦୨୫ ଯାଏଁ ସମୁଦାୟ ୭ ଲକ୍ଷ ୭୫ ହଜାର ୨୪୦ଟି ଅପିଲ ମାମଲାର ସମାଧାନ କରାଯାଇଥିବା ମନ୍ତ୍ରୀ ଜିତେନ୍ଦ୍ର ସିଂ ଉତ୍ତରରେ ଉଲ୍ଲେଖ କରିଛନ୍ତି ।