ଟିକାୟତ ଭାଇଙ୍କୁ ଝଟକା: ଭାରତୀୟ କିଷାନ ୟୁନିୟନରୁ ରାକେଶ ଆଉଟ, ଭାଇ ହାତରୁ ଗଲା ଅଧ୍ୟକ୍ଷ ପଦ

ଲକ୍ଷ୍ନୌ: କୃଷକ ଆନ୍ଦୋଳନର କର୍ଣ୍ଣଧାର ସାଜିଥିବା ରାକେଶ ଟିକାୟତଙ୍କୁ ଜୋରଦାର ଝଟକା । ଭାରତୀୟ କିଷାନ ୟୁନିୟନରୁ ରାକେଶ ଟିକାୟତଙ୍କୁ ହଟାଇ ଦିଆଯାଇଛି । ଟିକାୟତଙ୍କ ଉପରେ କେବଳ କୃଷକ ୟୁନିୟନର ଛାଟ ବାଜିନାହିଁ । ତାଙ୍କ ଭାଇ ନରେଶ ଟିକାୟତଙ୍କ ହାତରୁ ଅଧ୍ୟକ୍ଷ ପଦ ମଧ୍ୟ ଯାଇଛି । ନରେଶଙ୍କ ସ୍ଥାନରେ ରାଜେଶ ଚୌହାନଙ୍କୁ ଅଧ୍ୟକ୍ଷ କରାଯାଇଛି । ଟିକାୟତ ଭାଇଙ୍କ ବିରୋଧରେ ଏହି ଆକ୍ସନ ପରେ ଭାରତୀୟ କିଷାନ ୟୁନିୟନ ଦୁଇ ଫାଳ ହେବା ନେଇ ଆଶଙ୍କା କରାଯାଉଛି ।

ଭାରତୀୟ କିଷାନ ୟୁନିୟନ ପ୍ରତିଷ୍ଠାତା ଚୌଧୁରୀ ମହେନ୍ଦ୍ର ସିଂ ଟିକାୟତଙ୍କ ଶ୍ରାଦ୍ଧଦିବସ ଅବସରରେ ଲକ୍ଷ୍ନୌ ସ୍ଥିତ ଆଖୁ କିଷାନ ପ୍ରତିଷ୍ଠାନରେ ଭାରତୀୟ କିଷାନ ୟୁନିୟନ ନେତାଙ୍କର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା । ଯେଉଁଥିରେ ଦୁଇ ଟିକାୟତ ଭାଇଙ୍କ ବିରୋଧରେ ଏହି ନିଷ୍ପତ୍ତି ନିଆଯାଇଛି ।

ସୂଚନାଯୋଗ୍ୟ, ଭାରତୀୟ କିଷାନ ୟୁନିୟନର ଏକାଧିକ ସଦସ୍ୟ ରାଷ୍ଟ୍ରୀୟ ପ୍ରବକ୍ତା ରାକେଶ ଟିକାୟତଙ୍କ କାର୍ଯ୍ୟକଳାପକୁ ନେଇ ଅସନ୍ତୁଷ୍ଠ ଥିଲେ । ଏମାନଙ୍କର ଅଭିଯୋଗ ଥିଲା ରାକେଶ ଟିକାୟତ ନିଜ ରାଜେନୖତିକ ବୟାନବାଜି ଓ କାର୍ଯ୍ୟକଳାପ ଜରିଆରେ ନିଜ ରାଜନୈତିକ କାମ ହାସଲ କରିବାକୁ ଉଦ୍ୟମ କରିଛନ୍ତି ।

କିଷାନ ୟୁନିୟନ ନେତାଙ୍କ ଅସନ୍ତୋଷକୁ ନେଇ ପୂର୍ବରୁ ରାକେଶ ଟିକାୟତ ଜାଣିଥିଲେ । ଏଥିପାଇଁ ଶୁକ୍ରବାର ରାତିରୁ ସେ ଲକ୍ଷ୍ନୌରେ ପହଞ୍ଚି ଥିଲେ । ସେ ଅସନ୍ତୁଷ୍ଠ ସଦସ୍ୟଙ୍କୁ ମନାଇବାକୁ ଚେଷ୍ଟା କରିଥିଲେ ବି ବିଫଳ ହୋଇଥିଲେ । ଅସନ୍ତୁଷ୍ଠ ନେତାଙ୍କ ନେତୃତ୍ବ କରୁଥିବା ଭାରତୀୟ କିଷାନ ୟୁନିୟନ ଉପାଧ୍ୟକ୍ଷ ହରିନାମ ସିଂ ବର୍ମାଙ୍କ ବାସଭବନରେ ରାକେଶ ଟିକାୟତ ସଂଗଠନର ଅସନ୍ତୁଷ୍ଠ ନେତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ବି କିଛି ଲାଭ ନହେବାରୁ ମୁଜାଫରବାଦ ଫେରି ଯାଇଥିଲେ ।