ମହାପ୍ରଭୁଙ୍କ ସେବାରୁ ରାମକୃଷ୍ଣ ଦାସ ମହାପାତ୍ର ୩୦ ଦିନ ପାଇଁ ନିଲମ୍ବିତ

ନନ୍ଦିଘୋଷ ବ୍ୟୁରୋ: ମହାପ୍ରଭୁ ଜଗନ୍ନାଥଙ୍କ ବିଗ୍ରହ ନିର୍ମାଣକୁ ନେଇ ବିବାଦରେ ଥିବା ଦଇତାପତି ସେବାୟତ ରାମକୃଷ୍ଣ ଦାସ ମହାପାତ୍ର ୩୦ ଦିନ ପାଇଁ ନିଲମ୍ବିତ । ଏହି ସମୟରେ ତାଙ୍କର ଶ୍ରୀମନ୍ଦିର ପ୍ରବେଶ ଉପରେ କଟକଣା ଲଗାଯାଇଛି । ଦିଘା ଜଗନ୍ନାଥ ମନ୍ଦିରରେ ବିଗ୍ରହ ନିର୍ମାଣକୁ ନେଇ ବିବାଦୀୟ ହୋଇଥିଲେ ରାମକୃଷ୍ଣ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗଠିତ କମିଟି ଦଇତାପତି ନିଯୋଗ ସମ୍ପାଦକଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଥିଲା । କମିଟି ରିପୋର୍ଟ ଆଧାରରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ଏକମାସ ଯାଏଁ ସେ ଶ୍ରୀମନ୍ଦିରର କୌଣସି ସେବାପୂଜାରେ ସାମିଲ ହୋଇପାରିବେନି କି ନିଲମ୍ବନ ଅବଧି ସମୟରେ ସେ ଅନ୍ୟ ନିଯୋଗର କୌଣସି ସେବାୟତଙ୍କୁ ପ୍ରଲୋଭିତ କି ଧମକ ଚମକ ଦେଇପାରିବେ ନାହିଁ । ଏହାସହ ଶ୍ରୀଜିଉଙ୍କ ନୀତିକାନ୍ତିରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ବାଧା ସୃଷ୍ଟି କରିବେନି । ଏହି ସମୟ ମଧ୍ୟରେ ଶ୍ରୀମନ୍ଦିର କମାଣ୍ଡର ନିୟମିତ ତାଙ୍କ ଆଚାର ବ୍ୟବହାର ଉପରେ ନଜର ରଖି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଜଣାଇବେ ।