ମିଛ ଧରା ମେସିନରେ ସତ ଉଗାରିବ ଠକ ଡାକ୍ତର ରମେଶ ସ୍ୱାଇଁ

1 min read

ଭୁବନେଶ୍ୱର: ଠକ ଡାକ୍ତର ରମେଶ ସ୍ୱାଇଁର ଖୋଲିବ ଆହୁରି ଅନେକ କଳଙ୍କିତ ଡାଏରୀ । ଆଜି ହେବ ପଲିଗ୍ରାଫ ଟେଷ୍ଟ । ଏଥିପାଇଁ ବିଭିନ୍ନ ଦିଗକୁ ନେଇ ସ୍ବତନ୍ତ୍ର ପ୍ରଶ୍ନ ତିଆରି କରିଛି ପୋଲିସ । କିଭଳି କରୁଥିଲା ଠକେଇ ? କିଭଳି ପ୍ରସ୍ତୁତ କରୁଥିଲା ଠକେଇର ବ୍ଲ୍ୟୁ-ପ୍ରିଣ୍ଟ, ପରିବାର ଛଡ଼ା ଆଉ କେଉଁମାନେ ଥିଲେ ରମେଶର ସହଯୋଗୀ ? ଠକର ପ୍ରେମ ଜାଲରେ କିଭଳି ପଡିଥିଲେ ୧୮ ପତ୍ନୀ? ଏସବୁ ଦିଗକୁ ନେଇ ପ୍ରଶ୍ନ କରିବ ମହିଳା ଥାନା ପୋଲିସ ।

ସେପଟେ ଗତକାଲି ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ପ୍ରଥମ ପତ୍ନୀଙ୍କୁ ମାରାଥନ ଜେରା କରିଛି ପିଙ୍କ ଟିମ୍ । ୧୯୮୨ରେ ରମେଶ ପ୍ରଥମେ ଶାନ୍ତିଲତା ସ୍ୱାଇଁଙ୍କୁ ବିବାହ କରିଥିଲେ । ତାଙ୍କର ଦୁଇ ପୁଅ ଓ ଗୋଟିଏ ଝିଅ ଅଛି । ୩ ଜଣ ରାଜ୍ୟ ବାହାରେ ଡାକ୍ତର ଅଛନ୍ତି । ରମେଶର ଠକେଇ ଟଙ୍କାରେ ତିନି ଜଣ ପାଠ ପଢିଥିବା ପୋଲିସ ଜାଣିବାକୁ ପାଇଛି । ସ୍ଵାମୀ ବାବଦରେ ପୋଲିସ ଯାହା ଚାହିଁବ ସେଦିଗରେ ସହଯୋଗ କରିବେ ବୋଲି କହିଛନ୍ତି ପ୍ରଥମ ପତ୍ନୀ । ତେବେ ପ୍ରଥମ ପତ୍ନୀଙ୍କଠାରୁ ମିଳିଥିବା ତଥ୍ୟକୁ ନେଇ ମିଛଧରା ମେସିନରେ ପ୍ରଶ୍ନ କରାଯିବ । ରମେଶର ଗିରଫଦାରୀକୁ ମାସେ ପୁରିଥିଲେ ମଧ୍ୟ ଠକେଇ ସିଣ୍ଡିକେଟରେ ସାମିଲ ଥିବା ଦ୍ୱିତୀୟ ପତ୍ନୀ, ଭିଣୋଇ ଓ ଡ୍ରାଇଭର ଫେରାର ଥିବାରୁ ସେମାନଙ୍କୁ ଧରିବାରେ ବିଫଳ ହୋଇଛି ପୋଲିସ ।