ହରିୟାଣା ପରେ ଝାଡ଼ଖଣ୍ଡର ମାଫିଆଙ୍କ ଜଘନ୍ୟ କାଣ୍ଡ, ପିକଅପ୍ ଭ୍ୟାନ ଚଢ଼ାଇ ମହିଳା SIଙ୍କୁ ହତ୍ୟା

1 min read

ରାଞ୍ଚି: ହରିୟାଣା ପରେ ଝାଡ଼ଖଣ୍ଡରେ ମାଫିଆଙ୍କ ଜଘନ୍ୟ କାଣ୍ଡ । ଚେକିଂ ବେଳେ ସବ-ଇନ୍ସପେକ୍ଟରଙ୍କ ଉପରେ ଗାଡ଼ି ମଡ଼ାଇ ଦେଲା ଡ୍ରାଇଭର । ବନ୍ୟପ୍ରାଣୀ ତସ୍କରୀଙ୍କୁ ଧରିବାକୁ ପୋଲିସ କରିଥିବା ଚେକ୍‌ ପୋଷ୍ଟରେ ପୋଲିସ ଅଧିକାରୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟା କରାଯାଇଛି । ରାଞ୍ଚି ଜିଲ୍ଲା ତୁପୁଦାନା ଏସଆଇ ସନ୍ଧ୍ୟା ତୋପନୋଙ୍କ ଉପରେ ପିକଅପ ଭ୍ୟାନ୍ ଚଢ଼ାଇବା ପରେ ଗାଡ଼ି ସହ ଡ୍ରାଇଭର ଫେରାର ହୋଇଯାଇଥିଲା । ତେବେ ଘଟଣାସ୍ଥଳରେ ହିଁ ମହିଳା ପୋଲିସ ଅଧିକାରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଖବରପାଇ ବହୁ ବରିଷ୍ଠ ପୋଲିସ ଅଧିକାରୀ ଦୁର୍ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତକୁ ଧରିବାକୁ ଚେଷ୍ଟା ଜାରି ରଖିଛି ପୋଲିସ ।

ଅନ୍ୟପଟେ ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ବେଳେ ଗୋଟିଏ ଗାଡ଼ି ଜବତ କରାଯାଇଛି ବୋଲି ପୋଲିସ କହିଛି । ଜଙ୍ଗଲୀ ଜୀବଜନ୍ତୁ ଶିକାର ଓ ବାହାର ରାଜ୍ୟକୁ ଚାଲାଣ କରାଯାଉଥିବା ନେଇ ସୂଚନା ପାଇ ପୋଲିସ ଚେକ୍ ପୋଷ୍ଟ ଲଗାଇଥିଲା । ଚେକିଂ ବେଳେ ପିକଅପ୍ ଭ୍ୟାନ ଚାଳକ ଏସଆଇଙ୍କ ଉପରେ ଗାଡ଼ି ମଡ଼ାଇ ଦେଇଥିବା ପୋଲିସ କହିଛି ।

ଗତକାଲି ହରିୟାଣାରେ ଡିଏସପି ରାଙ୍କର ଜଣେ ଅଧିକାରୀଙ୍କ ଉପରେ ଗାଡ଼ି ଚଢ଼ାଇ ହତ୍ୟା କରିଥିଲେ ଖଣି ମାଫିଆ । ନୁହ ଜିଲ୍ଲାରେ ବେଆଇନ ଖଣି ଉତ୍ତୋଳନ ସ୍ଥଳରେ ଚଢ଼ାଉ ବେଳେ ଡିଏସପି ସୁରେନ୍ଦ୍ର ସିଂ ବିଶ୍ନୋଇଙ୍କ ଉପରେ ଖଣି ମାଫିଆ ଡମ୍ଫର ଚଢ଼ାଇ ଦେଇଥିଲେ । ସମ୍ପୃକ୍ତ ଡମ୍ଫର ଚାଳକଙ୍କୁ ଗିରଫ କରାଯାଇଛି ।