ରାନିଲ ବିକ୍ରମସିଙ୍ଘେ ହେବେ ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ, ସନ୍ଧ୍ୟାରେ ନେବେ ଶପଥ

କୋଲମ୍ବୋ: ଶ୍ରୀଲଙ୍କାର ସଙ୍କଟ ଭିତରେ ୟୁନାଇଟେଡ୍ ନ୍ୟାସନାଲ୍ ପାର୍ଟିର ନେତା ରାନିଲ ବିକ୍ରମସିଙ୍ଘେ ଆଜି ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ । ଆଜି ସନ୍ଧ୍ୟା ୬ଟା ୩୦ ବେଳକୁ ରାନିଲ ବିକ୍ରମସିଙ୍ଘେ ଶପଥ ନେବେ। ରାନିଲ୍ ପୂର୍ବରୁ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ହୋଇସାରିଛନ୍ତି । ଶ୍ରୀଲଙ୍କାର ୨୨୫ ସଂସଦୀୟ ସିଟରୁ ରାନିଲଙ୍କ ପାଖରେ ରହିଛି ଗୋଟିଏ ସିଟ୍ ।

ୟୁନାଇଟେଡ୍ ନ୍ୟାସନାଲ୍ ପାର୍ଟିର ୭୩ ବର୍ଷୀୟ ନେତା ବୁଧବାର ଦିନ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେଙ୍କ ସହିତ କଥା ହୋଇଥିଲେ । ଯାହା ପରେ ରାନିଲଙ୍କ ନାମ ଚର୍ଚ୍ଚାରେ ଥିଲା । ଶ୍ରୀଲଙ୍କାର ୪ଥରର  ପ୍ରଧାନମନ୍ତ୍ରୀ ବିକ୍ରମସିଙ୍ଘେଙ୍କୁ ୨୦୧୮ ଅକ୍ଟୋବରରେ ତତ୍କାଳୀନ ରାଷ୍ଟ୍ରପତି ମୈତ୍ରିପାଲ୍ ସିରିସେନା ପ୍ରଧାନମନ୍ତ୍ରୀ ପଦରୁ ହଟାଇ ଦେଇଥିଲେ ।

ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଶାସକ ଏସଏଲପିପି, ବିପକ୍ଷ ଏସଜେବି ଓ ଅନ୍ୟ କିଛି ଦଳ ବିକ୍ରମସିଙ୍ଘେଙ୍କ ପ୍ରତି ସମର୍ଥନ ଜଣାଇଛନ୍ତି । ତେବେ ପ୍ରଧାନମନ୍ତ୍ରୀ ହେବା ପରେ ବିକ୍ରମସିଙ୍ଘେଙ୍କ ବହୁମତ ହାସିଲ କରିପାରିବେ ବୋଲି ଦାବି କରିଛନ୍ତି ୟୁଏନପିର ଅଧ୍ୟକ୍ଷ । ତେବେ ଦେଶର ସବୁଠୁ ପୁରାତନ ପାର୍ଟି ୟୁଏନପି ୨୦୨୦ରେ ସଂସଦୀୟ ନିର୍ବାଚନରେ  କେବଳ ଗୋଟିଏ ସିଟ୍ ହାତେଇଥିଲା ।

Sri Lanka Economic Crisis Country Selling Gold To Avoid Bankruptcy

ଉଲ୍ଲେଖଯୋଗ୍ୟ, ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ଓ ରାଜନୈତିକ ଅସ୍ଥିରତାକୁ ନେଇ କୁହୁଳୁଥିବା ହିଂସା ଚରମ ସୀମାରେ ପହଞ୍ଚିଛି । ପୋଡ଼ାଜଳା, ବିକ୍ଷୋଭ ଯୋଗୁ ସାରାଦେଶରେ ବ୍ୟାପକ ଅରାଜକତା ଜାରି ରହିଛି । ସଡ଼କରେ ହିଂସା ରୋକିବାକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ସୁଟ୍ ଅନ୍ ସାଇଟ୍ ଅର୍ଡର ଦେଇଛି । ସେପଟେ ଶ୍ରୀଲଙ୍କାରେ ଲୋକତନ୍ତ୍ର, ସ୍ଥିରତା, ଆର୍ଥିକ ସୁଧାର ପାଇଁ ଭାରତ ସବୁ ପ୍ରକାର ସହଯୋଗ ଜାରି ରଖିଛି ବୋଲି ବୈଦେଶିକ ମନ୍ତ୍ରଣାଳୟ ସଚିବ ଅରିନ୍ଦମ ବାଗଚୀ କହିଛନ୍ତି ।