ନନ୍ଦିଘୋଷ ବ୍ୟୁରୋ: ଘାତ ବୋଲିଂ.. ବ୍ୟାଟ୍ସମ୍ୟାନ ଧରାଶାୟୀ.. ୫ ଓଭରରେ ଦେଲେନି ଗୋଟେ ବି ରନ୍ । କିନ୍ତୁ ଅକ୍ତିଆର କଲେ ୫ ଓ୍ବିକେଟ୍ । ଯଦି ସମ୍ପୂର୍ଣ୍ଣ ପାଳି କଥା କହିବା ତାହେଲେ ସେ ୮ ଓ୍ବିକେଟ ଅକ୍ତିଆର କରିଛନ୍ତି । ମାତ୍ର ୨୭ ରନ ଦେଇ ସେ ଏହି ରେକର୍ଡ କରିପାରିଛନ୍ତି । ତେବେ ଆମେ ଯାହାଙ୍କ କଥା କହୁଛୁ ସେ ହେଉଛନ୍ତି ଅମିତ ଶୁକ୍ଳା । ହରିୟାଣାର ଜଣକ ପରେ ଜଣେ ବ୍ୟାଟ୍ସମ୍ୟାନଙ୍କ ଆଉଟ୍ କରି ପାଭିଲିୟନକୁ ପଠାଇଥିଲେ । ତେବେ ପ୍ରଥମ ୫ ଓଭର ଯେତେବେଳେ ବୋଲିଂ କରିଥିଲେ ସେ କୌଣସି ରନ ବ୍ୟୟ କରିନଥିଲେ । ଯାହାକି ଏକ ନୂଆ ରେକର୍ଡ ହୋଇପାରିଛି ।
ହରିୟାଣା ଦଳ ମାତ୍ର ୧୧୧ ରନରେ ଅଲଆଉଟ୍ ହୋଇଥିଲା । ଏହା ପଛରେ ରହିଥିଲା ଅମିତ ଶୁକ୍ଳାଙ୍କ ହାତ । ସେପଟେ ଦ୍ବିତୀୟ ପାଳିରେ ସର୍ଭିସ୍ ୨୦୫ ରନ୍ କରିଥିବାବେଳେ ୯୪ ରନର ଲିଡ୍ ଦେଇପାରିଛି । ତେବେ ଅମିତ ପ୍ରଥମ ଓଭରର ଦ୍ବିତୀୟ ବଲରୁ ହିଁ ହରିୟାଣାକୁ ଅକଳରେ ପକାଇଥିଲେ । ସେ ଦ୍ବିତୀୟ ବଲରେ ଯୁବରାଜ ସିଂଙ୍କୁ ଆଉଟ୍ କରି ପାଭିଲିୟନ ପଠାଇଥିଲେ । ଏବେ ଏହି ଖେଳାଳିଙ୍କ ବିଷୟରେ ଜାଣିବା ଲାଗି ସମସ୍ତେ ମନ ବଳାଇଛନ୍ତି । ତେବେ ଆମେ ଯଦି ଅମିତଙ୍କ କଥା କହିବା ତାହେଲେ ସେ ୧୪ ବର୍ଷ ବୟସରୁ ନିଜର କ୍ରିକେଟ କ୍ୟାରିୟର ଆରମ୍ଭ କରିଛନ୍ତି । ପୂର୍ବରୁ କ୍ରିକେଟ ପ୍ରତି ତାଙ୍କର ଆଗ୍ରହ ନଥିଲା । ଏବେ ସେ ୨୨ ବର୍ଷୀୟ ହୋଇଥିବାବେଳେ ବାପା ଜଣେ ସୈନିକ । ସେ ଲିଷ୍ଟ-ଏ ଏବଂ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିଛନ୍ତି । ଆଗାମୀ ସିଜିନରେ ସେ ଆଇପିଏଲ ଦଳରେ ମଧ୍ୟ ସ୍ଥାନ ପାଇପାରନ୍ତି ବୋଲି କୁହାଯାଉଛି ।

