spot_img

Latest Posts

ଆସନ୍ତା ୨୪ରେ ହେବ ପ୍ରତିମୂର୍ତ୍ତି ଉନ୍ମୋଚନ: କାର୍ଯ୍ୟକ୍ରମ ଭଣ୍ଡୁର କରିବାକୁ ବିଜେପିରେ ହୀନ ଉଦ୍ୟମ ନେଇ ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: ରାୟଗଡାରେ ସରଗରମ ରାଜନୀତି । ବରିଷ୍ଠ କଂଗ୍ରେସ ନେତା ସ୍ବର୍ଗତ ରାମଚନ୍ଦ୍ର ଉଲ୍ଲାକାଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠାକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ଆରମ୍ଭ ହୋଇଛି ବିବାଦ । ଆସନ୍ତା ୨୪ତାରିଖରେ ଗଜପତି ଛକ ନିକଟରେ ରାମଚନ୍ଦ୍ର ଉଲ୍ଲାକାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହେବାକୁ ଥିବା ବେଳେ ଅନଧିକୃତ ଭାବେ ସ୍ଥାନ ଜବରଦଖଲ କରି ସାଂସଦ ସପ୍ତଗିରି ଉଲ୍ଲାକା ପ୍ରତିମୂର୍ତ୍ତି ସ୍ଥାପନ କରିଥିବା ବିଜେପି ଅଭିଯୋଗ କରିଛି । ଅନ୍ୟପଟେ କାର୍ଯ୍ୟକ୍ରମକୁ ବିଜେପି ଭଣ୍ଡୁର କରିବାକୁ ଉଦ୍ୟମ କଲେ ଜୋରଦାର ବିରୋଧ କରାଯିବ ବୋଲି କହିଛନ୍ତି ସ୍ଥାନୀୟ କଂଗ୍ରେସ ବିଧାୟକ ଆପାଲ ସ୍ବାମୀ କାଡ୍ରାକା ।

ବରିଷ୍ଠ କଂଗ୍ରେସ ନେତା ସ୍ଵର୍ଗତ ରାମଚନ୍ଦ୍ର ଉଲ୍ଲାକାଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠାକୁ ନେଇ ତେଜିଛି ରାଜନୀତି । ରାୟଗଡାରେ ବିଜେପି ଓ କଂଗ୍ରେସ ମଧ୍ୟରେ ବିବାଦ । ପ୍ରେସମିଟ ଜରିଆରେ ଉଭୟ ଦଳର ତୁତୁ ମେମେ । ଆସନ୍ତା ୨୪ ତାରିଖରେ ରାୟଗଡା ସହରର ଗଜପତି ଛକ ନିକଟରେ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ସ୍ଵର୍ଗତ ପିତା ରାମଚନ୍ଦ୍ର ଉଲ୍ଲାକାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହେବାକୁ ଯାଉଛି । କାର୍ଯ୍ୟକ୍ରମରେ ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ଅଜୟ କୁମାର ଲଲୁ, ପିସିସି ସଭାପତି ଭକ୍ତ ଦାସଙ୍କ ସମେତ ଜୟଦେବ ଜେନା ପ୍ରମୁଖ ଯୋଗ ଦେବେ । ସରକାରୀ ସ୍ଥାନରେ ସାଂସଦ ନିଜ ଖର୍ଚ୍ଚରେ ପ୍ରତିମୂର୍ତ୍ତି ସ୍ଥାପନ କରିଛନ୍ତି । ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ପୌରପରିଷଦରେ ରିଜୋଲ୍ୟୁସନ୍ ପାରିତ ବି ହୋଇଛି । ହେଲେ ଜିଲ୍ଲା ବିଜେପି ପ୍ରଶାସନକୁ ହାତବାରିସୀ କରି କାର୍ଯ୍ୟକ୍ରମକୁ ଭଣ୍ଡୁର କରିବାକୁ ଉଦ୍ୟମ କରୁଛି । ଅନ୍ୟପଟେ କାର୍ଯ୍ୟକ୍ରମକୁ ଭଣ୍ଡୁର କଲେ ପରିସ୍ଥିତି ଭୟାବହ ହେବା ବୋଲି ଚେତାଇ ଦେଇଛନ୍ତି ରାୟଗଡା ବିଧାୟକ ଆପାଲସ୍ବାମୀ କାଡ୍ରାକା ।

ଅନ୍ୟପଟେ ସ୍ବର୍ଗତ ରାମଚନ୍ଦ୍ର ଉଲ୍ଲାକାଙ୍କ ପ୍ରତିମୂର୍ତ୍ତି ସ୍ଥାପନକୁ ନେଇ ଆପତ୍ତି ଉଠାଇଛନ୍ତି ବିଜେପି ସଭାପତି ଗୋପୀ ଆନନ୍ଦ । କେଉଁ ଖାତା ଓ ପ୍ଲଟ ନମ୍ବରରେ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ସ୍ଥାନ ଚିହ୍ନଟ ହେଲା ? ତାହାର ପ୍ରମାଣ ମାଗିଛି ବିଜେପି । ମ୍ୟୁନସିପାଲିଟି ରିଜୋଲ୍ୟୁସନକୁ ଚଞ୍ଚକତା କରି ମୂର୍ତ୍ତି ସ୍ଥାପନ କରାଯାଉଥିବା ସେ ଅଭିଯୋଗ କରିଛନ୍ତି । ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଖୋଦ ସାଂସଦ ସପ୍ତଗିରି ଉଲ୍ଲାକା ତାଙ୍କ ବାପା ସ୍ବର୍ଗତ ରାମଚନ୍ଦ୍ର ଉଲ୍ଲାକାଙ୍କ ମୂର୍ତ୍ତିକୁ ପରିତ୍ୟକ୍ତ ଅବସ୍ଥାରେ ରଖିଛନ୍ତି । ଖାଲି ସେତିକି ନୁହେଁ ଇନ୍ଦିରା ଗାନ୍ଧୀ ଓ ରାଜୀବ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ବି ସେମିତି ରଖିଛନ୍ତି । ନିଜ ବାପାଙ୍କୁ ସମ୍ମାନ ନଜଣାଇ ସହରରେ ବାପାଙ୍କ ମୂର୍ତ୍ତି ସ୍ଥାପନା କରି ରାଜନୀତି କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି  । ରାମଚନ୍ଦ୍ର ଉଲ୍ଲାକାଙ୍କ ପ୍ରତିମୂର୍ତ୍ତି ସ୍ଥାପନକୁ ନେଇ ଆରମ୍ଭ ହୋଇଥିବା ବିବାଦ ଆଗକୁ କେଉଁ ରୂପ ନେଉଛି ତାହା ଉପରେ ସମସ୍ତଙ୍କ ନଜର ।

Latest Posts

Don't Miss