କାହା ପାଇଁ ଆବାସ ଯୋଜନା ? ପ୍ରକୃତ ହିତାଧିକାରୀଙ୍କୁ ମିଳୁନି ଘର । ଖାଲି ମିଳୁଛି ଫମ୍ପା ପ୍ରତିଶୃତି । ହେଲେ ଗରିବଙ୍କ କଥା ଶୁଣୁଛି କିଏ ? ଆମେ ଆପଣଙ୍କୁ କହୁଛୁ କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ବିନ୍ଧା ଗାଁର ଶିବପ୍ରସାଦ ନାୟକଙ୍କ କଥା । ଶିବ ଘର ଖଣ୍ଡେ ପାଇଁ ବିଭିନ୍ନ ଅଫିସକୁ ଧାଇଁ ନିରାଶ ହେବା ପରେ ବହୁ କଷ୍ଟରେ ଘର ଖଣ୍ଡେ ତିଆରି କରିଥିଲେ । ହେଲେ ତାହା ପ୍ଲାଷ୍ଟର କରିପାରିନଥିଲେ । ଫଳରେ ଘରର କାନ୍ଥ ଫାଟି ଆଁ କଲାଣି । ଭଙ୍ଗା କାନ୍ଥକୁ ସାହାରା ଦେଇଛି ବାଉଁଶ ଢେରା । ଆଉ ତାହାରି ଭିତରେ ଶିବପ୍ରସାଦ ନିଜର ମାଆ, ସ୍ତ୍ରୀ ଓ ଦିବ୍ୟାଙ୍ଗ ପୁଅକୁ ଧରି ବିପଦଶଙ୍କୁଳ ଅବସ୍ଥାରେ ଜୀବନ ବିତାଉଛନ୍ତି ।
ଶିବ ମୂଲ ଲାଗି ପରିବାର ପ୍ରତିପୋଷଣ କରିବା ସହ ଦିବ୍ୟାଙ୍ଗ ପୁଅର ଔଷଧ ଖର୍ଚ୍ଚ କରିଥାନ୍ତି । ଏଭଳି ସ୍ଥିତିରେ ସେ ଘର ସଜାଡି ପାରୁନାହାନ୍ତି । ତେଣୁ ତାଙ୍କୁ ଆବାସ ଯୋଜନାରେ ଘର ଖଣ୍ଡେ ଯୋଗାଇଦେବାକୁ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି ଗ୍ରାମବାସୀ । ଅନ୍ୟପଟେ ତଦନ୍ତ ପରେ ଘର ଯୋଗାଇ ଦିଆଯିବ ବୋଲି କହିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାପାଳ । ଜିଲ୍ଲାପାଳଙ୍କ ପ୍ରତିଶୃତି କାର୍ଯ୍ୟକାରୀ ହେଉଛି ନା ତାହା ପାଣିର ଗାର ପାଲଟୁଛି ତାକୁ ହିଁ ଅପେକ୍ଷା ।

