ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ୨-୧ରେ ଦିନିକିଆ ସିରିଜ ପରାଜୟବରଣ କରିଛି । ଏହା ପଛରେ ଅନେକ କାରଣ ରହିଛି । ପୁରୁଣା ତ୍ରୁଟିକୁ ଦୋହରାଇବା, ଲକ୍ଷ୍ୟହୀନ ବୋଲିଂ, ପ୍ଲାନ-ବି’ର ଅଭାବ, ମଧ୍ୟମ କ୍ରମରେ ଅସ୍ଥିରତା, ଜାଡ଼େଜାଙ୍କ ପରି ଅଭିଜ୍ଞଙ୍କ ଖେଳାଳିଙ୍କ ବିଫଳତା, ବ୍ୟାଟିଂରେ ରୋହିତ ଶର୍ମାଙ୍କ ଧିମା ଆରମ୍ଭ ଆଦି ଅନେକ କାରଣ ଏହି ପରାଜୟ ପାଇଁ ଦାୟୀ । ବିରାଟ କୋହଲିଙ୍କ ଶତକୀୟ ଇନିଂସ ଦଳ ପାଇଁ ସକରାତ୍ମକ ଦିଗ ଆଣିଥିଲା । ମାତ୍ର ଏକ ଟିମ୍ ଭାବେ ଭାରତ ଫ୍ଲପ ରହିଥିଲା । ତେଣୁ ଆଗାମୀ ସିରିଜରେ ଦଳକୁ ଏହିସବୁ ତ୍ରୁଟିକୁ ସୁଧାରିବା ନିହାତି ଜରୁରୀ ।
ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ୪୧ ରନରେ ହାରି ସିରିଜ ହାରିଛି । ଏହାଦ୍ବାରା ଗତ ୩ ମାସରେ ଟିମ୍ ଇଣ୍ଡିଆ ୩ଟିରୁ ୨ଟି ସିରିଜରେ ହାରିଛି । ଏହାପୂର୍ବରୁ ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ସିରିଜ ଭାରତ ହାରିଥିଲା । ମାତ୍ର ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରତ୍ୟାବର୍ତ୍ତନର ସଙ୍କେତ ମିଳିଥିଲା । ମାତ୍ର ନ୍ୟୁଜିଲାଣ୍ଡ ବିପକ୍ଷରେ ପରାଜୟ ପରେ ଏବେ ଘରୋଇ ମାଟିରେ ଭାରତର ସାମର୍ଥ୍ୟକୁ ନେଇ ପ୍ରଶ୍ନ ଉଠିଛି । ଏହା ଏକ ସାଧାରଣ ପରାଜ ନୁହେଁ, ୧୯୮୮ ପରେ ନ୍ୟୁଜିଲାଣ୍ଡ ଭାରତ ମାଟିରେ ଦ୍ବିପାକ୍ଷିକ ଦିନିକିଆ ସିରିଜ ଜିତି ଇତିହାସ ରଚିଛି ।
ସିରିଜ ପରାଜୟର ମୁଖ୍ୟ କାରଣ ମଧ୍ୟରେ, ରୋହିତଙ୍କ ପାଓ୍ବରପ୍ଲେରେ ଫେଲ ଆରମ୍ଭ, ଜାଡ଼େଜାଙ୍କ ଅଲରାଉଣ୍ଡ ଭୂମିକା ଗାୟବ । ମଧ୍ୟମକ୍ରମ ବିଫଳ ଓ ପାର୍ଟନରଶିପର ଅଭାବ, ବୋଲିଂରେ ନିୟନ୍ତ୍ରଣ ହରାଇବା ଓ ପ୍ଲାନ-ବି’ର ଅଭାବ । ନ୍ୟୁଜିଲାଣ୍ଡର ଭଲ ଟ୍ୟାକ୍ଟିକାଲ ଆପ୍ରୋଚ ଓ ସ୍ଥିତି ବୁଝିବା । ରୋହିତଙ୍କ ଆକ୍ରମଣାତ୍ମକ ଖେଳ ଉପରେ ଭାରତ ପାଓ୍ବରପ୍ଲେରେ ନିର୍ଭର କରୁଥିବା ବେଳେ ସେ ତାହାକୁ ଗତି ଦେଇ ନଥିଲେ । ଓପନର ବ୍ୟାଟ୍ସମ୍ୟାନ ରନ୍ ସଂଗ୍ରହ ନକଲେ ମଧ୍ୟମ କ୍ରମ ବ୍ୟାଟ୍ସମ୍ୟାନ ଚାପରେ ଆସିଯାନ୍ତି ।
ଜାଡ଼େଜା ଭାରତର ବାଲାନ୍ସ ଖେଳାଳି ହୋଇଥିବା ବେଳେ ସେ ବ୍ୟାଟିଂ, ବୋଲିଂ ଓ ଫିଲଡିଂରେ ବିଫଳ ହୋଇଥିଲେ । ସିରିଜରେ ଜାଡ଼େଜା ୪, ୨୭, ୧୨ ସ୍କୋର କରିଥିଲେ । ଅଧିନାୟକ ଶୁଭମନ ଗିଲଙ୍କ ନେତୃତ୍ବର ଚାପ ତାଙ୍କର ବ୍ୟାଟିଂ ଉପରେ ପଡ଼ୁଛି । ଏହି ସିରିଜରେ ଗିଲ ମୋଟ ୧୩୫ ରନ୍ ସ୍କୋର କରିଛନ୍ତି । ତୃତୀୟ ଦିନିକିଆରେ ସେ ମାତ୍ର ୨୩ ରନ୍ ସଂଗ୍ରହ କରିଥିଲେ । ୧-୦ରେ ସିରିଜରେ ଆଗୁଆ ଥାଇ ବି ଖରାପ ରଣନୀତି କାରଣରୁ ଗିଲ ସିରିଜକୁ ବଞ୍ଚାଇ ପାରିନଥିଲେ ।
ଭାରତର ସ୍କୋର ୨୮/୦ରୁ ୭୧/୪ ହୋଇଯାଇଥିଲା । ଆୟର, ଜାଡ଼େଜା, ରେଡ୍ଡୀ, ଗିଲଙ୍କ ପ୍ରଦର୍ଶନ ଆଶାନୁରୂପକ ରହିନଥିଲା । ବୋଲିଂରେ ଭାରତ ବିଫଳ ହୋଇଥିଲା । ସିରାଜ ଓ କୁଲଦୀପ ପ୍ରତିପକ୍ଷଙ୍କୁ ଚାପ ପକାଇ ପାରିନଥିଲେ । ପ୍ରସିଦ୍ଧ ବହୁତ ନିରାଶ କରିଥିଲେ । ପ୍ରତ୍ୟାବର୍ତ୍ତନ କରି ଶ୍ରେୟସ ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ । ୩ ମ୍ୟାଚରେ ସେ ୬୦ ରନ୍ କରିଥିଲେ । ଟିମ୍ ଇଣ୍ଡିଆର ଦୁର୍ବଳ ରଣନୀତି ମଧ୍ୟ ଦେଖିବାକୁ ମିଳିଥିଲା ।

