ଲୋକସଭା ପ୍ରାର୍ଥୀଙ୍କ ନାଁ ଘୋଷଣା ପରେ ରାଜ୍ୟ ବିଜେପିରେ ବିଦ୍ରୋହ

ଭୁବନେଶ୍ବର: ବିଜେପିରେ ପ୍ରାର୍ଥିତ୍ବକୁ ନେଇ ବିଦ୍ରୋହ । ବାଲେଶ୍ବରରୁ ସୂତ୍ରପାତ, ନବରଙ୍ଗପୁରରେ ବିକ୍ଷୋଭ, ଭୁବନେଶ୍ବରରେ ଅଭିଯୋଗ । ପୂର୍ବତନ ସାଂସଦ ତଥା ବାଲେଶ୍ବର ସଂସଦୀୟ କ୍ଷେତ୍ରର ଟିକେଟ ଆଶାୟୀ ଖାରବେଳ ସ୍ବାଇଁ ଦଳ ବିରୋଧରେ ଖୋଲାଖୋଲି ଅସନ୍ତୋଷ ଜାହିର କରିଛନ୍ତି । ଏପରିକି ଦଳୀୟ ପ୍ରାର୍ଥୀଙ୍କ ବିରୋଧରେ ସ୍ବାଧୀନ ଭାବେ ମଇଦାନକୁ ଓହ୍ଲାଇବେ ବୋଲି ଘୋଷଣା କରିଛନ୍ତି । ଏପଟେ ନବରଙ୍ଗପୁର ଆସନରୁ ଟିକେଟ ନମିଳିବା ପରେ ଖଡଗହସ୍ତ ପର୍ଶୁରାମ ମାଝୀ । ଭୁବନେଶ୍ବରରେ ଅପରାଜିତାଙ୍କ ପ୍ରାର୍ଥିତ୍ବକୁ ଖୋଦ୍ ଭୋଟରମାନେ ବିରୋଧ କରିଛନ୍ତି । ତେବେ ଆଗକୁ ବିଜେପିରେ ବଡ଼ ବିସ୍ଫୋରଣ ହେବା ଆଶଙ୍କା କରାଯାଉଛି ।

ରାଜ୍ୟ ବିଜେପିର ଟିକେଟ୍ ଘୋଷଣା ପରେ ତେଜିଲା ବିଦ୍ରୋହ । ଉପକୂଳରୁ ଦକ୍ଷିଣ, ସାଂସଦ ପ୍ରାର୍ଥିତ୍ବକୁ ନେଇ ଟେନସନରେ ଦଳ । ବିଜେପି ଲୋକସଭା ପ୍ରାର୍ଥୀ ଘୋଷଣାକୁ ୨୪ ଘଣ୍ଟା ନପୁରୁଣୁ ଦଳରେ ଦେଖାଦେଲାଣି ତୀବ୍ର ଅସନ୍ତୋଷ । ଖୋଲାଖୋଲି ବିଦ୍ରୋହ କରିଛନ୍ତି ଦଳର ଦୁଇ ପୁରୁଖା ନେତା । ବାଲେଶ୍ବରର ପୂର୍ବତନ ସାଂସଦ ଖାରବେଳ ସ୍ବାଇଁ ଦଳୀୟ ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ ଓ ଦଳୀୟ ନିଷ୍ପତ୍ତି ବିରୋଧରେ ଦେଇଛନ୍ତି ଯୁଦ୍ଧଂଦେହୀ ଡାକରା । ସ୍ବାଧୀନ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇବାକୁ ସିଧାସଳଖ ଦେଇଛନ୍ତି ଚେତାବନୀ । ଏପଟେ ନବରଙ୍ଗପୁର ଆସନରେ ପ୍ରାର୍ଥୀକୁ ନେଇ ଅନ୍ତକନ୍ଦଳ ଚରମ ଶିଖରରେ । ବଳଭଦ୍ର ମାଝୀଙ୍କୁ ଟିକେଟ୍ ମିଳିବା ପରେ ଦୁଇ ଦୁଇ ଥର ସାଂସଦ ହୋଇଥିବା ପର୍ଶୁରାମ ମାଝୀ ଖଡ଼ଗହସ୍ତ । ତାଙ୍କ ସମର୍ଥକ ବି ଦଳୀୟ ନିଷ୍ପତ୍ତି ବିରୋଧରେ ବିଦ୍ରୋହ କରିଛନ୍ତି । ଏପରିକି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଦେଇଛନ୍ତି ଅଲଟିମେଟମ୍ । ନିଷ୍ପତ୍ତି ନବଦଳାଇଲେ ଦଳୀୟ କର୍ମୀ ଚୁପଚାପ ଘରେ ଶୋଇପଡ଼ିବେ ବୋଲି ସଫାସଫା ଶୁଣାଇ ଦେଇଛନ୍ତି ।

ଖାଲି ବାଲେଶ୍ବର କି ନବରଙ୍ଗପୁର ନୁହେଁ ହାଇପ୍ରୋଫାଇଲ ଆସନ ଭୁବନେଶ୍ବରରେ ବି ପ୍ରାର୍ଥିତ୍ବକୁ ନେଇ ଟେନସନରେ ବିଜେପି । ଅପରାଜିତା ଷଡଙ୍ଗୀ ପୁଣି ପ୍ରାର୍ଥୀ ହେବା ପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଖୋଦ୍ ଭୋଟର । ଲିଙ୍ଗରାଜ ମହାପ୍ରଭୁଙ୍କ ଦର୍ଶନ ପାଇଁ ସପରିବାର ପହଞ୍ଚିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଖରେ ଅପରାଜିତାଙ୍କ ବିରୋଧରେ ଫେରାଦ ହୋଇଛନ୍ତି ମନ୍ଦିର ସେବାୟତ । ସେବାୟତଙ୍କ ଅଭିଯୋଗ, ଦିନେ ହେଲେ ଲିଙ୍ଗରାଜ ମନ୍ଦିର କି ସେବାୟତଙ୍କ ଉନ୍ନତି ପାଇଁ ଅପରାଜିତା ଉଦ୍ଯମ କରିନାହାନ୍ତି । ଏପରିକି ଲିଙ୍ଗରାଜ ମନ୍ଦିର ପାଇଁ ପ୍ରସ୍ତାବିତ ସ୍ବତନ୍ତ୍ର ଆଇନକୁ ବିରୋଧ କରିଛନ୍ତି । ଏଣୁ ତାଙ୍କୁ କାହିଁକି ପୁଣି ପ୍ରାର୍ଥୀ କରାଗଲା ବୋଲି ପ୍ରଶ୍ନ କରିବା ସହ ଅସନ୍ତୋଷ ଜାହିର କରିଛନ୍ତି ।

୨୧ ଲୋକସଭା ଆସନରୁ ୧୮ଟି ଆସନରେ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ଯାଜପୁର, କନ୍ଧମାଳ, କଟକ ଆସନ ପାଇଁ ଅଡ଼ୁଆ ତୁଟି ନଥିବାରୁ ପ୍ରାର୍ଥୀ ଘୋଷଣା ହୋଇନାହିଁ । ଆଗକୁ ବିଧାନସଭା ଆସନ ପାଇଁ ବି ଟିକେଟ ଚୂଡାନ୍ତି ହେବ । ଦଳରେ ଆରମ୍ଭରୁ ଏତେ ଅସନ୍ତୋଷ, ତେବେ ଆଗକୁ ବିସ୍ଫୋରଣ ହେବନି ତ ?  ଏବେଠାରୁ ଦଳୀୟ ନିଷ୍ପତ୍ତି ଉପରେ ଆଶାୟୀଙ୍କ ଖୋଲାଖୋଲି ବିଦ୍ରୋହ ଦଳ ଉପରେ ପ୍ରଭାବ ପକାଇବା ନିଶ୍ଚିତ ।